14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶମକ୍ ଡ୍ରିଲ୍‌: ଓଡ଼ିଶାର ୧୨ ଜିଲ୍ଳା ସମେତ ୨୫୯ ସ୍ଥାନରେ ଚାଲିବ ଅଭ୍ୟାସ ପରେଡ୍‌

ମକ୍ ଡ୍ରିଲ୍‌: ଓଡ଼ିଶାର ୧୨ ଜିଲ୍ଳା ସମେତ ୨୫୯ ସ୍ଥାନରେ ଚାଲିବ ଅଭ୍ୟାସ ପରେଡ୍‌

– ଅପରାହ୍ନ ୪ଟାରେ ୫ ମିନିଟ୍ ଯାଏ ବାଜିବ ଯୁଦ୍ଧ ସାଇରନ୍‌
– ବ୍ଲାକ୍ ଆଉଟ୍ ଅଭ୍ୟାସ ଅନ୍ତର୍ଗତ ଅନ୍ଧକାରମୟ ହୋଇଯିବ ପୁରାଦେଶ
– ନାଗରିକ ଓ ଛାତ୍ରଛାତ୍ରୀମାନେ ଶିଖିବେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର ଉପାୟ
– ଲୋକେ ଜାଣିବେ ପବ୍ଲିକ୍ ସେଫ୍‌ଟି ମେକାନିଜିମ୍ ପ୍ରଣାଳୀ

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପରଠାରୁ ଭାରତରେ ପାକିସ୍ତାନ ବିରୋଧୀ ପ୍ରତିଶୋଧର ଉଷ୍ମ ବାତାବରଣ ରହିଛି। ଏହାରି ମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ବୁଧବାର (ମେ ୭) ଦେଶବ୍ୟାପୀ ଜାତୀୟ ନାଗରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ ଆୟୋଜନ ହେବାକୁ ଯାଉଛି। ଶତ୍ରୁପକ୍ଷର ଆକ୍ରମଣରୁ ସୁରକ୍ଷିତ ରହିବା ତଥା ଯୁଦ୍ଧଜନିତ ଏକ ଭୟଙ୍କର ପରିବେଶ ମଧ୍ୟରେ ବଞ୍ôଚରହିବା ବା ସରଭାଇଭ୍ କରିବା ପାଇଁ ନାଗରିକମାନଙ୍କୁ ଅଭ୍ୟାସ ତଥା ପ୍ରସ୍ତୁତି କରିବା ଲକ୍ଷ୍ୟରେ ଏହି ମକ୍ ଡ୍ରିଲ୍ ବା ଅଭ୍ୟାସ ପରେଡ୍ କରାଯାଉଛି। ଯଦିଓ ଏହି ଅଭ୍ୟାସ ସତର୍କତାମୂଳକ ଏବଂ ଭାରତର ଦୀର୍ଘକାଳୀନ ଜାତୀୟ ପ୍ରସ୍ତୁତି ରଣନୀତିର ଏକ ଅଂଶ, ଏଥିରେ ନାଗରିକମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ନିଜର ଓ ନିଜ ପରିବାର ସଦସ୍ୟଙ୍କ ସୁରକ୍ଷା ପ୍ରସ୍ତୁତି ନିଶ୍ଚିତ କରିବା ଆବଶ୍ୟକ ଯାହା ଦେଶର ସୁରକ୍ଷା ବଜାୟ ରଖିବାରେ ଏକତାବଦ୍ଧ ପ୍ରୟାସକୁ ବୃଦ୍ଧି କରିବ। ଏଥିରେ ବ୍ଲାକଆଉଟ୍ ସିମୁଲେସନ୍‌, ବାୟୁ ଆକ୍ରମଣ ସାଇରନ୍‌, ନିଷ୍କାସନ ଅଭ୍ୟାସ ଏବଂ ଜନସାଧାରଣ ଶିକ୍ଷା ଅଭିଯାନ ଅନ୍ତର୍ଭୁକ୍ତ ହେବ। ଏହି ଡ୍ରିଲ୍ ୧୯୬୮ ନାଗରିକ ପ୍ରତିରକ୍ଷା ନିୟମ ଅଧୀନରେ ଆୟୋଜନ କରାଯାଉଥିବା ବେଳେ ଏଥିରେ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ନାଗରିକ ପ୍ରତିରକ୍ଷା କର୍ମୀ, ହୋମ୍ ଗାର୍ଡ, ଏନ୍‌ସିସି ଏବଂ ଏନ୍‌ଏସ୍‌ଏସ୍ କ୍ୟାଡେଟ୍ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସମନ୍ୱିତ ଅଂଶଗ୍ରହଣ ରହିଛି। ଏହାର ଲକ୍ଷ୍ୟ ହେଉଛି ଜରୁରୀକାଳୀନ ପ୍ରସ୍ତୁତି ବୃଦ୍ଧି ଏବଂ ନାଗରିକ ପ୍ରତିରକ୍ଷା ନିଶ୍ଚିତ କରିବା ଏବଂ ଲୋକମାନଙ୍କୁ ପବ୍ଲିକ୍ ସେଫ୍‌ଟି ମେକାନିଜିମ୍ ପ୍ରଣାଳୀ ସମ୍ପର୍କରେ ଅବଗତ କରାଇବା।

ରିପୋର୍ଟ ଅନୁସାରେ ବୁଧବାର ଭାରତର ମୋଟ୍ ୨୫୯ଟି ସ୍ଥାନରେ ଏହି ଜାତୀୟ ନାଗରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ ଆୟୋଜନ କରାଯିବ। ଏଥିମଧ୍ୟରୁ ୨୦୧୦ରେ ଚିହ୍ନଟ ହୋଇଥିବା (ଅଧିସୂଚୀତ) ନିର୍ଦ୍ଦିଷ୍ଟ ନାଗରିକ ପ୍ରତିରକ୍ଷା ଜିଲ୍ଲା (ସିଭିଲ୍ ଡିଫେନ୍ସ ଡିଷ୍ଟ୍ରିକ୍ଟ)ଗୁଡ଼ିକର ୨୪୪ଟି ସ୍ଥାନରେ ବିଶେଷ ଭାବେ ଏହି ମକ୍‌ଡ୍ରିଲ୍ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିପାଇଁ କ୍ୟାଟାଗୋରୀ-୧, କ୍ୟାଟାଗୋରୀ-୨ ଏବଂ କ୍ୟାଟାଗୋରୀ-୩ ଅନ୍ତର୍ଗତ ସ୍ଥାନଗୁଡ଼ିକୁ ବର୍ଗୀକରଣ କରାଯାଇଛି। ମଙ୍ଗଳବାର କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ଦେଶବ୍ୟାପୀ ମକ୍ ଡ୍ରିଲ୍ ପୂର୍ବରୁ ସାରା ଦେଶରେ ନାଗରିକ ପ୍ରତିରକ୍ଷା ପ୍ରସ୍ତୁତିର ମୂଲ୍ୟାଙ୍କନ ଏବଂ ସମନ୍ୱୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ଏବଂ ନାଗରିକ ପ୍ରତିରକ୍ଷା ମୁଖ୍ୟମାନେ ଯୋଗଦେଇଥିଲେ। ଜନସାଧାରଣଙ୍କୁ ଯୁଦ୍ଧଜନିତ ପ୍ରତିକୂଳ ପରିସ୍ଥିତିରେ ସୁରକ୍ଷିତ ରହିବାକୁ କ’ଣ ସବୁ କରିବାକୁ ହେବ ସେନେଇ ବୁଝାଯିବ। ସେହିପରି ଆସନ୍ତା କାଲି ମକ୍ ଡ୍ରିଲ୍ ଆରମ୍ଭ ହେବା ପୂର୍ବରୁ ନିର୍ଦ୍ଧାରିତ ସ୍ଥାନଗୁଡ଼ିକରେ ଯୁଦ୍ଧ ସାଇରନ୍ ବଜାଯିବ। ଅପରାହ୍ନ ୪ଟା ସମୟରେ ଯୁଦ୍ଧ ସାଇରନ୍ ବଜାଯିବ ଏବଂ ଏହା ୪-୫ ମିନିଟ୍ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି। ଫାଇଟର ଜେଟ୍‌ଗୁଡ଼ିକ ଏହି ଯୁଦ୍ଧ ସାଇରନ୍ ବଜାଇବେ। ଯୁଦ୍ଧ ସମୟରେ ଶତ୍ରୁପକ୍ଷରୁ ଆକ୍ରମଣ ଆଶଙ୍କା ଉପୁଜିବାମାତ୍ରେ ଏହାକୁ ବଜାଯାଇଥାଏ। ଏହା ସାଧାରଣ ଲୋକଙ୍କୁ ସୁରକ୍ଷିତ ରହିବାକୁ ସୂଚନା ଦେଇଥାଏ। ସେହିପରି ମକ୍‌ଡ୍ରିଲ୍ ସମୟରେ ହେବାକୁ ଥିବା ବ୍ଲାକ୍‌ଆଉଟ୍ ଅଭ୍ୟାସ ଅନ୍ତର୍ଗତ ସମଗ୍ର ଅଞ୍ଚଳକୁ ଅସ୍ଥାୟୀ ଭାବେ (ସାମୟିକ) ଅନ୍ଧକାର କରାଯିବ। ଯାହାଦ୍ୱାରା ଅନ୍ଧାରରେ ଯୁଦ୍ଧ ପ୍ରସ୍ତୁତି କିପରି କରାଯାଏ ସେସମ୍ପର୍କରେ ଲୋକେ ବୁଝିପାରିବେ। ମୋଟାମୋଟି ମକ୍‌ଡ୍ରିଲ୍ ଯୁଦ୍ଧ ସମୟରେ ଲୋକମାନଙ୍କୁ ସୁରକ୍ଷିତ ରହିବାକୁ ଶିକ୍ଷା ଦେଉଥିବା ବେଳେ ଏହି ସମୟରେ ଯେପରିକି ପାଣି, ଫ୍ଲାସ୍ ଲାଇଟ୍‌, ପାୱାର୍ ବ୍ୟାଙ୍କ, ମୌଳିକ ଔଷଧ, ଏବଂ ପରିଚୟ ପତ୍ର ନଗଦ ଅର୍ଥରାଶି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ନିଜ ପାଖରେ ରଖିବାକୁ ପରାମର୍ଶ ଦିଆଯାଇଛି।

ପ୍ରକାଶ, ୧୯୭୧ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ଦେଶବାସୀଙ୍କ ଏପ୍ରକାର ଜାତୀୟ ନାଗରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ କରାଯାଇଥିଲା। ଏହି ଘଟଣାକୁ ଦୀର୍ଘ ୫୪ ବର୍ଷ ବିତିଯାଇଥିବା ବେଳେ ଏବେ ପୁଣିଥରେ ଭାରତରେ ଏପ୍ରକାର ଏକ ମକ୍‌ଡ୍ରିଲ୍ ଆୟୋଜନ କରାଯାଉଛି। ତେବେ ଏହା ପହଲଗାମ୍ ଘଟଣାର ପ୍ରତିଶୋଧ ଅନ୍ତରାଳେ ହେବାକୁ ଥିବା ଏକ ସାମରିକ କାର୍ଯ୍ୟାନୁଷ୍ଠାନରେ ମିଳିବାକୁ ଥିବା ପ୍ରତିକ୍ରିୟାରୁ ସୁରକ୍ଷିତ ରହିବା ପ୍ରକ୍ରିୟାର ଏକ ଅଂଶବିଶେଷ। ଗତ ଏପ୍ରିଲ ୨୨ରେ ପହଲଗାମ ଜିଲ୍ଲାର ବୈସାରନ୍ ଘାଟିରେ ପାକ୍ ଆତଙ୍କବାଦୀମାନେ ୨୭ ନୀରିହ ଜନସାଧାରଣ (ସମସ୍ତ ପର୍ଯ୍ୟଟକ ହିନ୍ଦୁ ଥିଲେ)ଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ଦେଶବାସୀଙ୍କ ମଧ୍ୟରେ ପ୍ରତିଶୋଧର ବହ୍ନି ଦିନକୁ ଦିନ ଉଗ୍ରାଭିମୁଖୀ ହେଉଥିବା ବେଳେ ଭାରତ ସରକାର ମଧ୍ୟ ଏହାକୁ ସମ୍ମାନଜଣାଇ ପାକିସ୍ତାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁୂ ଯାଉଛନ୍ତି। ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ, ପାକିସ୍ତାନ ମଧ୍ୟ ଭାରତୀୟ ଆକ୍ରମଣର ଜବାବ ଦେବାକୁ କିଛି ବି କରିବ। ସୁତରାଂ ପାକିସ୍ତାନ ଉପରେ ଆକ୍ରମଣ କରିବା ପୂର୍ବରୁ ଭାରତ ସରକାର ଦେଶବାସୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଉଛନ୍ତି।

ସୀମାରେ ହାଇଆଲର୍ଟ: ନୋଟାମ୍ ଜାରି କଲା ଭାରତ
ଭାରତୀୟ ବାୟୁସେନା ଆସନ୍ତକାଲି ଠାରୁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପାକିସ୍ତାନ ସୀମାରେଖାରେ ଯୁଦ୍ଧାଭ୍ୟାସ କରିବ। ଏହି ସମରଭ୍ୟାସ ମେ ୭ ଓ ୮ ତାରିଖରେ ରାଜସ୍ଥାନରେ ଥିବା ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେଖା ଠାରେ ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ପକ୍ଷରୁ ବାୟୁସେନା ଉଦ୍ଦେଶ୍ୟରେ ନୋଟାମ୍ (ନୋଟିସ ଟୁ ଏୟାରମେନ୍‌) ଜାରି କରାଯାଇ ଏସମ୍ପର୍କରେ ସୂଚନା ଦିଆଯାଇଛି। ଏହି ଯୁଦ୍ଧାଭ୍ୟାସରେ ରାଫେଲ, ମିରାଜ ୨୦୦୦ ଏବଂ ସୁଖୋଇ-୩୦ ଭଳି ଅତ୍ୟାଧୁନିକ ଯୁଦ୍ଧବିମାନ ଅଂଶଗ୍ରହଣ କରିବେ ବୋଲି ବାୟୁସେନା ଅଧିକାରୀମାନେ ସୂଚନା ଦେଇଛନ୍ତି। ନୋଟାମ୍ ଅନୁସାରେ ଏହି ସମରାଭ୍ୟାସ ମେ ୭ ତାରିଖ ଅପରାହ୍ନ ୩.୩୦ରୁ ଆରମ୍ଭ ହେବ ଏବଂ ମେ ୮ ତାରିଖ ରାତି ୯.୩୦ ଯାଏ ଚାଲିବ।

ପୁଣି ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଡୋଭାଲ୍‌
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଙ୍ଗଳବାର ପୁଣିଥରେ ଭେଟିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ। ବିଗତ ୪୮ ଘଣ୍ଟା ମଧ୍ୟରେ ଡୋଭାଲ ପ୍ରଧାନମନ୍ତ୍ରୀଙ୍କୁ ୨ ଥର ଭେଟି ଭାରତର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଛନ୍ତି। ବୁଧବାର ଦେଶବ୍ୟାପୀ ନାଗରିକ ସୁରକ୍ଷା ଅଭ୍ୟାସ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଡୋଭାଲ ମୋଦୀଙ୍କୁ ଭେଟି ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking