କଟକ: କଟକ ଆଠଗଡ଼ରୁ ଆସିଛି ସାଂଘାତିକ ଅଭିଯୋଗ । କଲେଜ ଅଧ୍ୟକ୍ଷଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଅଧ୍ୟାପିକା । କଟକ ଜିଲ୍ଲା ଶ୍ରୀ ଶ୍ରୀ ଧବଳେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ସାମନ୍ତରାୟଙ୍କ ନାଁରେ ଆସିଛି ଏହି ସଙ୍ଗୀନ ଅଭିଯୋଗ । ଅଧ୍ୟାପିକାଙ୍କୁ କଲେଜ ଅଧ୍ୟକ୍ଷ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ପୁଲିସ ଡିଜିଙ୍କୁ ଚିଠି ଲେଖି ନ୍ୟାୟ ଦାବି କରିଛନ୍ତି ଅଧ୍ୟାପିକା । ଅଧ୍ୟକ୍ଷ ଜଣକ ଅସ୍ୱାଭାବିକ ଭାବେ ଅଧ୍ୟାପିକାଙ୍କୁ ଛୁଇଁବାକୁ ଉଦ୍ୟମ କରିଥିଲେ । ଏହାର ବିରୋଧ କରିବାରୁ କଲେଜ ଅଧ୍ୟକ୍ଷ ଜାତିଆଣ ଆକ୍ଷେପ କରି ଅପମାନିତ କରିଥିବା ଅଭିଯୋଗ ହୋଇଛି । ଏନେଇ ଆଠଗଡ଼ ଗୁରୁଡି ଝାଟିଆ ଥାନାରେ ଏତଲା ଦେଇଛନ୍ତି ପୀଡିତା । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ରେ ଅଭିଯୋଗ ହେବା ପରେ ପୀଡିତା ଅଧ୍ୟାପିକାଙ୍କୁ ଭଡାଟିଆ ଗୁଣ୍ଡା ଲଗାଇ ଦୁଷ୍କର୍ମ କରାଇବାକୁ କଲେଜ ଅଧ୍ୟକ୍ଷ ଅଶୋକ କୁମାର ସାମନ୍ତରାୟ ଧମକ ଦେଇଥିବା ଅଭିଯୋଗ ହୋଇଛି ।










