ଯାଜପୁର: ଯାଜପୁର ଆଦିବାସୀମାନେ ପ୍ରକୃତି ପୂଜକ। ଜଙ୍ଗଲକୁ ନେଇ ସେମାନଙ୍କ ଜୀବିକା। କିନ୍ତୁ ପେଟ ପୋଷିବା ନାଁରେ ସେମାନେ ଦୁର୍ଭାଗ୍ୟଜନକ ଭାବେ ଉଜାଡ଼ୁଛନ୍ତି ଜଙ୍ଗଲ। କର୍ମସଂସ୍ଥାନ ବାହାନାରେ ବିପର୍ଯ୍ୟସ୍ତ ହେଉଛି ପରିବେଶ। ସାମାନ୍ୟ ରୋଜଗାର ବଦଳରେ ସତ୍ତା ହରାଉଛି ସବୁଜିମା। କଟକ ବନଖଣ୍ଡ ସୁକିନ୍ଦା ଓ ଟମକା ବନାଞ୍ଚଳର ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଇଲାକାରେ ଜଙ୍ଗଲରୁ ଗଛକଟାକୁ ଜୀବିକା କରିଛନ୍ତି ୨ଶହରୁ ଅଧିକ ପରିବାର।
ମହିଳା ଓ ପୁରୁଷମାନେ ଦଳଦଳ ହୋଇ ଟାଙ୍ଗିଆ କଟୁରି ଧରି ଜଙ୍ଗଲ ଯାଉଥିବା ଓ କାଠଗୋଛା ଧରି ଫେରୁଥିବାର ଦୃଶ୍ୟ ସାଧାରଣ ହୋଇଗଲାଣି। ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲା ସୀମାନ୍ତ ଉପାନ୍ତ ଇଲାକାରେ ଶହଶହ ପରିବାର ଏଭଳି ଧ୍ବଂସାଭିମୁଖୀ ଜୀବିକାକୁ ଆପଣାଇଛନ୍ତି। ପାରମ୍ପରିକ ଭାବେ ଜଙ୍ଗଲ ପଦା କରୁଛନ୍ତି। ପ୍ରକୃତିପ୍ରେମୀ ଆଦିବାସୀମାନେ ଜଙ୍ଗଲକୁ ମାଆ ବୋଲି କହୁଥିଲେ ହେଁ ବାସ୍ତବରେ ଏହାର ଦୃଶ୍ୟ ନଗଣ୍ୟ। ଜୀବଦଶାରେ ଗୋଟିଏ ହେଲେ ବି ଗଛଚାରା ଲଗାଇ ଏହାକୁ ବଞ୍ଚାଇପାରିନଥିବା ବ୍ୟକ୍ତି ତା’ ଜୀବଦଶାରେ ୧୦ ରୁ ୫୦ ହଜାର ଦ୍ରୁମ କାଟୁଥିବା ଜଣାପଡ଼ିଛି। ଯାହାକି ଉଦ୍ବେଗଜନକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ପୂର୍ବରୁ ଜଙ୍ଗଲକୁ ଲାଗିକରି ଜନବସତି ଗଢ଼ି ଉଠିଥିଲା। ହିଂସ୍ର ବନ୍ୟଜନ୍ତୁ ଥାଇ ଘଞ୍ଚ ଜଙ୍ଗଲରେ ଲୋକେ ଖାପଖୁଆଇ ଚଳୁଥିଲେ। ଏବେ ସେହି ବସ୍ତି ଅଛି ହେଲେ ଜଙ୍ଗଲ ଘୁଞ୍ଚିଘୁଞ୍ଚି ଯାଉଛି। ସ୍ଥଳ ବିଶେଷରେ ବସ୍ତି ଠାରୁ ଜଙ୍ଗଲ ଦୂରତା ୫ ରୁ ୧୫ କିଲୋମିଟର ଲମ୍ବି ଗଲାଣି। ଉଜୁଡ଼ା ଜଙ୍ଗଲର କ୍ଷେତ୍ରଫଳ ବଢ଼ି ଚାଲିଛି। ଏକଦା ରାଁସୋଳ ସେକ୍ସନ ଅନ୍ତର୍ଗତ ମହ୍ଲାରସାହିସ୍ଥିତ ମାଙ୍କେଡ଼ିଆ ବସ୍ତି ପାଖରେ ଘଞ୍ଚ ଜଙ୍ଗଲ ଥିଲା। ଏବେ ଗଛଟିଏ ବି ଦେଖିବାକୁ ମିଳୁନି। ସତୁରୀ ଦଶକରେ ମାତ୍ର ୧୦ ଟି ମାଙ୍କିଡ଼ିଆ ପରିବାର ବସବାସ କରୁଥିଲେ। ଏବେ ବସ୍ତିରେ ଦେଢ଼ଶହରୁ ଅଧିକ ପରିବାର। ତନ୍ମଧ୍ୟରୁ ୫୦ରୁ ଅଧିକ ପରିବାର ନିୟମିତ କାଠ କାଟି ଚଳୁଛନ୍ତି। ଜଙ୍ଗଲରୁ ଗଛ କାଟିବା ସେମାନଙ୍କର ପେସା ହୋଇଯାଇଛି। ସେମାନେ ଯୋଜନାବଦ୍ଧ ଭାବେ ଅବହେଳିତ ଜଙ୍ଗଲକୁ ଟାର୍ଗେଟ୍ କରି କାଠ କାଟିଥାନ୍ତି। ବନ କଟକଣାରୁ ବର୍ତ୍ତିବା ପାଇଁ ପ୍ରଥମେ ଗଛକୁ କାଟି ବକ୍କଳ ଛଡ଼ାଇ ଦେଇଥାନ୍ତି। ଜଙ୍ଗଲରେ ଏହା ଶୁଖିବା ପର୍ଯ୍ୟନ୍ତ ଛାଡ଼ି ଦେଇଥାନ୍ତି। ସୁଯୋଗ ଉଣ୍ଡି ଗଣ୍ଡିଚିରି କାଠ ବୋହି ଆଣିଥାନ୍ତି। ପାରିବା ପର୍ଯ୍ୟନ୍ତ ଗଛ ହାଣୁଥିଲେ ହେଁ ସେମାନଙ୍କ ଘର ନିର୍ମାଣ କିମ୍ବା ଚଳଣିରେ କାଠର ବ୍ୟବହାର ଦେଖିବାକୁ ମିଳେନା। ଏପରିକି କୁଡ଼ିଆରେ ଲୁଣ କାଠୁଆ ଭଳି ଘରକରଣା ଜିନିଷ ଦେଖାଯାଏନି। ଅଧିକାଂଶ ୩ ପୁରୁଷ ଧରି ନିରକ୍ଷର। ଅମ୍ଳଜାନ, ପରିବେଶ କିମ୍ବା ମହାଜାଗତିକ ଉଷ୍ମତା ବୁଝନ୍ତିନି। ବାଟରେ ଧରାପଡ଼ିଲେ ଫରେଷ୍ଟର କାଠ, ଟାଙ୍ଗିଆ, କଟୁରି ଓ ସାଇକଲ ଛଡ଼ାଇନେବା ଜାଣିଥିଲେ ମଧ୍ୟ ସେମାନେ ବନ ସଂରକ୍ଷଣ ଆଇନ ବୁଝନ୍ତିନି। ବିଲୁପ୍ତ ଆଦିମ ଜନଜାତିଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ବହୁମୁଖୀ ସରକାରୀ ଯୋଜନା ରହିଥିଲେ ମଧ୍ୟ ସେମାନେ ଉପେକ୍ଷିତ। ଉଜ୍ଜଳା ହିତାଧିକାରୀଙ୍କ ଘରୁ ଗ୍ୟାସ ସିଲିଣ୍ଡର ଓ ଚୁଲା ଉଭାନ ହୋଇଗଲାଣି। ଜୀବିକା ପାଇଁ ଜୀବନକୁ ବାଜି ଲଗାଉଥିବା ଅଧିକାଂଶ କାଠୁରିଆ ମାଫିଆଙ୍କ ନିୟନ୍ତ୍ରଣରେ ରହିଛନ୍ତି।
ଏ ପ୍ରସଙ୍ଗରେ ବନପାଳ ରାମ ତିରିଆଙ୍କୁ ପଚାରିବାରେ ଅତୀତରେ ଏଭଳି ବହୁ କାଠୁରିଆଙ୍କଠୁ ଟାଙ୍ଗିଆ, କଟୁରି ଓ ସାଇକଲ ଜବତ ହୋଇଥିଲେ ମଧ୍ୟ ସେମାନଙ୍କ ଠାରୁ ଜରିମାନା ଆଦାୟ କିମ୍ବା କାର୍ଯ୍ୟାନୁଷ୍ଠାନର ହାର ନଗଣ୍ୟ ବୋଲି କହନ୍ତି। ଅଭିଯୁକ୍ତ କାଠୁରିଆମାନେ ସାଇକଲ ମୁକୁଳାଇବାକୁ ଆସୁନଥିବା କିମ୍ବା ଜେଲରେ ଥିଲେ ଜାମିନ ଆବେଦନ କରୁନଥିବା କହିଥିଲେ।










