31.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶହାଭାର୍ଡର ଏସ୍‌ଇଭିପି ପ୍ରତ୍ୟାହାର କରିନେଲା ଟ୍ରମ୍ପ୍ ପ୍ରଶାସନ; ବିଦେଶୀ ଛାତ୍ରଙ୍କୁ ହାଭାର୍ଡ ମନା

ହାଭାର୍ଡର ଏସ୍‌ଇଭିପି ପ୍ରତ୍ୟାହାର କରିନେଲା ଟ୍ରମ୍ପ୍ ପ୍ରଶାସନ; ବିଦେଶୀ ଛାତ୍ରଙ୍କୁ ହାଭାର୍ଡ ମନା

– ଟ୍ରମ୍ପ୍ ପ୍ରଶାସନ ବିରୁଦ୍ଧରେ କୋର୍ଟର ଦ୍ୱାରସ୍ଥ ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ
– ଭର୍ତ୍ସନା କଲେ ଚୀନ୍ ସମେତ ବିଶ୍ୱର ଅନେକ ରାଷ୍ଟ୍ର
– ପ୍ରଭାବିତ ହେବେ ୮୦୦ ଭାରତୀୟଙ୍କ ସମେତ ୭ହଜାର ଛାତ୍ରଛାତ୍ରୀ

ୱାଶିଂଟନ୍‌: ହାଭାର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ଚାଲିଥିବା ବିବାଦର ଏକ ଅତ୍ୟନ୍ତ କଦର୍ଯ୍ୟ ତଥା ବିଭ୍ରାନ୍ତିକର ପରିଣାମ ସାମ୍ନାକୁ ଆସିଛି। ନିଜର ରାଷ୍ଟ୍ରପତି ପଦର କ୍ଷମତାକୁ ଅପବ୍ୟବହାର କରିବା ପୂର୍ବକ ଟ୍ରମ୍ପ୍ ହାଭାର୍ଡ ବିଶ୍ୱବିଦ୍ୟାଳୟର ଏସ୍‌ଇଭିପି (ଷ୍ଟୁଡେଣ୍ଟ୍ ଆଣ୍ଡ୍ ଏକ୍ସଚେଞ୍ଜ୍ ଭିଜିଟ୍‌ର ପ୍ରୋଗ୍ରାମ୍ ସାର୍ଟିଫିକେସନ୍‌) ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ଏହି ବିଶ୍ୱବିଦ୍ୟାଳୟରେ ଏଣିକି ବିଦେଶୀ ଛାତ୍ରଛାତ୍ରୀମାନଙ୍କ ନାମଲେଖା ଉପରେ ସ୍ୱତଃପ୍ରବୃତ୍ତ ଭାବେ ନିଷେଧାଦେଶ ଲାଗୁ ହୋଇଯାଇଛି। ତେବେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି ହାଭାର୍ଡ ବିଶ୍ୱବିଦ୍ୟାଳୟ। ବିଶ୍ୱବିଦ୍ୟାଳୟ ପକ୍ଷରୁ ଟ୍ରମ୍ପ୍ ପ୍ରଶାସନ ବିରୋଧରେ ବୋଷ୍ଟନ୍‌ର ଫେଡେରାଲ୍ କୋର୍ଟରେ ମାମଲା ମଧ୍ୟ ରୁଜୁ କରାଯାଇଥିବା ସୂଚନା ମିଳିଛି। ଅନ୍ତର୍ଜାତୀୟ ଛାତ୍ରଙ୍କ ନାମଲେଖା ବନ୍ଦକରିବା ପରେ ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବ୍ୟତୀତ ଅନ୍ୟ କିଛି ଉପାୟ ନାହିଁ ବୋଲି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ କହିଛନ୍ତି। ବିଶ୍ୱବିଦ୍ୟାଳୟ ସଭାପତି ଆଲାନ୍ ଗାର୍ବର୍ କହିଛନ୍ତି ଯେ ଟ୍ରମ୍ପ୍ ପ୍ରଶାସନର ଏହି ପଦକ୍ଷେପ “ଆମର ଶୈକ୍ଷିକ ସ୍ୱାଧୀନତାକୁ ପରିତ୍ୟାଗ କରିବାକୁ ଏବଂ ଆମର ପାଠ୍ୟକ୍ରମ, ଆମର ଅଧ୍ୟାପକ ଏବଂ ଆମର ଛାତ୍ର ସଂଗଠନ ଉପରେ ସଂଘୀୟ ସରକାରଙ୍କ ଅବୈଧ ନିୟନ୍ତ୍ରଣ ଦାବି ଆଗରେ ମୁଣ୍ଡ ନୁଆଁଇବାକୁ ଆମେ ମନା କରିବାର ପ୍ରତିଶୋଧ।’

ଅନ୍ୟପକ୍ଷେ ଟ୍ରମ୍ପ୍ ସରକାରଙ୍କ ପକ୍ଷରୁ ଏକ ଅଯୌକ୍ତିକ ଯୁକ୍ତି କରାଯାଇଛି ଯେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ “ଆମେରିକା ବିରୋଧୀ, ଆତଙ୍କବାଦ ସମର୍ଥକ ଆନ୍ଦୋଳନ’ ଦେଖିବାକୁ ମିଳିବା ସତ୍ତ୍ୱେ କର୍ତ୍ତୃପକ୍ଷ ଏଥିପ୍ରତି ସହନଶୀଳତା ଦେଖାଇଛନ୍ତି। ଦେଶବିରୋଧୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ବିରୋଧରେ ଏପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଟ୍ରମ୍ପ୍ ସରକାର ଓ ଟ୍ରମ୍ପ୍ ପ୍ରଶାସନର ହୋମ୍‌ଲ୍ୟାଣ୍ଡ୍ ସିକ୍ୟୁରିଟି ବିଭାଗ କହିଛି। ସରକାରୀ ତଥ୍ୟ ଅନୁସାରେ ପ୍ରତିବର୍ଷ ୫୦୦ରୁ ୮୦୦ ଭାରତୀୟ ଛାତ୍ରଛାତ୍ରୀ ଏହି ସୁନାମଧନ୍ୟ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ପାଇଁ, ଏଠାରୁ ଏକ ଡିଗ୍ରୀ ହାସଲ କରିବା ଉଦ୍ଦେଶ୍ୟରେ ଏଠାରେ ନାମ ଲେଖାଇଥାନ୍ତି। ସେହିପରି ବର୍ତ୍ତମାନ ସମୟରେ ହାଭାର୍ଡ ବିଶ୍ୱବିଦ୍ୟାଳୟରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ପ୍ରାୟ ୭ହଜାର ଛାତ୍ରଛାତ୍ରୀ (୮୦୦ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ମୋଟ୍ ୬,୮୦୦ ଛାତ୍ରଛାତ୍ରୀ) ଅଧ୍ୟୟନ କରୁଛନ୍ତି। ଯଦିଓ ଟ୍ରମ୍ପ୍‌ଙ୍କ ଏହି ନିଷ୍ପତ୍ତି ବର୍ତ୍ତମାନ ସମୟରେ ପଢ଼ୁଥିବା ନୂଆ ଆଡମିଶନ୍ ଆଶାୟୀଙ୍କ କ୍ଷେତ୍ରରେ ଲାଗୁହେବ ବୋଲି ସ୍ପଷ୍ଟ ହୋଇସାରିଛି, ତେବେ ବର୍ତ୍ତମାନ ସମୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁହେବ କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ। କିନ୍ତୁ ଏସବୁ ମଧ୍ୟରେ ଟ୍ରମ୍ପ୍‌ଙ୍କ ଏଭଳି ନିଷ୍ପତ୍ତି ପାଇଁ ବିଦେଶୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପଦରେ ପଡ଼ିପାରେ ବୋଲି ଅନୁମାନ କରାଯାଉଛି। ଏବେ ଏମାନଙ୍କ ଷ୍ଟୁଡେଣ୍ଟ ଭିସାଗୁଡ଼ିକ ମଧ୍ୟ ଅଚଳ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ହାଭାର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଦେଶୀ ଛାତ୍ରଛାତ୍ରୀମାନଙ୍କ ପକ୍ଷେ ଉପୁଜିବାକୁ ଥିବା ଷ୍ଟୁଡେଣ୍ଟ ଭିସା ସମସ୍ୟା ଉପରେ ଚିନ୍ତା ବ୍ୟକ୍ତ କରାଯାଇଛି। ଚୀନ୍ ସମେତ ବିଶ୍ୱର ଅନେକ ରାଷ୍ଟ୍ର ଖୁଲମ୍‌ଖୁଲ୍ଲା ଟ୍ରମ୍ପ୍ ସରକାରଙ୍କ ଏପ୍ରକାର ନିଷ୍ପତ୍ତିକୁ ତୀବ୍ର ଭର୍ତ୍ସନା କରିଛନ୍ତି। ଟ୍ରମ୍ପ୍ ଜଣେ ଅପରିପକ୍ୱ ରାଜନେତା ଭଳି ଆଚରଣ କରୁଥିବା ଚୀନ୍ କହିଛି।

ଗତ କିଛିଦିନ ଧରି ବିଦେଶୀ ଛାତ୍ରଛାତ୍ରୀଙ୍କ ସହିତ ଜଡ଼ିତ ରେକର୍ଡକୁ ନେଇ ଆମେରିକା ସରକାର ଏବଂ ହାଭାର୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଗତ ମାସରେ ହୋମ୍‌ଲ୍ୟାଣ୍ଡ୍ ସିକ୍ୟୁରିଟି ବିଭାଗ ଏକ ଚେତାବନୀ ଜାରି କରିଥିଲା ଯେ ଯଦି ବିଶ୍ୱବିଦ୍ୟାଳୟ ଏପ୍ରିଲ ୩୦ସୁଦ୍ଧା ବିଦେଶୀ ଛାତ୍ରଛାତ୍ରୀଙ୍କ ବେଆଇନ ଏବଂ ହିଂସାତ୍ମକ ମାମଲାର ରେକର୍ଡ ପ୍ରଦାନ ନକରେ ତେବେ ସେମାନଙ୍କର ଏସ୍‌ଇଭିପି ବାତିଲ କରିଦିଆଯିବ। ଏହାପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଦେଶୀ ଛାତ୍ରଛାତ୍ରୀଙ୍କ ରେକର୍ଡ ପ୍ରଦାନ କରାଯାଇଥିଲେ ମଧ୍ୟ ଟ୍ରମ୍ପ ପ୍ରଶାସନ ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲା। ପରିଣାମସ୍ୱରୂପ ଟ୍ରମ୍ପ୍ ପ୍ରଶାସନ ବିଶ୍ୱବିଦ୍ୟାଳୟର ଏସ୍‌ଇଭିପି ପ୍ରତ୍ୟାହାର କରିନେଇଛି। ହାଭାର୍ଡ ଏହି ନିଷେଧକୁ ଅସାମ୍ବିଧାନିକ ବୋଲି କହିଛି ଏବଂ ରାଜନୈତିକ ଚାପକୁ ପ୍ରତିରୋଧ କରିବା ପାଇଁ ଟ୍ରମ୍ପ୍ ପ୍ରଶାସନ ଉଦ୍ଦେଶ୍ୟମୂଳକ ଭାବେ ଏକ ଶିକ୍ଷାନୁଷ୍ଠାନକୁ ଦଣ୍ଡ ଦେଉଥିବା ଅଭିଯୋଗ କରିଛି। ତେବେ ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ବିଦେଶୀ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଜାରି ରଖିବାକୁ ହେଲେ ହାଭାର୍ଡ ବିଶ୍ୱବିଦ୍ୟାଳୟ ପାଇଁ ୬ଟି ସର୍ତ୍ତ ରଖାଯାଇଥିବା ସୂଚନା ମିଳିଛି। ପ୍ରକାଶ, ହାଭାର୍ଡ ବିଶ୍ୱବିଦ୍ୟାଳୟକୁ ଅ।।ମେରିକା ସରକାରଙ୍କ ପକ୍ଷରୁ ଗବେଷଣା ପାଣ୍ଠି ବାବଦରେ ମିଳିଆସୁଥିବା ୨.୨ ବିଲିଅନ୍ ଡଲାର୍‌ର ସହାୟତାକୁ ମଧ୍ୟ ଟ୍ରମ୍ପ୍ ବନ୍ଦ କରିଦେଇଥିଲେ। ଏହାକୁ ନେଇ ହାଭାର୍ଡ ବିଶ୍ୱବିଦ୍ୟାଳୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା, ଏହି ମାମଲା ଏବେ ଶୁଣାଣି ପ୍ରକ୍ରିୟା ଅଧୀନ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking