ହରିୟାଣା: ଘରେ ସ୍ତ୍ରୀ-ଛୁଆଙ୍କୁ ଛାଡ଼ି ବାହାରେ ଅନ୍ୟ ମହିଳା ସହ ଲିଭ୍-ଇନ୍ ରେ ରହିବା ଯୁବକଙ୍କୁ ପଡିଲା ଭାରି। ସ୍ତ୍ରୀ ସହ ଫୋନରେ ସବୁବେଳେ କଥା ହେବାକୁ ହଜମ କରିପାରୁନଥିଲେ ଲିଭ୍-ଇନ୍-ପାର୍ଟନର। ଶେଷରେ ତାଙ୍କ ଜୀବନ ନେଇଗଲେ। ଶନିବାର ଦିନ ହରିୟାଣାର ଗୁରୁଗ୍ରାମରେ ଜଣେ ୪୦ ବର୍ଷୀୟ ସ୍କ୍ରାପ୍ ଡିଲରଙ୍କୁ ହତ୍ୟା କରାଯାଇଛି। ଆଉ ତାଙ୍କୁ ହତ୍ୟା କରିଛନ୍ତି ତାଙ୍କ ପ୍ରେମିକା ବା ଲିଭ୍-ଇନ୍ ପାର୍ଟନର। ଏହି ଘଟଣାଟି ଫେଜ୍-୩ ଅଞ୍ଚଳରେ ଘଟିଛି। ଯେଉଁଠାରେ ବ୍ୟବସାୟୀ ହରିଶ ଶର୍ମା ତାଙ୍କ ଲିଭ୍-ଇନ୍ ପାର୍ଟନର୍ ଯଶମିତ କୌରଙ୍କ ସହିତ ଏକ ଭଡା ଫ୍ଲାଟରେ ରହୁଥିଲେ। ଉଭୟ ଗତ ଗୋଟିଏ ବର୍ଷ ଧରି ଏକାଠି ରହୁଥିଲେ। ହରିଶ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅ ଗାଁରେ ରହୁଥିଲେ। କୁହାଯାଉଛି ଯେ ହରିଶଙ୍କ ସ୍ତ୍ରୀ କିଛି ଦିନ ଧରି ଅସୁସ୍ଥ ଥିଲେ, ଯାହା ଯୋଗୁଁ ସେ ପ୍ରାୟତଃ ତାଙ୍କ ସହିତ ଫୋନ୍ରେ କଥା ହେଉଥିଲେ। ହେଲେ ତାଙ୍କ ଲିଭ୍-ଇନ୍ ପାର୍ଟନର୍ କୌର ଏ କଥାକୁ ପସନ୍ଦ କରୁନଥିଲେ ଏବଂ ଉଭୟଙ୍କ ମଧ୍ୟରେ ଅନେକ ଝଗଡ଼ା ମଧ୍ୟ ହୋଇଥିଲା। ଶନିବାର ରାତିରେ, ଯେତେବେଳେ କୌର ହରିଶଙ୍କୁ ତାଙ୍କ ସ୍ତ୍ରୀଙ୍କ ସହ କଥା ହେଉଥିବାର ଦେଖିଲେ, ସେତେବେଳେ ଉଭୟଙ୍କ ମଧ୍ୟରେ ପୁଣି ଝଗଡା ଆରମ୍ଭ ହୋଇଗଲା। ରାଗରେ କୌର ହରିଶଙ୍କ ଛାତିରେ ଛୁରୀ ଭୁସି ଦେଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କଲେ। ଘଟଣା ସମୟରେ ହରିଶଙ୍କ ବନ୍ଧୁ ବିଜୟ ଓରଫ ସେଟ୍ଟି ମଧ୍ୟ ଘରେ ଉପସ୍ଥିତ ଥିଲେ। ହରିଶଙ୍କ ଭଣଜା ପୋଲିସରେ ଅଭିଯୋଗ କରି କରିଛନ୍ତି ଯେ କୌର ଏବଂ ବିଜୟ ଏକ ଷଡ଼ଯନ୍ତ୍ର କରି ହରିଶଙ୍କୁ ହତ୍ୟା କରିଛନ୍ତି।










