ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତି ଭୋଲଡମର ଜେଲେନସ୍କିଙ୍କୁ ମହଙ୍ଗା ପଡିଲା ଡୋନାଲ୍ଡ ଟ୍ରମ୍ପଙ୍କ ସହ ଯୁକ୍ତିତର୍କ । ୟୁକ୍ରେନକୁ ସେନା ସହାୟତା ବନ୍ଦ କଲା ଆମେରିକା । ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବାକୁ ଟ୍ରମ୍ପ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆଜି ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । କିଛିଦିନ ପୂର୍ବେ ଓଭାଲରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ବୈଠକ ହୋଇଥିଲା । ଋଷ ସହ ସାଲିସ କରିବାକୁ ଟ୍ରମ୍ପ ଜେଲେନସ୍କିଙ୍କୁ କହିଥିଲେ । କିନ୍ତୁ ଏଥିରେ ସେ ଅରାଜି ହେବାରୁ ଦୁଇ ନେତା ମୁହାଁମୁହିଁ ହୋଇଥିଲେ । ହ୍ୱାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି ଯେ, ୟୁକ୍ରେନ୍ ଓ ଋଷ ମଧ୍ୟରେ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ଚାଲିଛି । ଏହାର ଅନ୍ତ କିରବା ପାଇଁ ଟ୍ରମ୍ପ ଶାନ୍ତି ଚୁକ୍ତି ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ତେଣୁ ଆମେରିକା ୟୁକ୍ରେନକୁ ଯୋଗାଉଥିବା ସାମରିକ ସହାୟତା ବନ୍ଦ କରୁଛି । ଟ୍ରମ୍ପ ଚାହୁଁଛନ୍ତି ଯେ ଜେଲେନସ୍କି ମଧ୍ୟ ଋଷ ସହିତ ଏକ ଶାନ୍ତି ଚୁକ୍ତି ପାଇଁ ରାଜି ହୁଅନ୍ତୁ । ନାମ ଗୋପନ ରଖି ହ୍ୱାଇଟ୍ ହାଉସ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଆମେରିକା ବର୍ତ୍ତମାନ ୟୁକ୍ରେନକୁ ସାମରିକ ସହାୟତା ଦେବା ବନ୍ଦ କରିଦେଇଛି ଏବଂ ପରିସ୍ଥିତିର ସମୀକ୍ଷା କରୁଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଏହି ପ୍ରତିବନ୍ଧକ କାର୍ଯ୍ୟକାରୀ ହୋଇଯାଛି ଏବଂ ୟୁକ୍ରେନକୁ ପଠାଯାଉଥିବା କୋଟି କୋଟି ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ନେଣଦେଣ ବନ୍ଦ ହୋଇଛି ।
ଟ୍ରମ୍ପ ସୋମବାର ଜେଲେନସ୍କି ଚେତାବନୀ ଦେଇଥିଲେ ଯେ, ସେ ଜେଲେନସ୍କିଙ୍କ ବିଦ୍ରୋହୀ ମନୋଭାବକୁ ଅଧିକ ସମୟ ପର୍ଯ୍ୟନ୍ତ ବରଦାସ୍ତ କରିପାରିବେ ନାହିଁ। ନେତା ଆମେରିକାର ସମର୍ଥନ ପାଇଁ ୟୁକ୍ରେନୀୟ ନେତା ଅଧିକ କୃତଜ୍ଞ ହେବା ଉଚିତ । ମସ୍କୋ ସହିତ ଯୁଦ୍ଧବିରତି ଚୁକ୍ତି ନହେଲେ ଜେଲେନସ୍କି ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଟି ରହିପାରିବେ ନାହିଁ । ସୋମବାର ଦିନ ଜେଲେନସ୍କି କହିଥିଲେ ଯେ, ଆମେ ଯଥା ସମ୍ଭବ ଯୁଦ୍ଧ ଶେଷ କରିବାକୁ ଚାହୁଁଛୁ । ଯୁଦ୍ଧର ଅନ୍ତ କରିବାର ଏକମାତ୍ର ଉପାୟ ହେଉଛି କଠୋର ସୁରକ୍ଷା ଗ୍ୟାରେଣ୍ଟି। ଜେଲେନସ୍କିଙ୍କ ବୟାନରେ ଟ୍ରମ୍ପ କ୍ରୋଧିତ ହୋଇ କହିଥିଲେ ଯେ, ‘ଯୁଦ୍ଧ ସମାପ୍ତ କରିବା ପାଇଁ ଚୁକ୍ତିନାମା ବହୁତ ଦୂରରେ ଅଛି । ଏହି ସମୟରେ, ଲଣ୍ଡନରେ ହୋଇଥିବା ଏକ ଆଲୋଚନା ପରେ, ବ୍ରିଟେନ ଏବଂ ଫ୍ରାନ୍ସ ଯୁଦ୍ଧ ବିରତିକୁ ପ୍ରସ୍ତାବକୁ କିପରି ଆଗକୁ ବଢ଼ାଯିବ ତାହା ବିଚାର କରୁଛନ୍ତି। ଜେଲେନସ୍କି ସୋମବାର ଦିନ ଏକ ଭିଡିଓରେ କହିଥିଲେ ଯେ, ଯୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ଦ୍ୱାରା ପ୍ରକୃତ ଶାନ୍ତି ଫେରି ଆସିବ, ଯାହା ୧୯୯୪ ମସିହାରେ ଆମେରିକା ଏବଂ ବ୍ରିଟେନ ଦ୍ୱାରା ପ୍ରଦାନ କରାଯାଇଥିବା ସୁରକ୍ଷା ବଦଳରେ ପରମାଣୁ ନିରସ୍ତ୍ରୀକରଣ କରିବେ ରାଜି ହୋଇଥିଲା। ୧୧ ବର୍ଷ ପୂର୍ବେ, ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟିର ଅଭାବ ଯୋଗୁଁ ରୁଷ କ୍ରିମିଆକୁ କବଜା କରିବା ଏବଂ ଡୋନବାସରେ ଯୁଦ୍ଧ ଆରମ୍ଭ କରିବାକୁ ମଉକା ମିଳିଲା । ସୁରକ୍ଷା ଗ୍ୟାରେଣ୍ଟିର ଅଭାବ ଯୋଗୁଁ ଋଷ ପୁଣି ଥରେ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ସୁଯୋଗ ମିଳିଲା ।










