29.1 C
Bhubaneswar
Tuesday, February 10, 2026
Homeଓଡିଶାଗଞ୍ଜାମରେ ୧୨ ଶିଳ୍ପ ପ୍ରକଳ୍ପ ଖୁବ୍‌ଶୀଘ୍ର

ଗଞ୍ଜାମରେ ୧୨ ଶିଳ୍ପ ପ୍ରକଳ୍ପ ଖୁବ୍‌ଶୀଘ୍ର

-୨୮ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିନିଯୋଗ
– ୧୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି
– ଗଞ୍ଜାମ ଜିଲ୍ଲା ପାଇଁ ସମୃଦ୍ଧିର ନୂଆ ରାସ୍ତା

ଭୁବନେଶ୍ୱର: ଗ୍ରୀନ୍ ହାଇଡ୍ରୋଜେନ୍‌, କେମିକାଲ୍‌ସ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ସହିତ ଗଞ୍ଜାମ ଜିଲ୍ଲା ଏବେ ଶିଳ୍ପାୟନ କ୍ଷେତ୍ରରେ ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିବାକୁ ଯାଉଛି। ଏହା ଦ୍ୱାରା ୧୫ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ଏବଂ ମେକ୍ ଇନ୍ ଓଡିଶା ୨୦୨୫ର ଅଭୂତପୂର୍ବ ସଫଳତାର ଶ୍ରେୟ ଏହି ୪ ମାସ ମଧ୍ୟରେ ଆମକୁ ମିଳିଛି। ଆଜି ଗଞ୍ଜାମ ଜିଲ୍ଲା ଶିଳ୍ପ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଗଞ୍ଜାମ ଜିଲ୍ଲା ପାଇଁ ସମୃଦ୍ଧିର ଏକ ନୂଆ ରାସ୍ତା ଖୋଲିଛି।

ଗୁରୁବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଛତ୍ରପୁର ଠାରେ ସମୁଦାୟ ୧୨ଟି ଶିଳ୍ପ ପାଇଁ ୨୮ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ କହିଛନ୍ତି ଯେ ଆମର କଥା ଓ କାମ ସମାନ। ଓଡ଼ିଶାର ସୁନେଲି ଭବିଷ୍ୟତ ପାଇଁ ଆମେ ଯେଉଁ ଲକ୍ଷ୍ୟ ରଖିଛୁ, ତାହା ନିଶ୍ଚିତ ରୂପେ ପୂରଣ ହେବ। ଯାଜପୁର କଳିଙ୍ଗ ନଗରରେ ୭୦ ହଜାର କୋଟି ଟଙ୍କାର ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା। ଗତକାଲି ଢେଙ୍କାନାଳରେ ୫୦ ହଜାର କୋଟି ଟଙ୍କାର ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି। ଆଉ ଆଜି ଏଠାରେ ପ୍ରାୟ ୩୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ୫ ମାସ ମଧ୍ୟରେ ଆମେ ଦେଢ଼ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିଛୁ ଏବଂ ଏହା ଦ୍ୱାରା ପ୍ରାୟ ୯୦ ହଜାର ନିଯୁକ୍ତି ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ଏକ ବନ୍ଦରଭିତ୍ତିକ ଶିଳ୍ପ ବିକାଶ ପାଇଁ ଆମର ଲକ୍ଷ୍ୟ ରହିଛି। ବର୍ତ୍ତମାନ ଯେଉଁ ୩ଟି ବନ୍ଦର ଅଛି, ତା ବ୍ୟତୀତ ଆଉ ୩-୪ ଟି ବନ୍ଦର ମଧ୍ୟ ପ୍ରତିଷ୍ଠା କରାଯିବ। କେନ୍ଦ୍ର ସରକାର ରେଳ ଓ ରାଜପଥ କ୍ଷେତ୍ରରେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁରି ଦେଇଛନ୍ତି। ଓଡ଼ିଶାରେ ମଧ୍ୟ ଆମେ ୭୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡ଼କ ନିର୍ମାଣ କରିବୁ।

ଏହା ସହିତ ଅନେକ ଶିଳ୍ପ କରିଡର ମଧ୍ୟ ଗଠନ କରାଯିବ। ଏହା ଦ୍ୱାରା ଶିଳ୍ପ ପ୍ରତିଷ୍ଠା ପାଇଁ ଯାହା ସବୁ ମୌଳିକ ଆବଶ୍ୟକତା ରହିଛି, ତାହା ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ମିଳିପାରିବ। ଆଗାମୀ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଯାହା ଆବଶ୍ୟକ, ଆମେ ସେ ସବୁ ଉଦ୍ୟମ କରୁଛୁ। ଆମର ଯୁବଶକ୍ତି ଉପରେ ମୋର ସମ୍ପୂର୍ଣ୍ଣ ଭରସା ରହିଛି। ଆମର ସ୍ୱପ୍ନ ପୂରଣ ଦିଗରେ ଆମର ଯୁବଶକ୍ତି ହିଁ ହେବ ମୁଖ୍ୟ ସାରଥି। ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ପାଇଁ ଦକ୍ଷତା ଆବଶ୍ୟକ। ତେଣୁ ଯୁବ ବର୍ଗ ଯେପରି ଦକ୍ଷ ହେବେ, ଆଧୁନିକ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ପାଇଁ ଯୋଗ୍ୟ ହେବେ, ସେଥିପାଇଁ ଆମେ ଆମର ୱାର୍ଲ୍ଡ ସ୍କିଲ ସେଣ୍ଟରର ୪ଟି କେନ୍ଦ୍ର ପ୍ରତିଷ୍ଠା କରିବୁ। ଆଧୁନିକ ଦକ୍ଷତା ପାଇଁ ଆମେ ସିଙ୍ଗାପୁରର ଆଇଟିଇଇଏସ୍ ସହିତ ପାର୍ଟନରସିପ୍ କରିଛୁ। ସବୁ ଆଇଟିଆଇ ଗୁଡିକର ଉନ୍ନତିକରଣ କରାଯାଇ ସେଥିରେ ଆଧୁନିକ ସ୍କିଲ୍ ଶିକ୍ଷା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ଓ ସମସ୍ତ ବିଧାୟକ ଗଣ ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ, ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking