15.1 C
Bhubaneswar
Monday, December 22, 2025
Homeଓଡିଶାଆସନ୍ତାକାଲି ମାଷ୍ଟରସେଫ ଇଣ୍ଡିଆର ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପ୍ରସାରିତ ହେବ; ଚ୍ୟାଲେଞ୍ଜରେ ପଖାଳ ଥାଳି ଓ ସାତ୍ତ୍ଵିକ...

ଆସନ୍ତାକାଲି ମାଷ୍ଟରସେଫ ଇଣ୍ଡିଆର ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପ୍ରସାରିତ ହେବ; ଚ୍ୟାଲେଞ୍ଜରେ ପଖାଳ ଥାଳି ଓ ସାତ୍ତ୍ଵିକ ମନ୍ଦିର ଖାଦ୍ୟ

ଭୁବନେଶ୍ୱର : ଓଡ଼ିଶାର ସମୃଦ୍ଧ ପାରମ୍ପରିକ ବ୍ୟଞ୍ଜନ ଓ ଖାଦ୍ୟ ପ୍ରସ୍ତୁତି ଶୈଳୀକୁ ଜାତୀୟ ସ୍ତରରେ ଲୋକପ୍ରିୟ କରିବା ନିମନ୍ତେ ସୋନି ଟିଭି ଚ୍ୟାନେଲରେ ପ୍ରସାରିତ ସେଲେବ୍ରିଟି ମାଷ୍ଟରସେଫର ବିଶେଷ କାର୍ଯ୍ୟକ୍ରମରେ ସେଫ ପ୍ରତିଯୋଗୀମାନେ ସ୍ଵତନ୍ତ୍ର ଓଡ଼ିଶା ଖାଦ୍ୟ ପ୍ରସ୍ତୁତ ଓ ପରିବେଷଣ କରିବେ । ପ୍ରଥମ ଥର ପାଇଁ ଓଡ଼ିଆ ଅସ୍ମିତାର ପରିଚୟ ପଖାଳ ଥାଳି ଏବଂ ପବିତ୍ର ମନ୍ଦିର ଖାଦ୍ୟକୁ ପରିବେଷଣ କରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଆ ଖାଦ୍ୟ ପରମ୍ପରାକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଦର୍ଶକଙ୍କ ନିକଟରେ ଉପସ୍ଥାପନ କରାଯିବ । ଏହି ପରିପ୍ରେକ୍ଷୀରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୋନି ଟିଭିରେ ପ୍ରସାରିତ ସେଲିବ୍ରିଟି ମାଷ୍ଟରସେଫ ଇଣ୍ଡିଆର ଓଡ଼ିଶା ଖାଦ୍ୟ ଚ୍ୟାଲେଞ୍ଜ ସହିତ ଫାଇନାଲରେ ପହଞ୍ଚିଥିବା ସମସ୍ତ ପ୍ରତିଭାବାନ ସେଲେବ୍ରିଟି ସେଫକୁ ଅଭିନନ୍ଦନ ଜଣାଇଛନ୍ତି । ପଖାଳ ଠାରୁ ଆରମ୍ଭ କରି ପବିତ୍ର ମହାପ୍ରସାଦ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଖାଦ୍ୟ, ଓଡ଼ିଶାର ଲୋକଙ୍କ ଖାଦ୍ୟ ସଂସ୍କୃତିକୁ ପ୍ରତିଫଳିତ କରେ । ଓଡିଆ ଖାଦ୍ୟଶୈଳୀକୁ ବିଶ୍ଵସ୍ତରରେ ଏକ ଅନନ୍ୟ ପରିଚୟ ପ୍ରଦାନ କରିବା ସହ ଗର୍ବର ସହ ଓଡିଆ ଖାଦ୍ୟର ସ୍ଵାଦକୁ ନିଜ ସମ୍ପ୍ରଦାୟରେ ବାଣ୍ଟିବା ପାଇଁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଭାରତ ତଥା ବିଶ୍ୱର ଥିବା ସମସ୍ତ ପ୍ରବାସୀ ଓଡିଆମାନଙ୍କୁ ଅନୁରୋଧ କରିଛନ୍ତି । ଆମର ଖାଦ୍ୟ, ଆମର ଆତିଥ୍ୟ, ସଂସ୍କୃତି,ଐତିହ୍ୟ ଓ ପରମ୍ପରାକୁ ପ୍ରତିଫଳିତ କରେ । ଓଡ଼ିଶା କେବଳ ଏକ ମନୋରମ ପର୍ଯ୍ୟଟନସ୍ଥଳୀ ନୁହେଁ, ଏହା ଏକ ଭାବନା ଓ ଦିବ୍ୟ ଅନୁଭୂତିର ଭୂଖଣ୍ଡ ବୋଲି ଶ୍ରୀମତୀ ପରିଡା ପ୍ରକାଶ କରିଛନ୍ତି । ଖାଦ୍ୟ ପର୍ଯ୍ୟଟନରେ ସମଗ୍ର ଭାରତରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିପ୍ରକାଶ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ଵାରା ଏହି କାର୍ଯ୍ୟକ୍ରମକୁ ପରିଚାଳିତ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିବିଧ ଖାଦ୍ୟ ସଂସ୍କୃତି, ଅନନ୍ୟ ଉପାଦାନ ଏବଂ ସମୟ ନିର୍ଦ୍ଧାରିତ ରୋଷେଇ କଳା କୌଶଳକୁ ପ୍ରଦର୍ଶନ କରାଯିବ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୁଜିନ (ଖାଦ୍ୟ) ଚ୍ୟାଲେଞ୍ଜକୁ ଏକ ଅଂଶ ଭାବେ ଗ୍ରହଣ କରି ସେଲିବ୍ରିଟି ସେଫମାନେ ଓଡ଼ିଶାର ଦୁଇଟି ପ୍ରମୁଖ ଖାଦ୍ୟ ପରମ୍ପରା – ଓଡିଆ ଖାଦ୍ୟ ଥାଳି ଏବଂ ଓଡ଼ିଶା ପ୍ରସାଦ ଖାଦ୍ୟ ସଂସ୍କୃତିକୁ ପୁନର୍ଜୀବିତ କରିବାରେ ରୋମାଞ୍ଚକର ଟାସ୍କ ଗ୍ରହଣ କରିବେ। ଚ୍ୟାଲେଞ୍ଜ ୧ – ଓଡ଼ିଶା ପଖାଳ ଥାଳି – ଓଡ଼ିଶା ଖାଦ୍ୟ ସଂସ୍କୃତିର ଅନନ୍ୟ ଖାଦ୍ୟ ପଖାଳ ଥାଳିକୁ ସମ୍ମାନ ଜଣାଇ ଏହି ଚ୍ୟାଲେଞ୍ଜରେ ସେଲେବ୍ରିଟି ସେଫ ମାନେ ବିଭିନ୍ନ ପ୍ରକାର ପଖାଳ ଯଥା ଦହି ପଖାଳ, ଛୁଙ୍କ ପଖାଳ, ଘିଅ ପଖାଳ ସହିତ ଚିଙ୍ଗୁଡି ଛେଚା, କଖାରୁ ଫୁଲ ଭଜା, ବଡି ଚୂରା ଏବଂ ମାଛ ଭଜା ଆଦି ପ୍ରସ୍ତୁତ କରିବେ । ଏକ ନିର୍ଦ୍ଧିଷ୍ଟ ସମୟରେ ସମ୍ମାନଜନକ ଭାବେ ପଖାଳ ଥାଳିର ସ୍ଵାଦ ଓ ସଂସ୍କୃତିକୁ ପରିବେଷଣ କରିବା ସେଫମାନଙ୍କ ପାଇଁ ମୁଖ୍ୟ ଚାଲେଞ୍ଜ ହେବ । ଚ୍ୟାଲେଞ୍ଜ ୨ – ଓଡିଆ ପ୍ରସାଦ ସଂସ୍କୃତି – ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର ମହାପ୍ରସାଦ ଦ୍ଵାରା ଅନୁପ୍ରାଣିତ ହୋଇ, ଏହି ଚ୍ୟାଲେଞ୍ଜରେ ସେଫମାନେ ମନ୍ଦିର ଖାଦ୍ୟର ସାତ୍ତ୍ଵିକ ନୀତିକୁ ପାଳନ କରି କାନିକା, ଡାଲମା,ଆମ୍ବୁଲ ଖଟା, ମହୁର ଏବଂ କ୍ଷୀର ଗଇଣ୍ଠା ଭଳି ପାରମ୍ପରିକ ଖାଦ୍ୟ ପରିବେଷଣ କରିବେ ।

ସେଲିବ୍ରିଟି ମାଷ୍ଟରସେଫ୍ ଇଣ୍ଡିଆରେ ଓଡ଼ିଶା ଖାଦ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଘୋଷଣା ସୋସିଆଲ ମିଡିଆରେ ବ୍ୟାପକ ଉତ୍ସାହ ସୃଷ୍ଟି କରିଛି । ଖାଦ୍ୟ ପ୍ରେମୀ, ରୋଷେୟା ଏବଂ ଓଡ଼ିଆ ସଂସ୍କୃତି ପ୍ରେମୀମାନେ ଏହି ଅଭିଯାନକୁ ସମର୍ଥନ କରିଛନ୍ତି । ଓଡିଆ ଖାଦ୍ୟ ପ୍ରେମୀମାନେ ନିଜର ସ୍ମୃତି, ବ୍ୟକ୍ତିଗତ ଖାଦ୍ୟ ପ୍ରସ୍ତୁତି ଏବଂ ପ୍ରିୟ ଓଡ଼ିଆ ଖାଦ୍ୟ ସେୟାର କରି ଅଫିସିଆଲ୍ ହ୍ୟାସଟ୍ୟାଗ୍ #OdishaInCelebrityMasterChef କୁ ଲୋକପ୍ରିୟତା କରିଛନ୍ତି । ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟନ ବିଭାଗ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକରେ ଏହି ଅଭିଯାନକୁ ସକ୍ରିୟ ଭାବରେ ପ୍ରଚାର କରୁଛି ଓ ଦର୍ଶକମାନଙ୍କ ମଧ୍ୟରେ ଓଡ଼ିଶା ଖାଦ୍ୟର ସମୃଦ୍ଧି ଏବଂ ଏହାର ରୋଷେଇ ପରମ୍ପରାକୁ ଉତ୍ସାହିତ କରୁଛି। ଏହି ଉତ୍ସାହକୁ ଆହୁରି ବୃଦ୍ଧି କରି, ନେଟିଜେନ ଏବଂ ଘରୋଇ ରୋଷେୟାମାନଙ୍କୁ #MyOdiaKitchenTales ହ୍ୟାସଟ୍ୟାଗ୍ ସହିତ ଆଲୋଚନାରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଉଛି । ଏଥିରେ ସେମାନେ ପାରମ୍ପରିକ ରେସିପି, ରୋଷେଇ କୌଶଳ, ନିଜ ପରିବାରର ପସନ୍ଦ ଏବଂ ରୋଷେଇ ସ୍ମୃତି କାହାଣୀଗୁଡ଼ିକୁ ନିଜ ଭାଷାରେ ସେୟାର କରିପାରିବେ । @odishatourismofficial ଟ୍ୟାଗ୍ କରି, ଓଡ଼ିଶାରେ ହେଉ, ଭାରତର ଅନ୍ୟତ୍ର ହେଉ କିମ୍ବା ବିଦେଶରେ ହେଉ ଅଂଶଗ୍ରହଣକାରୀମାନେ ସେମାନଙ୍କ ନିଜସ୍ୱ ରୋଷେଇ ଘରେ ଓଡ଼ିଆ ଖାଦ୍ୟକୁ କିପରି ଜୀବନ୍ତ କରିଛନ୍ତି ତାହା ସେୟାର କରିବେ ।

ଏହି ପଦକ୍ଷେପ ବିଷୟରେ ବକ୍ତବ୍ୟ ରଖି, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ କହିଛନ୍ତି, “ଓଡିଶାର ରୋଷେଇ ପରମ୍ପରା ଦୀର୍ଘ ଦିନ ଧରି ଏକ ଅଗ୍ରାହ୍ୟ ସମ୍ପତ୍ତି ହୋଇ ରହିଛି । ସେଲିବ୍ରିଟି ମାଷ୍ଟରସେଫ୍ ଇଣ୍ଡିଆ ମାଧ୍ୟମରେ, ଆମେ ଆମର ଖାଦ୍ୟ ଏବଂ ଓଡ଼ିଆ ଖାଦ୍ୟକୁ ସ୍ୱତନ୍ତ୍ର କରୁଥିବା କାହାଣୀ, ରୀତିନୀତି ଏବଂ ସାଂସ୍କୃତିକ ଗୁରୁତ୍ୱ ପ୍ରଦର୍ଶନ କରୁଛୁ । ଏହା ପ୍ରତ୍ୟେକ ଓଡ଼ିଆ ପାଇଁ ଏକ ଗର୍ବର ମୁହୂର୍ତ୍ତ, ଏବଂ ଆମେ ବିଶ୍ୱକୁ ଓଡ଼ିଶାର ସ୍ୱାଦ ଚାଖିବା ଏବଂ ପାଳନ କରିବାକୁ ଆମନ୍ତ୍ରଣ କରୁଛୁ। ସାରା ଦେଶ ଖାଦ୍ୟ ପ୍ରେମୀମାନେ ୨୬ ରୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ସେଲିବ୍ରିଟି ମାଷ୍ଟରସେଫରେ ଯୋଗ ଦେଇ ଓଡ଼ିଶାର ପାରମ୍ପରିକ ଖାଦ୍ୟର ସାକ୍ଷୀ ହେବା ପାଇଁ ପର୍ଯ୍ୟଟନ ବିଭାଗ ତରଫରୁ ଅନୁରୋଧ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking