16.1 C
Bhubaneswar
Tuesday, December 9, 2025
Homeଓଡିଶାନିବନ୍ଧନ ଅଧିକାରୀମାନେ ଉତ୍ତରଦାୟିତ୍ୱ ସହ ସ୍ୱଚ୍ଛ ଭାବେ ପଞ୍ଜିକରଣ କାର୍ଯ୍ୟ ସମ୍ପନ୍ନ କରିବା ଉଚିତ :...

ନିବନ୍ଧନ ଅଧିକାରୀମାନେ ଉତ୍ତରଦାୟିତ୍ୱ ସହ ସ୍ୱଚ୍ଛ ଭାବେ ପଞ୍ଜିକରଣ କାର୍ଯ୍ୟ ସମ୍ପନ୍ନ କରିବା ଉଚିତ : ମନ୍ତ୍ରୀ

ଭୁବନେଶ୍ୱର: ସରକାର ରାଜ୍ୟରେ ପଞ୍ଜିକରଣ ବ୍ୟବସ୍ଥାରେ ପ୍ରଯୁକ୍ତି ବିଦ୍ୟା, ପ୍ରଣାଳୀଗତ ପ୍ରକ୍ରିୟାର ପୁନର୍ଗଠନ ଓ ସେବା ପ୍ରଦାନ ପଦ୍ଧତିରେ ଆନ୍ତରିକତା ଓ ସ୍ୱଚ୍ଛତାର ସହ ଏକ ଉତ୍ତମ ରାଜସ୍ୱ ପ୍ରଶାସନର ଯୁଗ ଆରମ୍ଭ କରିଛନ୍ତି । ପୂର୍ବରୁ ସବ୍‌ରେଜିଷ୍ଟାରଙ୍କ କାର୍ଯ୍ୟାଳୟକୁ ପଞ୍ଜିକରଣ କାର୍ଯ୍ୟ ପାଇଁ ଆସୁଥିବା ସାଧାରଣ ଲୋକଙ୍କ ପ୍ରତିକ୍ରିୟା ଯଥେଷ୍ଟ ସନ୍ତୋଷଜନକ ନଥିଲା ଏବଂ ସେମାନଙ୍କ ପ୍ରଦାନ କରାଯାଉଥିବା ସେବାର ଗୁଣବତ୍ତା ଦ୍ୱାରା ସେମାନେ ନିରାଶ ହେଉଥିଲେ । ତେଣୁ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସଂସ୍କାର ଏବଂ ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ ହେଲା । ବର୍ତ୍ତମାନର ବ୍ୟବସ୍ଥା ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିଛି । ପରିବର୍ତ୍ତନ ଉପରେ ଆଧାରିତ ନିବନ୍ଧନ ବ୍ୟବସ୍ଥା ସାଧାରଣ ଜନତାଙ୍କ ମତାମତ ଦୃଷ୍ଟିକୋଣରୁ ସନ୍ତୋଷଜନକ ପ୍ରତ୍ୟୟ ହେଉଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଆୟୋଜିତ ନିବନ୍ଧନ ଅଧିକାରୀମାନଙ୍କର ରାଜ୍ୟସ୍ତରୀୟ ସମ୍ମିଳନୀ ଓ କର୍ମଶାଳା ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ରାଜ୍ୟର ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିବନ୍ଧକ, ଉପନିବନ୍ଧକମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ଲୋକଙ୍କ ସରକାରର ପ୍ରୟାସ ହେଉଛି ଜନସାଧାରଣଙ୍କୁ ସୁଶାସନ ଯୋଗାଇଦେବା । ରାଜସ୍ୱ ଅଧିକାରୀମାନେ ମୌଳିକ ସେବା ଯୋଗାଇଦେବା କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରିବା ଦରକାର ।

ବର୍ତ୍ତମାନ ରାଜ୍ୟରେ ସମସ୍ତ ପଞ୍ଜୀକରଣ କାର୍ଯ୍ୟ ଅନ୍-ଲାଇନ ମାଧ୍ୟମରେ କରାଯାଉଛି । ସମସ୍ତ ପଞ୍ଜୀକରଣ କାର୍ଯ୍ୟ ଶେଷ ପରେ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ଫିଡ୍ ବ୍ୟାକ ଗ୍ରହଣ କରାଯାଉଛି । ସାରା ରାଜ୍ୟରେ ନିବନ୍ଧନ କାର୍ଯ୍ୟରେ ଜନସାଧାରଣ ୮୮ % ଅନୁକୁଳ ମତ ଦେଇଥିବା ବେଳେ ମାତ୍ର ୧୨ % ନକରାତ୍ମକ ମତ ଦେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲା ମଧ୍ୟରୁ ପଞ୍ଜୀକରଣ କାର୍ଯ୍ୟରେ ଦେବଗଡ ଓ ସୁବର୍ଣ୍ଣପୂରରେ ଜନସାଧାରଣଙ୍କ ଫିଡ୍ ବ୍ୟାକ ଆଧାରରେ ସନ୍ତୋଷ ହାର ଶହେ ପ୍ରତିଶତ ଥିବାବେଳେ ବୌଦ୍ଧ, ସୁନ୍ଦରଗଡ, ନୟାଗଡ. ନବରଙ୍ଗପୂର, କଳାହାଣ୍ଡି, ଢେଙ୍କାନାଳ, ଜଗତସିଂହପୂର, ଝାରସୁଗୁଡା, ସମ୍ବଲପୂର ଓ କେନ୍ଦ୍ରାପଡାରେ ଏହି ଆଧାରିତ ହାର ନବେ ପ୍ରତିଶତରୁ ଊର୍ଦ୍ଧ୍ଵ ରହିଛି । ତେବେ ଆମକୁ ଆଗାମୀ ଦିନରେ ସମସ୍ତ ଜିଲ୍ଲାରେ ଜନସାଧାରଣଙ୍କୁ ଶତପ୍ରତିଶତ ସନ୍ତୋଷ ଜନକ ସେବା ଯୋଗାଇଦେବାକୁ ପଡିବ। ଜିଲ୍ଲାର ରେଜିଷ୍ଟ୍ରାର ମାନେ ଏସବୁ କାର୍ଯ୍ୟର ସଠିକ ତଦାରଖ କରିବା ଉଚିତ। ସମସ୍ତ କର୍ମଚାରୀଙ୍କର କାର୍ଯ୍ୟଦକ୍ଷତା କମ୍ପ୍ୟୁଟରୀକରଣ କରାଯାଇ ପଦୋନ୍ନତି ସମୟରେ ସେସବୁକୁ ଗୁରୁତ୍ୱ ଦିଆଯିବ । ରାଜସ୍ୱ ପ୍ରଶାସନ କ୍ଷେତ୍ରରେ ଅବହେଳା ଓ ଅନିୟମିତତାକୁ କୌଣସି ପ୍ରକାରେ ପ୍ରଶ୍ରୟ ଦିଆଯିବ ନାହିଁ । ଉଦ୍ଦେଶ୍ୟମୂଳକ ଭାବେ ଆଇନ ବହିର୍ଭୂତ କାର୍ଯ୍ୟକୁ ମଧ୍ୟ ଅଣଦେଖା କରାଯିବ ନାହିଁ । ସମସ୍ତ ପ୍ରକାର ବେଆଇନ କାର୍ଯ୍ୟକୁ କଠୋର ଭାବେ ଦଣ୍ଡିତ କରାଯିବ । ଆମ ମଧ୍ୟରେ ସକାରାତ୍ମକ ପ୍ରତିଯୋଗିତାର ଆବଶ୍ୟକତା ରହିଛି । ମନ୍ତ୍ରୀ ଶ୍ରୀ ପୂଜାରୀ ପୁଣି କହିଲେ ଯେ ଆମେ ସକରାତ୍ମକ ଦିଗରେ ଆଦର୍ଶ ସେବା ଦେବା ଦିଗକୁ ଅଗ୍ରସର ହେଉଛୁ । ଖୁବ୍‌ଶୀଘ୍ର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବୁ । ଆସନ୍ତୁ ଆମେ ସମସ୍ତେ ଲକ୍ଷ୍ୟ ପ୍ରାପ୍ତି ଦିଗରେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବା ଓ ରାଜସ୍ୱ ପ୍ରଶାସନକୁ ଲୋକାଭିମୁଖି କରାଇବା ଦିଗରେ ତତ୍ପର ହେବା ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୃହନିର୍ମାଣ, ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଲେ ଯେ ଲୋକଙ୍କ ସରକାର ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ, ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସଂକଳ୍ପବଦ୍ଧ । ରାଜସ୍ୱ ଅଧିକାରୀମାନେ ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ଦୂର କରି ଶାସନର ସୁଫଳ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଦିଗରେ ବ୍ରତୀ ହେବା ଉଚିତ । ସରକାର ଏବେ ସବ୍‌-ପ୍ଲଟ୍‌ ରେଜିଷ୍ଟ୍ରେସନ୍‌ ପାଇଁ ନୂଆ ନିୟମ ଆଣିଛନ୍ତି । ସେହିପରି ରେରା ପ୍ରତିଷ୍ଠା ହେବା ପୂର୍ବରୁ ପ୍ରତିଷ୍ଠିତ ଆପାର୍ଟମେଣ୍ଟ ପଞ୍ଜିକରଣ କ୍ଷେତ୍ରରେ ଯେଉଁ ଅସୁବିଧା ଥିଲା ସେସବୁ ଦୂର କରାଯାଉଛି । ଆମେ ଲୋକମାନଙ୍କର ଆବଶ୍ୟକତା ଅନୁଯାୟୀ ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦେବା ଦରକାର । ଆଇନର ପରିଧିରେ ରହି ଆମକୁ ପଞ୍ଜିକରଣ ସେବାକୁ ସୁଦୂରପ୍ରସାରୀ କରିହେବ ।

ପ୍ରାରମ୍ଭରେ ମହାନିବନ୍ଧକ ଶ୍ରୀ ସୁବ୍ରତ ଶତପଥି ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ ଉପସ୍ଥିତ ନିବନ୍ଧନ ଅଧିକାରୀମାନଙ୍କୁ କହିଲେ ଯେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ମାଧ୍ୟମରେ ଆଜି ପଞ୍ଜିକରଣ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇପାରିଛି । ଆମକୁ ଜନସାଧାରଣଙ୍କ ସେବାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିବାକୁ ପଡ଼ିବ । ଶେଷରେ ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀ ଦିଗନ୍ତ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking