28.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଆସୁଛି ବଡ଼ ବିପଦ: ୨୦୩୦ ସୁଦ୍ଧା ‘ମୃତ୍ୟୁ’ର ସାମ୍ନା କରିବେ ୩୦ ଲକ୍ଷ ଲୋକ

ଆସୁଛି ବଡ଼ ବିପଦ: ୨୦୩୦ ସୁଦ୍ଧା ‘ମୃତ୍ୟୁ’ର ସାମ୍ନା କରିବେ ୩୦ ଲକ୍ଷ ଲୋକ

ନୂଆଦିଲ୍ଲୀ : ଆଗାମୀ ଦିନରେ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ ମାଡିଆସୁଛି। ଏନେଇ ବୈଜ୍ଞାନିକମାନେ ସତର୍କ କରାଇଛନ୍ତି। ବୈଜ୍ଞାନିକଙ୍କ କହିବାନୁସାରେ ୨୦୩୦ ସୁଦ୍ଧା ୧ କୋଟିରୁ ଅଧିକ ଲୋକ ଏଚ୍‌ଆଇଭି ସଂକ୍ରମିତ ହୋଇପାରନ୍ତି ଏବଂ ପ୍ରାୟ ୩୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇପାରେ। ଲାନ୍‌ସେଟ୍ ଏଚ୍‌ଆଇଭି ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରେ ଏଭଳି କିଛି ତଥ୍ୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଗୁରୁବାର ସଦ୍ୟ ପ୍ରକାଶିତ ଏହି ଗବେଷଣା ରିପୋର୍ଟ ଅନୁଯାୟୀ, ଏଚ୍‌ଆଇଭି ଭୂତାଣୁ ନିବାରଣ ଏବଂ ଚିକିତ୍ସା କାର୍ଯ୍ୟକ୍ରମ ପାଇଁ ଅନ୍ତର୍ଜାତୀୟ ପାଣ୍ଠିରେ ହ୍ରାସ କରାଯାଇଛି। ଯାହାକି ଆଗାମୀ ଦିନରେ ଏକ ଗମ୍ଭୀର ସଙ୍କଟ ସୃଷ୍ଟି କରିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

୨୦୨୬ ସୁଦ୍ଧା ବିଶ୍ୱବ୍ୟାପୀ ଏଚ୍‌ଆଇଭି ପାଣ୍ଠିରେ ପ୍ରାୟ ୨୪% ପର୍ଯ୍ୟନ୍ତ କାଣ୍ଟଛାଣ୍ଟ କରାଯାଇଛି। ଏହା ଉପରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣର ବର୍ନେଟ ଇନ୍‌ଷ୍ଟିଚ୍ୟୁଟ୍‌ର ଗବେଷକ ଟିମ୍‌ଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏହି ପାଣ୍ଠି ହ୍ରାସର ପ୍ରଭାବ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବିଶ୍ଳେଷଣ କରାଯାଇଛି। ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନୀ ଏବଂ ନେଦରଲାଣ୍ଡ ସମେତ ପ୍ରମୁଖ ଦାତାମାନେ ୮ରୁ ୭୦% ପର୍ଯ୍ୟନ୍ତ ସହାୟତା ରାଶି ହ୍ରାସ କରିବା ପରେ ଏହି ଅଧ୍ୟୟନ କରାଯାଇଛି। ପ୍ରକାଶ, ବିଶ୍ୱସ୍ତରରୁ ଏଚ୍‌ଆଇଭି ପାଣ୍ଠି ବାବଦ ମିଳୁଥିବା ମୋଟ୍ ରାଶି ମଧ୍ୟରୁ କେବଳ ଏହି ୫ଟି ଦେଶ ହିଁ ୯୦%ରୁ ଅଧିକ ଏଚ୍‌ଆଇଭି ସହାୟତା ପାଇଁ ପାଣ୍ଠି ଯୋଗାଇଥାନ୍ତି। ଏବେ ଯେତେବେଳେ ଏହି ଦେଶଗୁଡ଼ିକ ନିଜ ନିଜ ଅନୁଦାନ ପାଣ୍ଠି ପରିମାଣକୁ ସଂକୁଚିତ କରିଛନ୍ତି ସେତେବେଳେ ଏହାର ପ୍ରଭାବ ବିଶ୍ୱସ୍ତରରେ ଚାଲିଥିବା ଏଚ୍‌ଆଇଭି ନିରାକରଣ କାର୍ଯ୍ୟକ୍ରମ ଉପରେ ପଡ଼ିବା ସ୍ୱାଭାବିକ। ଅଧ୍ୟୟନ ରିପୋର୍ଟରେ ଉପ-ସାହାରା ଆଫ୍ରିକା ଏବଂ ନିଶା ଇଞ୍ଜେକ୍ସନ ନେଉଥିବା ଲୋକ, ଯୌନ କର୍ମୀ ଏବଂ ପୁରୁଷମାନଙ୍କ ସହିତ ଯୌନ ସମ୍ପର୍କ ରଖୁଥିବା ପୁରୁଷ ଏବଂ ପିଲାମାନଙ୍କ ଭଳି ଉପେକ୍ଷିତ ଗୋଷ୍ଠୀ ସବୁଠାରୁ ଅଧିକ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଇଛି। ଉପ-ସାହାରା ଆଫ୍ରିକାରେ କଣ୍ଡୋମ ବଣ୍ଟନ ଏବଂ ପ୍ରି-ଏକ୍ସପୋଜର ପ୍ରୋଫାଇଲାକ୍ସିସ ଭଳି ଔଷଧ ପ୍ରଦାନ ସମେତ ବ୍ୟାପକ ପ୍ରତିରୋଧ ପ୍ରୟାସରେ ମଧ୍ୟ ହ୍ରାସ ଘଟିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

ପ୍ରକାଶ, ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବା ପରେ ପ୍ରାୟ ସବୁକ୍ଷେତ୍ରକୁ ଆମେରିକୀୟ ଅନୁଦାନ ପରିମାଣକୁ ସୀମିତ କିମ୍ବା ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହିକ୍ରମେ ଗତ ଜାନୁଆରୀ ୨୦ରେ ଏଚ୍‌ଆଇଭି ପାଣ୍ଠିକୁ ଆମେରିକା ସମସ୍ତ ସହାୟତା ବନ୍ଦ କରିବା ନେଇ ଘୋଷଣା କରିଥିଲା। ଏଚ୍‌ଆଇଭି ନିରାକରଣ କାର୍ଯ୍ୟକ୍ରମ ଦିଗରେ ବିଶ୍ୱର ସବୁଠାରୁ ବଡ଼ ଯୋଗଦାନକାରୀ ରାଷ୍ଟ୍ର ଭାବେ ଆମେରିକା ରହିଆସିଥିବା ବେଳେ ଏବେ କିନ୍ତୁ ଏହା ଅତ୍ୟନ୍ତ ନିଷ୍ଠୁର ବ୍ୟବହାର ପ୍ରଦର୍ଶନ କରିଛି। ଆମେରିକା ତଥା ଅନ୍ୟ ୪ ରାଷ୍ଟ୍ରଙ୍କ ଏପ୍ରକାର ନିଷ୍ପତ୍ତି ଦ୍ୱାରା ଏଚ୍‌ଆଇଭି ଚିକିତ୍ସା କ୍ଷେତ୍ରରେ କରାଯାଉଥିବା ଆଣ୍ଟିରେଟ୍ରୋଭାଇରାଲ ଥେରାପି, ପରୀକ୍ଷା ଏବଂ ନିବାରଣ ଭଳି ଅତ୍ୟାବଶ୍ୟକୀୟ ସେବାଗୁଡ଼ିକର ଉପଲବ୍ଧତାଗୁଡ଼ିକ ବାଧାପ୍ରାପ୍ତ ହୋଇଛି। ବର୍ନେଟ ଇନଷ୍ଟିଚ୍ୟୁଟ୍‌ର ସହ-ଅଧ୍ୟୟନ ଲେଖକ ଡକ୍ଟର ଡେବ୍ରା ଟେନ୍ ବ୍ରିଙ୍କ୍ ମଧ୍ୟ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଡକ୍ଟର ବ୍ରିଙ୍କ କହିଛନ୍ତି ଯେ, ସ୍ଥାୟୀ ଆର୍ôଥକ ସହାୟତା ସୁନିଶ୍ଚିତ କରିବା ଏବଂ ଏଚ୍‌ଆଇଭି ମହାମାରୀ ପୁନରୁତ୍ଥାନକୁ ରୋକିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ନଚେତ୍ ଏହାର ବିନାଶକାରୀ ପରିଣାମ ସାରା ବିଶ୍ୱରେ ଦେଖାଯାଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking