18.1 C
Bhubaneswar
Saturday, December 20, 2025
Homeଓଡିଶାପଖାଳ ଖାଇ ପଖାଳ ଦିବସ ପାଳିଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ପଖାଳ ଖାଇ ପଖାଳ ଦିବସ ପାଳିଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଭୁବନେଶ୍ୱର: ବିଶ୍ଵରେ ଓଡ଼ିଶାର ଲୋକ ଯେଉଁଠି ରହୁଛନ୍ତି, ପଖାଳ ସେଇଠି ପହଞ୍ଚିଛି । ଓଡିଆମାନଙ୍କ ପାଇଁ ପଖାଳ ହେଉଛି ଜୀବନ ଧନ । ପଖାଳ ସହିତ ମା’ ର ସ୍ନେହ ଓ ଭାବ ଯୋଡି ହୋଇ ରହିଛି । ବିଭିନ୍ନ ରୋଗ ଓ ବାର୍ଦ୍ଧକ୍ୟ ଜନିତ ରୋଗର ଉପଶମ ପାଇଁ ପଖାଳ ହେଉଛି ଏକମାତ୍ର ଔଷଧ । ବର୍ତ୍ତମାନର ନୂଆ ଜୀବନଧାରାରେ ଶାରୀରିକ ଓ ମାନସିକସ୍ତରରେ ସୁସ୍ଥ ଓ ସନ୍ତୁଳନ ରଖିବା ନିମନ୍ତେ ପଖାଳ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ସହଭାଗିତାରେ ଆୟୋଜିତ ବିଶ୍ଵ ପଖାଳ ଦିବସ ପାଳନ ଅବସରରେରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଛପନ ଭୋଗରେ ପଖାଳ ଓ ଟଙ୍କ ପାଣିର ମଧ୍ୟ ମହତ୍ତ୍ଵ ରହିଛି । ଆମ ଅସ୍ମିତା ଆମ ସଂସ୍କୃତି ଆମ ପଖାଳ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଏହା ସହ ଓଡ଼ିଶାର ଯୁବ ପିଢି ପଖାଳର ଉପାଦେୟତାକୁ ବୁଝି ବ୍ଲଗ ଓ ସୋସିଆଲ ମିଡିଆ ମାଧ୍ୟମରେ ପଖାଳ ଓ ପଖାଳ ସହ ଜଡ଼ିତ ଓଡିଆ ସାହିତ୍ୟର ପ୍ରଚାର ପ୍ରସାର କରିବାକୁ ସେ ଅନୁରୋଧ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଯୋଗ ଦେଇ କହିଲେ ଯେ ପଖାଳ ହେଉଛି ଆମ ପରିବେଶ ଅନୁକୂଳ ଖାଦ୍ୟ । ଏବେ ଖାଦ୍ୟର ଟ୍ରେଣ୍ଡ ବଦଳିଯାଇଛି । ବଡ ବଡ ହୋଟେଲ ମଧ୍ୟ ପଖାଳ ପ୍ଲାଟର ନାଁରେ ନୂଆ ଖାଦ୍ୟ ଢାଞ୍ଚା ଆଣିଲେଣି । ମୁଁ ଆଶା କରୁଛି ଯେ ବିଶ୍ଵ ପଖାଳ ଦିବସ ପାଳନ ଦ୍ଵାରା ଆମେ ପଖାଳକୁ ବିଶ୍ୱର କୋଣେ ଅନୁକୋଣେ ପହଞ୍ଚାଇପାରିବା ।କଳିଙ୍ଗ ହସ୍ପିଟାଲରେ ମୁଖ୍ୟ ଡାଇଟିସିଆନ ଶ୍ରୀମତୀ ଅଞ୍ଜନା ତ୍ରିପାଠୀ ଏହି ଅବସରରେ କହିଲେ ଯେ   ଖରାଦିନର ଡାଏଟରେ ପଖାଳ ଏକ ପ୍ରମୁଖ ଭୂମିକା ନିର୍ବାହ କରେ। ପଖାଳରେ ପ୍ରାକୃତିକ ପ୍ରୋ – ବାୟୋଟିକସ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ସେ କହିଲେ ଯେ ପଖାଳ ଖାଇଲେ ଆମକୁ ବାର ବାର ଭୋକ ଲାଗିନଥାଏ ଯାହାଦ୍ୱାରା ଆମ କ୍ୟାଲେରୀ ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ପଖାଳ ସହିତ ଆମେ ତେଲ ତିଆରି ଖାଦ୍ୟକୁ ଏଡାଇବା ଦରକାର । ପଖାଳ ସହିତ ଆମକୁ ଶାଗ ଭଜା, ଡାଲି ବରା, କାକୁଡି, ଲେମ୍ବୁ ଓ ଦହି ଖାଇବାର ଆବଶ୍ୟକତା ଅଛି ।

ବହୁ ଓଡିଆ ଫୁଡ ବ୍ଲଗରମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଓଡିଆ ଖାଦ୍ୟକୁ ଇଣ୍ଟରନେଟ ଜରିଆରେ ସୁଦୂର ପ୍ରସାର କରିଥିବା ଯୋଗୁଁ ୬ ଜଣ ପ୍ରମୁଖ ଫୁଡ଼ ବ୍ଲଗର – ସେନୋରିଟା ଦାସ, ଅଙ୍କିତା ତ୍ରିପାଠୀ, ମେହେକ ମହାପାତ୍ର, ସାନ ଶେଖ,ଆୟୁଷ କୁମାର ଏବଂ ଆଲୋକ ପ୍ରସାଦ ମହାପାତ୍ରଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ପର୍ଯ୍ୟଟନ ବିଭାଗ କମିଶନର ତଥା ପ୍ରମୁଖ ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ ତାଙ୍କ ସ୍ଵାଗତ ଭାଷଣରେ କହିଲେ ଯେ ପଖାଳ ହେଉଛି ଆମ ଓଡିଆ ଖାଦ୍ୟର ଏକ ଅନନ୍ୟ ଉତ୍ସବ । ଆଗାମୀ ସପ୍ତାହରେ ସୋନି ଟିଭିରେ ମାଷ୍ଟର ଶେଫ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଓଡ଼ିଶା ବ୍ୟଞ୍ଜନ ଉପରେ ଆଧାରିତ ହେବ ବୋଲି ସେ ପ୍ରକାଶ କରିଛନ୍ତି । ଏହି ଅବସରରେ ପର୍ଯ୍ୟଟନ ନିର୍ଦ୍ଦେଶିକା ମାନସୀ ନିମ୍ଭାଲ୍ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking