21.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶୟୁକ୍ରେନ୍ ଉପରେ ରୁଷ୍‌ର ପ୍ରଚଣ୍ଡ ଆକ୍ରମଣ

ୟୁକ୍ରେନ୍ ଉପରେ ରୁଷ୍‌ର ପ୍ରଚଣ୍ଡ ଆକ୍ରମଣ

ମସ୍କୋ: ଟ୍ରମ୍ପ୍‌ଙ୍କ ସହ ଆଲୋଚନା ହେବାର କିଛି ସମୟ ମଧ୍ୟରେ ହିଁ ଶୁକ୍ରବାର ରୁଷ୍‌, ୟୁକ୍ରେନ୍ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିବା ସୂଚନା ମିଳିଛି । ରୁଷ୍‌ର ଏହି ଆକ୍ରମଣରେ ୟୁକ୍ରେନ୍‌ର ରାଜଧାନୀ କିଭ୍ ଛାରଖାର ହୋଇଯାଇଛି । କିଭ୍ ସ୍ଥିତ ଆବାସିକ ଅଞ୍ଚଳ ଏବଂ ବିଭିନ୍ନ ସହର ଉପରେ ରୁଷ୍ ସେନା ପକ୍ଷରୁ ଏହି ଆକ୍ରମଣ ହୋଇଛି । ୟୁକ୍ରେନ୍ ପକ୍ଷରୁ ମିଳିଥିବା ସୂଚନାନୁସାରେ ଦୀର୍ଘ ୬ ଘଣ୍ଟା ଧରି ରୁଷ୍ ପକ୍ଷରୁ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଛି । ଏଥିରେ କିଭ୍ ବିମାନବନ୍ଦର ତଥା ଅନ୍ୟ ବଡ଼ ବଡ଼ ଅଟ୍ଟାଳିକାଗୁଡ଼ିକ ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇଛି । କ୍ଷେପଣାସ୍ତ୍ର ମାଡ଼ରେ ବିମାନବନ୍ଦରର ବହୁ ଅଞ୍ଚଳ ଧ୍ୱଂସ ହୋଇଛି ।

କିଭ୍ ମେୟର ଭିଟାଲି କ୍ଲିଟସ୍କୋଙ୍କ ଅନୁଯାୟୀ, ଏହି ଆକ୍ରମଣରେ ଅତି କମରେ ୨୩ ଜଣ ଆହତ ହୋଇଛନ୍ତି, ଯେଉଁଥିରୁ ୧୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଭ୍ ସାମରିକ ପ୍ରଶାସନ ମୁଖ୍ୟ ତାଇମୁର କାଚେଙ୍କୋ କହିଛନ୍ତି ଯେ, ୫ଟି ଜିଲାର ୧୩ଟି ସ୍ଥାନରେ ଡ୍ରୋନ ଦ୍ୱାରା ଆକ୍ରମଣ ହୋଇଛି । ତେବେ ଅନେକ ଟାର୍ଗେଟକୁ ନିଷ୍ଫଳ କରାଯାଇଛି । ୟୁକ୍ରେନୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ୨ଟି କ୍ରୁଜ କ୍ଷେପଣାସ୍ତ୍ର ସମେତ ୨୭୯ ଟି ଡ୍ରୋନକୁ ଖସାଇ ଦେଇଥିବା ଦାବି କରିଛି । ଅନ୍ୟପକ୍ଷେ ରୁଷ୍ ପକ୍ଷରୁ ମଧ୍ୟ ଏହି ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରାଯାଇଛି । ରୁଷ୍ ବାୟୁସେନା କହିଛି ଯେ, ରାତାରାତି ୫୫୦ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସହିତ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଏଥିମଧ୍ୟରୁ ଅଧିକାଂଶ ଶାହିଦ ଡ୍ରୋନ ଥିଲା, ଏହା ସହିତ ୧୧ ଟି କ୍ଷେପଣାସ୍ତ୍ର ମଧ୍ୟ ବ୍ୟବହାର କରାଯାଇଥିଲା ।

୨୦୨୨ ଫେବ୍ରୁଆରୀରୁ ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି, ଯାହାକି ଏବେ ବି ଜାରି ରହିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ତଥା ଅସ୍ତ୍ରବିରତି ପାଇଁ ହେଉଥିବା ଆଲୋଚନାରେ ସାମାନ୍ୟତମ ଅଗ୍ରଗତି ହେଉଥିବା ସମୟରେ ହଠାତ ୟୁକ୍ରେନ ପକ୍ଷରୁ ରୁଷ୍‌ର ଆଭ୍ୟନ୍ତରୀଣ ଅଞ୍ଚଳରେ ଗୁପ୍ତ ଡ୍ରୋନ ଦ୍ୱାରା ବଡ଼ ଧରଣର ଆକ୍ରମଣ କରାଯାଇ ରୁଷର ୪୧ ଯୁଦ୍ଧ ବିମାନକୁ ଧ୍ୱଂସ କରିଦିଆଯାଇଥିଲା । ଏହା ପରଠାରୁ ରୁଷ୍ ଅଧିକ ହିଂସ୍ର ହୋଇ ଆକ୍ରମଣ ଚଳାଇଛି । ଯୁଦ୍ଧ ହ୍ରାସ ପାଇବା ବଦଳରେ ଅଧିକ ତୀବ୍ର ହେବାରେ ଲାଗିଛି । ଶୁକ୍ରବାର ରୁଷ୍‌, ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପୂର୍ବରୁ ମଧ୍ୟ ୟୁକ୍ରେନ୍ ସେନା ରୁଷ୍ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ରୁଷ୍‌ର ଜଣେ ନୌସେନା ଉପମୁଖ୍ୟ ପ୍ରାଣହରାଇଥିଲେ । ଏହାକୁ ନେଇ ରୁଷ୍ ଏବେ ଅଧିକ ପ୍ରତିଶୋଧପରାୟଣ ହୋଇପଡିଛି ।

ଗୋଟିଏ ପଟେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ରୋକିବା ଦିଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରୟାସ ଜାରି ରଖିଛନ୍ତି । ଉଭୟ ଦେଶ ମଧ୍ୟରେ ଶାନ୍ତି ଆଲୋଚନା କରାଇବା ପାଇଁ ଟ୍ରମ୍ପ୍ ଉଭୟ ପକ୍ଷଙ୍କ ସହ ଆଲୋଚନା କରୁଛନ୍ତି । ଶୁକ୍ରବାର ମଧ୍ୟ ଟ୍ରମ୍ପ୍ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କ ସହ ଘଣ୍ଟାଧିକ କାଳ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । ଅବଶ୍ୟ ଟ୍ରମ୍ପ୍ ଏବଂ ପୁତିନ୍‌ଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇନାହିଁ । ନିଜେ ଟ୍ରମ୍ପ୍ ଏସମ୍ପନର୍କରେ ସୂଚନା ଦେଇଛନ୍ତି । ଟ୍ରମ୍ପ୍ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ, ପୁତିନ୍ ତାଙ୍କ (ଟ୍ରମ୍ପ୍‌) ନିସର୍ତ୍ତ ଅସ୍ତ୍ରବିରତିଜନିତ ଶାନ୍ତି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି । ରୁଷ୍ ନିଜ ଲକ୍ଷ୍ୟ ହାସଲ କରିବ ବୋଲି ପୁୂତିନ୍ ଆଲୋଚନାରେ ସ୍ପଷ୍ଟ କରିଛନ୍ତି । ମିଶନ୍ ସମାପ୍ତ ନହେବା ପର୍ଯ୍ୟନ୍ତ ୟୁକ୍ରେନ୍ ଉପରେ ଆକ୍ରମଣ ବନ୍ଦ ହେବ ନାହିଁ ବୋଲି ପୁତିନ୍ ତାଙ୍କୁ କହିଥିବା ଟ୍ରମ୍ପ୍ ଉଲ୍ଲେଖ କରିଛନ୍ତି । ପ୍ରକାଶ, ଟ୍ରମ୍ପ୍‌ଙ୍କ ସହ ଫୋନ୍‌ରେ କଥା ହେବା ପାଇଁ ପୁତିନ୍ ଏକ କାର୍ଯ୍ୟକ୍ରମ ଅଧାରୁ ଉଠି ଚାଲିଆସିଥିଲେ । ଚଳିତ ବର୍ଷ ବର୍ଷ ଟ୍ରମ୍ପ୍ ଏବଂ ପୁଟିନଙ୍କ ମଧ୍ୟରେ ଏହା ଷଷ୍ଠ ଆଲୋଚନା ଥିଲା । ଦୁଇ ନେତା ରୁଷ୍‌-ଆମେରିକା ସମ୍ପର୍କ, ମଧ୍ୟପ୍ରାଚ୍ୟ ପରିସ୍ଥିତି ଏବଂ ଏହି ସମସ୍ତ ପ୍ରସଙ୍ଗ ଉପରେ ଖୋଲାଖୋଲି ଆଲୋଚନା କରିଥିଲେ । ତଥାପି, ପୁତିନ୍ ୟୁକ୍ରେନକୁ ଆମେରିକା ଆଉ ଅସ୍ତ୍ରଶସ୍ତ୍ର ଦେବନାହିଁ ପ୍ରସଙ୍ଗ ଉପରେ କୌଣସି ମନ୍ତବ୍ୟ ଦେଇନଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking