ବେଙ୍ଗାଲୁରୁ : ରିଲ୍ସ ବନାଇଥାନ୍ତେ, ସୋସିଆଲ ମିଡିଆରେ ଅପଲୋଡ କରିଥାନ୍ତେ । ଆଉ ତା ପରେ ଆସିଥାନ୍ତା ଲାଇକ୍ସ ଓ କମେଣ୍ଟ୍ସ । ହେଲେ ତା ପୂର୍ବରୁ ଘଟିଗଲା ବଡ ଅଘଟଣ । ରିଲ୍ସ କରିବା ହେଲା କାଳ । ରିଲ୍ସ କରିବା ବେଳେ ଏକ ନିର୍ମାଣାଧୀନ ବିଲ୍ଡିଂର ୧୩ତମ ମହଲାରୁ ଖସି ପଡିଲେ ଜଣେ ୨୦ ବର୍ଷୀୟ ଯୁବତୀ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଅଘଟଣ ଘଟିଛି ବେଙ୍ଗାଲୁରୁର ପରପ୍ପନା ଆଗ୍ରାହରରେ । ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଯୁବତୀ ଜଣକ ତାଙ୍କ ପୁଅ ଓ ଝିଅ ସାଙ୍ଗମାନଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ପାର୍ଟି କରିବା ପାଇଁ ଉକ୍ତ ବିଲ୍ଡିଂକୁ ଯାଇଥିଲେ । ହେଲେ ସେଠାରେ ସମ୍ପର୍କକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ।
ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଯାହା ପରେ ଯୁବତୀ ଜଣକ ଭାବବିହ୍ୱଳପୂର୍ଣ୍ଣ ରିଲ୍ସ ସୁଟିଂ କରିବା ପାଇଁ ସେହି ବିଲ୍ଡିଂର ଛାତ ଉପରକୁ ପଳାଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେ ତଳକୁ ଖସି ପଡିଥିଲେ । ତେବେ ଏହି ଘଟଣା ପରେ ତାଙ୍କ ବନ୍ଧୁମାନେ ଘଟଣାସ୍ଥଳରୁ ପଳାଇଥିଲେ । ମୃତ ଯୁବତୀଙ୍କ ଘର ବିହାରରେ ହୋଇଥିବା ବେଳେ ସେ ବେଙ୍ଗାଲୁରୁରେ ଏକ ସପିଂ ମାର୍ଟରେ ଚାକିରି କରୁଥିଲେ । ଦକ୍ଷିଣ-ପୂର୍ବ ଡିସିପି ଫାତିମା ନିଶ୍ଚିତ କରି କହିଛନ୍ତି ଯେ, ସେମାନେ ନିର୍ମାଣାଧିନ ବିଲ୍ଡିଂରେ ପାର୍ଟି କରୁଥିଲେ । ପରେ ରିଲ୍ସ କରିବା ପାଇଁ ଛାତ ଉପରକୁ ଯାଇଥିଲେ ଓ ସେଠାରେ ଗୋଡ ଖସି ଯିବାରୁ ତଳେ ପଡି ଯାଇଥିଲେ । ହେଲେ, ରିଲେସନକୁ ସମସ୍ୟା ଥିବା ଆମେ ନିଶ୍ଚିତ ନୁହେଁ । ଘଟଣାର ତଦନ୍ତ ଚାଲିଛି । ଅସ୍ୱାଭାବିକ ମୃତ୍ୟୁ ଅଭିଯୋଗରେ ଏକ କେସ୍ ରୁଜୁ ହୋଇଛି । ପାରିପାର୍ଶ୍ବିକ ପରିସ୍ଥିତିକୁ ନଜରରେ ରଖି ଘଟଣାର ଛାନଭିନ ଆରମ୍ଭ କରିଛି ପରପ୍ପନା ଆଗ୍ରାହର ପୋଲିସ୍ ।










