21.1 C
Bhubaneswar
Saturday, February 7, 2026
Homeଓଡିଶାୱାକଫ୍ ବିଲ୍‌: ବିଜେଡିର ଆଭିମୁଖ୍ୟକୁ ନେଇ ହଇଚଇ

ୱାକଫ୍ ବିଲ୍‌: ବିଜେଡିର ଆଭିମୁଖ୍ୟକୁ ନେଇ ହଇଚଇ

-ପ୍ରଶ୍ନବାଣରେ ଘେରିଲେ ନେତା
-ଧାଡ଼ିକିଆ ଉତ୍ତର ଦେଲେ ନବୀନ

ଭୁବନେଶ୍ୱର: ଉଭୟ ଲୋକସଭା ଓ ରାଜ୍ୟସଭାରେ ୱାକଫ୍ ସଂଶୋଧନ ବିଲ୍ ପାଶ୍ ହୋଇଛି। ତେବେ ରାଜ୍ୟସଭାରେ ଉକ୍ତ ବିଲ୍‌ରେ ଭୋଟିଂକୁ ନେଇ ବିଜେଡିରେ ହଇଚଇ ସୃଷ୍ଟି ହୋଇଛି। ଦଳର ସାଂସଦ ଅଚାନକ ଓ ଅତର୍କିତ ଭାବେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସମସ୍ତଙ୍କୁ ଆଚମ୍ବିତ କରିଛି। ଏପ୍ରିଲ ୨ରେ ୱାକଫ୍ ବିଲକୁ ନେଇ ସାଂସଦ ସସ୍ମିତ ପାତ୍ର କହିଥିଲେ ଯେ ବିଜେଡି ରାଜ୍ୟସଭାରେ ବିତର୍କରେ ଭାଗ ନେଇ ଦୃଢ଼ ଭାବେ ଏହି ବିଲ୍‌କୁ ବିରୋଧ କରିବ। ଏପ୍ରିଲ ୩ ଅପରାହ୍ଣରେ ବିଜେଡି ସାଂସଦ ମୁନ୍ନା ଖାଁ ବିତର୍କରେ ଭାଗ ନେଇ ବିଲ୍‌କୁ ଜୋରଦାର ବିରୋଧ କରିଥିଲେ। ବିଲ୍ ବିରୋଧରେ ଭୋଟ ଦେବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଥିବା କହିଥିଲେ। ସଂସଦରେ ମୁନ୍ନା ଖାଁଙ୍କ ଭାଷଣ ସରୁ ସରୁ ସସ୍ମିତ ପାତ୍ରଙ୍କ ପୋଷ୍ଟ ବିଜେଡିର ଆଭିମୁଖ୍ୟକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ଦଳୀୟ ହ୍ୱିପ୍ ନଥିବାରୁ ବିବେକ୍ ଅନୁଯାୟୀ ଭୋଟ ଦେବୁ ବୋଲି କହି ୟୁ-ଟର୍ଣ୍ଣ ମାରିଥିଲେ ସସ୍ମିତ। ସଂସଦରେ ବିଲ୍ ପାରିତ ହେବା ପରେ ମୁହଁ ଖୋଲିଥିଲେ ସସ୍ମିତ। ଆଉ କହିଥିଲେ ବିଲ୍ ସପକ୍ଷରେ ଭୋଟ ଦେଇଛି। ୱାକଫ୍ ବିଲକୁ ବିରୋଧ କରିବାକୁ ନବୀନ ପ୍ରଥମରୁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ମୁନ୍ନା ଖାଁ ମାନିଥିଲେ। କିନ୍ତୁ ସସ୍ମିତଙ୍କୁ ବିବେକ ଅନୁଯାୟୀ ଭୋଟ୍ ଦେବାକୁ କହିଥିଲା କିଏ ? ଦେବାଶିଷ ସାମନ୍ତରାୟ ଭୋଟରୁ ଦୂରେଇ ରହିଥିବା ବେଳେ ଅନ୍ୟ ୪ ସାଂସଦ ସମର୍ଥନ ନା ବିରୋଧରେ ଭୋଟ୍ ଦେଇଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ୟପକ୍ଷରେ ଶୁକ୍ରବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଦଳର ବରିଷ୍ଠ ନେତା ପ୍ରଶ୍ନବାଣରେ ଘେରିଲେ ହେଁ ସେ ଧାଡ଼ିକିଆ ଉତ୍ତର ଦେଇ ଚାଲିଯାଇଥିଲେ। ଫଳରେ ବିଜେଡିର ଅସ୍ପଷ୍ଟ ନୀତି ପ୍ରସଙ୍ଗକୁ ନେଇ ସାରା ଦେଶରେ ଆଲୋଚନାର ବିଷୟ ହୋଇଛି। ଶୁକ୍ରବାର ଶଙ୍ଖଭବନରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଭୂପିନ୍ଦର ସିଂ, ଶଶୀଭୂଷଣ ବେହେରା, ବଦ୍ରିନାରାୟଣ ପାତ୍ର, ଚନ୍ଦ୍ରଶେଖର ସାହୁ ଓ ଅଶୋକ ପଣ୍ଡା ପ୍ରମୁଖ ବୈଠକ କରି ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପରେ ନବୀନ ଏହି ନେତାମାନଙ୍କୁ ସନ୍ଧ୍ୟାରେ ଭେଟିଥିଲେ। ଏଥିପୂର୍ବରୁ ଅର୍ଥାତ ପୂର୍ବାହ୍ଣରେ ଦଳର କିଛି ନେତା ଅର୍ଥାତ ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଅରୁଣ ସାହୁ ଓ ପ୍ରତାପ ଦେବ ନବୀନ ନିବାସ ଯାଇଥିଲେ। ପ୍ରଥମେ ତାଙ୍କୁ ଭେଟିବାର ସୁଯୋଗ ପାଇନଥିଲେ। ହେଲେ ଉପସ୍ଥିତ ଜଣେ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେବାର ଧମକ ଦେବାରୁ ନବୀନ ସେମାନଙ୍କୁ ବାଧ୍ୟ ହୋଇ ଭେଟିଥିଲେ। ସାଙ୍ଗେ ସଙ୍ଗେ ନେତାମାନେ ସିଧାସଳଖ ନବୀନଙ୍କୁ ପ୍ରଶ୍ନବାଣରେ ପୋତି ଦେଇଥିଲେ ହେଁ ଅତି ଚତୁରତାର ସହକାରେ ନବୀନ ‘ଲୋକେ ସପ୍ତାହେ ପରେ ସବୁକିଛି ଭୁଲିଯିବେ’ ବୋଲି କହିଥିଲେ। ଯାହାକୁ ନେଇ ଗୁଞ୍ଜରଣ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ନବୀନ ନିବାସରେ ରୁଦ୍ଧଦ୍ୱାର ବୈଠକ ପରେ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଦିନରେ ଯାହା ଆଲୋଚନା ହୋଇଥିଲା ସେନେଇ ଦଳର ସଭାପତିଙ୍କୁ ଜଣାଇଲୁ । ଅନେକ ଦଳୀୟ ପ୍ରସଙ୍ଗ ନେଇ ନବୀନ ବାବୁଙ୍କ ସହ ଆଲୋଚନା ହେଲା। ଶଙ୍ଖ ଭବନରେ ଯେଉଁ ଯେଉଁ ପଏଣ୍ଟ ଉପରେ ଆଲୋଚନା ହୋଇଥିଲା ସେନେଇ ଆମ ସଭାପତିଙ୍କୁ ଅବଗତ କରାଇଛୁ । ୱାକଫ୍ ବିଲ୍ ନେଇ ମଧ୍ୟ ଦିନରେ ଆଲୋଚନା ହୋଇଥିଲା। ଆଉ ସେନେଇ ଆମ ମତ ସବୁବେଳେ ପୂର୍ବଭଳି ରହିବ। ବିଜେଡି ଧର୍ମ ନିରପେକ୍ଷ ଦଳ ଥିଲା, ଅଛି ଆଉ ଭବିଷ୍ୟତରେ ମଧ୍ୟ ରହିବ। ୱାକଫ୍ ବିଲ୍ ନେଇ ବିଜେଡି ସାଂସଦଙ୍କ ସମର୍ଥନ ବିଷୟରେ ନବୀନ ବାବୁଙ୍କୁ ଅବଗତ କରାଇଲୁ। ନବୀନ ବାବୁଙ୍କୁ ରାଜ୍ୟସଭା ସଦସ୍ୟମାନେ ନିଜ ନିଜ ମତ ଜଣାଇ ସାରିଛନ୍ତି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking