ବେଜିଂ: ଚୀନ୍ ରାଜଧାନୀ ବେଜିଂ ସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ବୈଜ୍ଞାନିକମାନେ ମହୁମାଛିଙ୍କ ଏକ ଫୌଜ୍ (ସେନା) ଗଠନ ଦିଗରେ ପ୍ରୟାସ ଜାରି ରଖିଛନ୍ତି । ରିପୋର୍ଟ ଅନୁସାରେ ଚୀନ୍ ବୈଜ୍ଞାନିକମାନେ ଏବେ ମହୁମାଛିଙ୍କୁ ମିଲିଟାରୀ ଟ୍ରେନିଂ ଦେବା ଆରମ୍ଭ କରିଦେଇଛନ୍ତି । ମହୁମାଛିଙ୍କୁ ନିୟନ୍ତ୍ରଣ କରିବା ପାଇଁ ବୈଜ୍ଞାନିକମାନେ ସବୁଠାରୁ ଛୋଟ ମସ୍ତିଷ୍କ ନିୟନ୍ତ୍ରକ ତିଆରି କରିଛନ୍ତି । ଏହାର ଓଜନ ମାତ୍ର ୭୪ ମିଲିଗ୍ରାମ୍ । ଏହି ଉପକରଣକୁ ମହୁମାଛିର ପଛପଟେ ଲଗାଯାଏ, ତା’ପରେ ମସ୍ତିଷ୍କରେ ଏକ ପିନ୍ ଲଗାଇ ଏକ ବୈଦ୍ୟୁତିକ ନାଡ଼ି ଦ୍ୱାରା ଦିଗ ନିୟନ୍ତ୍ରିତ ହୁଏ ।
ଚୀନ୍ ବୈଜ୍ଞାନିକମାନେ କହିଛନ୍ତି ଯେ, ପ୍ରାୟ ୧୦ଟି ପରୀକ୍ଷଣରୁ ୯ ଥର, ମହୁମାଛିମାନେ ସଠିକ୍ ପ୍ରତିକ୍ରିୟା ଦେଖାଇଥିଲା । ଏହି ମହୁମାଛିମାନେ ମଣିଷ ଦ୍ୱାରା ତିଆରି ମିନି ଡ୍ରୋନ ଅପେକ୍ଷା ଭଲ କାମ କରୁଛନ୍ତି । ଏହାସହିତ, ସେମାନେ ଗୁପ୍ତ ସାମରିକ କାର୍ଯ୍ୟରେ ଅଧିକ ସକ୍ରିୟ ରହୁଥିବାରୁ ଆଗାମୀ ଦିନରେ ଏସବୁ ନିଶ୍ଚିତ ଭାବେ ପ୍ରଭାବଶାଳୀ ହେବେ । ଚୀନ୍ ଏହାକୁ ନିଜ ସେନାରେ ମଧ୍ୟ ନିୟୋଜିତ କରିପାରେ । ପ୍ରତିପକ୍ଷ ସୈନ୍ୟଙ୍କ ବିରୋଧରେ ଏହା ଏକ ବଡ଼ ମାରାତ୍ମକ ଅସ୍ତ୍ର ଭାବେ ମଧ୍ୟ ବ୍ୟବହାର ହୋଇପାରେ । ବ୍ୟାଟେରୀର ଆକାର ଛୋଟ ଥିବା ଯୋଗୁଁ, ଏହି ଡିଭାଇସ୍ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ତେବେ ଏହା ଉପରେ ଚୀନ୍ ବୈଜ୍ଞାନିକମାନେ କାମ ଆରମ୍ଭ କରିଦେଇଛନ୍ତି ।










