21.1 C
Bhubaneswar
Sunday, December 21, 2025
Homeଖେଳବର୍ଷା କାରଣରୁ ମୁମ୍ବାଇ-ଗୁଜରାଟ ମ୍ୟାଚ୍ ବାଧାପ୍ରାପ୍ତ; ଗୁଜରାଟ ଆଗରେ ୧୫୬ ରନ୍‌ର ଲକ୍ଷ୍ୟ

ବର୍ଷା କାରଣରୁ ମୁମ୍ବାଇ-ଗୁଜରାଟ ମ୍ୟାଚ୍ ବାଧାପ୍ରାପ୍ତ; ଗୁଜରାଟ ଆଗରେ ୧୫୬ ରନ୍‌ର ଲକ୍ଷ୍ୟ

ମୁମ୍ବାଇ: ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଆଇପିଏଲ୍‌ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ୧୫୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ବର୍ଷା ଯୋଗୁ ଦ୍ୱିତୀୟ ଥର ଖେଳ ବନ୍ଦ ରହିବା ବେଳକୁ ଗୁଜରାଟ ୧୮ ଓଭର୍ ସୁଦ୍ଧା ୬ ୱିକେଟ୍ ହରାଇ ୧୩୨ ରନ୍ କରିଥିଲା। ରାହୁଲ ତେୱତିଆ ୫ ଓ ଗେରାଲ୍ଡ କୋଏଟ୍‌ଜି ୫ ରନ୍‌ରେ ବ୍ୟାଟିଂ କରୁଥିଲେ।

୧୫୬ ରନ୍‌ର ପିଛା କରୁଥିବା ଗୁଜରାଟ ଟାଇଟନ୍ସ ଦ୍ୱିତୀୟ ଓଭର୍‌ରେ ସାଇ ସୁଦର୍ଶନଙ୍କ ୱିକେଟ୍ ହରାଇଥିଲା। ସୁଦର୍ଶନ ୫ ରନ୍ କରିଥିବା ବେଳେ ଟ୍ରେଣ୍ଟ୍ ବୋଲ୍ଟ ତାଙ୍କୁ ରିକେଲ୍‌ଟନ୍‌ଙ୍କ ହାତରେ କ୍ୟାଚ୍ କରାଇଥିଲେ। ଏହାପରେ ଶୁଭମନ୍ ଗିଲ୍ ଓ ଜୋସ୍ ବଟ୍‌ଲର୍‌ଙ୍କ ମଧ୍ୟରେ ୭୨ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ତେବେ ବଟ୍‌ଲର୍‌ଙ୍କୁ ଆଉଟ୍ କରି ଅଶ୍ୱିନୀ କୁମାର ଏହି ପାର୍ଟନରଶିପ୍ ଭାଙ୍ଗିଥିଲେ। ବଟ୍‌ଲର୍ ୨୭ ବଲ୍‌ରେ ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୩୦ ରନ୍ କରିଥିଲେ। ଶୁଭମନ୍‌ଙ୍କ ସହ ଯୋଗଦେଇଥିବା ଶେରଫାନ୍ ରଦରଫୋର୍ଡ ଧୂଆଁଧାର ବ୍ୟାଟିଂ କରି ୧୨ ରନ୍‌ରେ ଦୁଇଟି ଲେଖାଏ ଛକା ଓ ଚୌକା ସହାୟତାରେ ୨୬ ରନ୍ କରି ୧୪ ଓଭର୍‌ରେ ଟିମ୍‌ର ସ୍କୋର୍ ୧୦୭ ରନ୍ ପାର୍ କରାଇବା ପରେ ବର୍ଷା ହେବାରୁ ମ୍ୟାଚ୍ ବନ୍ଦ ରହିଥିଲା। ମାତ୍ର କିଛି ସମୟ ପରେ ବର୍ଷା ବନ୍ଦ ହୋଇଯିବାରୁ ଖେଳ ଆରମ୍ଭ ହୋଇଥିଲା ଏବଂ ବୋଲିଂ ପାଇଁ ଆସିଥିବା ଜସ୍‌ପ୍ରୀତ୍ ବୁମ୍‌ରା ଓଭର୍‌ର ପଞ୍ଚମ ବଲ୍‌ରେ ଗିଲ୍‌ଙ୍କୁ ବୋଲ୍ଡ ଆଉଟ୍ କରିଥିଲେ। ଗିଲ୍ ୪୬ ବଲ୍‌ରେ ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୪୩ ରନ୍ କରି ଫେରିଥିଲେ। ପରବର୍ତ୍ତୀ ଓଭର୍‌ରେ ବୋଲ୍ଟ ୨୮ ରନ୍ କରିଥିବା ରଦରଫୋର୍ଡଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଏହାପରେ ଶାହରୁଖ୍ ଖାନ୍ (୬) ଓ ରଶିଦ୍ ଖାନ୍ (୨) ପ୍ୟାଭିଲିୟନ୍ ଫେରିଥିଲେ।

ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଓପ୍ନର୍ ର‌୍ୟାନ୍ ରିକେଲ୍‌ଟନ୍‌(୨)ଙ୍କୁ ପ୍ରଥମ ଓଭର୍‌ର ଦ୍ୱିତୀୟ ବଲ୍‌ରେ ଆଉଟ୍ କରି ମହମ୍ମଦ ସିରାଜ୍ ଟିମ୍‌କୁ ବଡ଼ ଝଟ୍‌କା ଦେଇଥିଲେ। ଏହାପରେ ୱିଲ୍ ଜ୍ୟାକ୍ସ କେତେକ ବିସ୍ଫୋରକ ଶଟ୍ ଖେଳି ମୁମ୍ବାଇ ଇନିଂସ୍ ସମ୍ଭାଳିବାକୁ ଉଦ୍ୟମ କରିଥିଲେ। ମାତ୍ର ଚତୁର୍ଥ ଓଭର୍‌ରେ ରୋହିତ ଶର୍ମା କେବଳ ୭ ରନ୍ କରି ଅରଶାଦ୍ ଖାନ୍‌ଙ୍କ ଶିକାର ହୋଇଥିଲେ। ଏହାପରେ ଜ୍ୟାକ୍ସଙ୍କ ସହ ଯୋଗ ଦେଇଥିବା ସୂର୍ଯ୍ୟକୁମାର ଯାଦବ ଇନିଂସ୍ ସମ୍ଭାଳିଥିଲେ। ଦୁହେଁ ଧୂଆଁଧାର ବ୍ୟାଟିଂ କରି ତୃତୀୟ ୱିକେଟ୍ ପାଇଁ ୭୧ ରନ୍‌ର ଅର୍ଦ୍ଧଶତକୀୟ ପାର୍ଟନରଶିପ୍ କରିଥିଲେ। ମାତ୍ର ଏକାଦଶ ଓଭର୍‌ରେ ସୂର୍ଯ୍ୟକୁମାରଙ୍କୁ ଆଉଟ୍ କରି ସାଇ କିଶୋର ଏହି ପାର୍ଟନରଶିପ୍‌ରେ ବ୍ରେକ୍ ଲଗାଇଥିଲେ। ସୂର୍ଯ୍ୟକୁମାର ୨୪ ବଲ୍‌ରେ ୫ ଚୌକା ସହାୟତାରେ ୩୫ ରନ୍ କରିଥିଲେ। ଇତିମଧ୍ୟରେ ୨୯ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ୱିଲ୍ ଜ୍ୟାକ୍ସ ପରବର୍ତ୍ତୀ ଓଭର୍‌ରେ ରଶିଦ୍ ଖାନ୍‌ଙ୍କ ଶିକାର ହୋଇଥିଲେ। ଜ୍ୟାକ୍ସ ୩୫ ବଲ୍‌ରେ ୫ ଚୌକା ଓ ୩ ଛକା ସହାୟତାରେ ୫୩ ରନ୍‌ର ଇନିଂସ୍ ଖେଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ବଡ଼ ଇନିଂସ୍ ଆଶା କରାଯାଉଥିବା ବେଳେ ସେ ମାତ୍ର ୧ ରନ୍ କରିଥିବା ବେଳେ ସାଇ କିଶୋରଙ୍କ ପରବର୍ତ୍ତୀ ଓଭର୍‌ରେ ଆଉଟ୍ ହୋଇଥିଲେ। ଏହାପରେ ତିଳକ ବର୍ମା (୭) ମଧ୍ୟ ପ୍ୟାଭିଲିୟନ୍ ଫେରିଥିଲେ। ନମନ ଧୀର ମାତ୍ର ୭ ରନ୍ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଶିକାର ହୋଇଥିଲେ। କର୍ବିନ୍ ବଶ୍ ୨୭ ରନ୍ କରି ମୁମ୍ବାଇ ସ୍କୋର୍ ୧୫୦ ରନ୍ ପାର୍ କରାଇଥିଲେ। ଗୁଜରାଟ ପକ୍ଷରୁ ସାଇ କିଶୋର ଦୁଇଟି ୱିକେଟ୍ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking