31.1 C
Bhubaneswar
Friday, February 6, 2026
Homeଓଡିଶାବିଧାନସଭା ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧଦିବସ ପାଳିତ

ବିଧାନସଭା ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର: ମାନବସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ନିରାଶ୍ରୟ ଓ ନିଃସହାୟ ବ୍ୟକ୍ତିମାନଙ୍କର ସେବାକରି ନିଜର ସେବା ମନୋବୃତ୍ତିକୁ ଯେଭଳି ଚରିତାର୍ଥ କରିଥିଲେ, ସେଭଳି ଯୁବସମାଜକୁ ଆଦର୍ଶ ମାର୍ଗରେ ଗଢ଼ିତୋଳିବା ପାଇଁ ସର୍ବଦା ତତ୍ପର ଥିଲେ । ବନ୍ୟା, ବାତ୍ୟା, ମରୁଡ଼ି, ଦୁର୍ବିପାକରେ ପ୍ରପୀଡ଼ିତ ଜନତାଙ୍କୁ ନିଃସ୍ୱାର୍ଥ ସେବା, ସାହାଯ୍ୟ ଓ ସହାନୁଭୂତି ଯୋଗାଇଦେଇ ପଣ୍ଡିତ ଗୋପବନ୍ଧୁ ମାନବୀୟ ଗୁଣ ଏବଂ ଚିନ୍ତା-ଚେତନାରେ ଉତ୍କଳୀୟ ଭାବନା ରଖି ଜାତୀୟତାର ଉଦାହରଣ ସୃଷ୍ଟି କରିଯାଇଛନ୍ତି ।

ଲାଲା ଲାଜପତ ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ପରିଚାଳିତ ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ଭାବେ ପଣ୍ଡିତ ଗୋପବନ୍ଧୁ ମନୋନୀତ ହୋଇଥିଲେ । ତା’ପରେ ସେ ସତ୍ୟବାଦୀ ପ୍ରେସ୍‌ ଓ ସମାଜ ଅନୁଷ୍ଠାନକୁ ଲୋକସେବକ ମଣ୍ଡଳକୁ ହସ୍ତାନ୍ତର କରିଥିଲେ ଓ ନିଜେ ଏହି ଅନୁଷ୍ଠାନର ଉପସଭାପତି ହୋଇଥିଲେ । ୧୯୨୮ ଜୁନ୍‌ ୧୭ ତାରିଖ (ନେତ୍ରୋତ୍ସବ ତିଥି)ରେ ପଣ୍ଡିତ ଗୋପବନ୍ଧୁଙ୍କ ଘଟଣାବହୁଳ କର୍ମମୟ ଜୀବନର ଅବସାନ ଘଟିଥିଲା । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧଦିବସ ପାଳନ ଅବସରରେ ଆଜି ବିଧାନସଭା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମତ୍ସ୍ୟ ଓ ପ୍ରାଣିସଂପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ, ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ଉତ୍କଳ ସମ୍ମିଳନୀର କାର୍ଯ୍ୟକର୍ତ୍ତା, ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତଙ୍କ ସମେତ ବିଧାନସଭାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ଶାଶ୍ୱତୀ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ପରିବେଷିତ ହୋଇଥିଲା । ସୁଶ୍ରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking