21.1 C
Bhubaneswar
Wednesday, February 11, 2026
Homeଓଡିଶାଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଭୁବନେଶ୍ୱର: ଓଡ଼ିଶାର ଗଡ଼ଜାତ ଅଞ୍ଚଳର ରାଜା, ଜମିଦାରମାନଙ୍କର ଅତ୍ୟାଚାରୀ ଶାସନର ପ୍ରତିବାଦ ସ୍ୱରୂପ ନିଜ ଜୀବନକୁ ବାଜି ଲଗାଇ ସେତେବେଳର ରାଜତନ୍ତ୍ର ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ବିଶିଷ୍ଟ ସଂଗ୍ରାମୀ ତଥା ଓଡ଼ିଶାର ସାଲିସବିହୀନ ନେତା ପବିତ୍ର ମୋହନ । ଏ ଦେଶ ଓ ଜାତି ପାଇଁ ତାଙ୍କର ନିର୍ଭୀକତା, ଦାମ୍ଭୀକତା ଓ ତ୍ୟାଗ ତାଙ୍କୁ ଚିରଦିନ ଅମର କରି ରଖିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ବିଶିଷ୍ଟ ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର କହିଲେ ଯେ କୀର୍ତ୍ତି ହେଉଛି କାଳଜୟୀ । ପବିତ୍ରବାବୁ ଅନ୍ୟାୟ ବିରୁଦ୍ଧରେ ସାଲିସବିହୀନ ସଂଗ୍ରାମ କରି, ଆଜି ପ୍ରତ୍ୟେକ ଓଡ଼ିଆ ଜନମାନସରେ ଉଜ୍ଜୀବିତ ଅଛନ୍ତି ।

ପ୍ରାକ୍‌ ସ୍ୱାଧୀନତା କାଳରେ ରାଜତନ୍ତ୍ର ବିରୋଧୀ ତଥା ପ୍ରଜା ଆନ୍ଦୋଳନର ପ୍ରବକ୍ତା ଥିଲେ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନ । ଓଡ଼ିଶାର ଗଡ଼ଜାତ ଅଞ୍ଚଳର ରାଜା, ଜମିଦାରମାନଙ୍କର ଅତ୍ୟାଚାରୀ ଶାସନର ପ୍ରତିବାଦ ସ୍ୱରୂପ ନିଜ ଜୀବନକୁ ବାଜି ଲଗାଇ ସେତେବେଳର ରାଜତନ୍ତ୍ର ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ଆଜି ତାଙ୍କର ୧୧୮ ତମ ଜୟନ୍ତୀ ଅବସରରେ ତାଙ୍କର ମହାନ ବ୍ୟକ୍ତିତ୍ୱକୁ ସ୍ମରଣପୂର୍ବକ କିଛି ମାତ୍ରାରେ ଆମେ ଗ୍ରହଣ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପାରିଲେ ଏହା ତାଙ୍କ ପାଇଁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ପାତ୍ର କହିଥିଲେ । ମୁଖ୍ୟ ବକ୍ତା ଭାବେ ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି ପବିତ୍ରମୋହନଙ୍କୁ ଜଣେ ସ୍ପଷ୍ଟବାଦୀ ନେତା କହିବା ସହ ତାଙ୍କ ରାଜନୈତିକ ଜୀବନର ଗୁଣାବଳୀ ବର୍ଣନା କରିଥିଲେ । ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ କବଳରୁ ଏ ଜାତିକୁ ମୁକୁଳାଇବା ଥିଲା ବିଶିଷ୍ଟ ସଂଗ୍ରାମୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ୱପ୍ନ । କେନ୍ଦ୍ରରେ ସାଂସଦ ରୂପେ ଏବଂ ପୂର୍ବତନ ଓଡିଶା ସରକାରଙ୍କର ଉପ ମୁଖ୍ୟମନ୍ତୀ ତଥା ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଓଡିଶାବାସୀଙ୍କ ପ୍ରତି ତାଙ୍କ ଅବଦାନକୁ ଏ ଜାତି ସବୁବେଳେ ମନେ ରଖିବ ।

ସମ୍ମାନିତ ବକ୍ତାଭାବେ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରାକ୍ତନ ସଭାପତି ଡ଼ ଧରଣୀଧର ନାଥ ତାଙ୍କ ବକ୍ତବ୍ୟରେ କହିଲେ ଯେ ମୂଲ୍ୟବୋଧ ରାଜନୀତିର ନେତା ପବିତ୍ର ମୋହନ ଥିଲେ ଓଡ଼ିଆ ସ୍ୱାଭିମାନ ଓ ଲୋକଶକ୍ତିର କିମ୍ବଦନ୍ତୀ ପୁରୁଷ । ଓଡ଼ିଶାର ସ୍ୱରାଜ୍ୟ ଏବଂ ଓଡ଼ିଆ ଜାତିର ଅସ୍ତିତ୍ୱ ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ଥିଲା । ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ଏବଂ ଜଣେ ସତ୍ୟନିଷ୍ଠ ନେତା ଭାବେ ପବିତ୍ର ମୋହନ ଇତିହାସ ପୃଷ୍ଠାରେ ଉଜ୍ଜୀବିତ ରହିଥିବେ । ସମ୍ମାନନୀୟ ଅତିଥି ଭାବେ ପାଲଲହଡ଼ା ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି, ପର୍ଜଙ୍ଗ ବିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କର ଜୀବନାଦର୍ଶ ସଂପର୍କରେ ବିସ୍ତୁତ ସୂଚନା ଦେବା ସହ ମୂଲ୍ୟବୋଧଭିତ୍ତିକ ଆଦର୍ଶ, ତ୍ୟାଗ, ସଂଗ୍ରାମୀ କାର୍ଯ୍ୟକଳାପ, ସାହିତ୍ୟ ସାଧନା ଏବଂ ସମାଜସେବା ନିମନ୍ତେ ସେ ସର୍ବଦା ସ୍ମରଣୀୟ ଓ ଆମର ଚିରନମସ୍ୟ ବୋଲି ଉଲ୍ଲେଖ କରିଥିଲେ । ଜାତି ପାଇଁ ତ୍ୟାଗ, ନିର୍ଭୀକତା ଓ ଦାମ୍ଭୀକତା ତାଙ୍କୁ ଚିରଦିନ ଅମର କରି ରଖିବ ବୋଲି କହିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କୁ ଜଣେ ଅପ୍ରତିଦ୍ୱନ୍ଦୀ ନେତା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ଓ ସମାଜବାଦୀ ନେତା ବୋଲି ଅବିହିତ କରିବା ସହିତ ଜନମାନସର ନେତା ଭାବେ ୪୦ ରୁ ୮୦ ଦଶକ ପର୍ଯ୍ୟନ୍ତ ରାଜତନ୍ତ୍ର ଓ ବ୍ରିଟିଶ ଶାସନ ବିରୁଦ୍ଧରେ ସାଲିସ ବିହୀନ ସଂଗ୍ରାମ କରି ଓଡିଶା ଆକାଶରେ ସେ ଜଣେ ଆଲୋକବର୍ତ୍ତିକା ଭାବେ ଆମ ଗହଣରେ ସବୁଦିନ ପାଇଁ ସ୍ମରଣୀୟ ରହିବେ ବୋଲି କହିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ବିଶିଷ୍ଟ ସଂଗ୍ରାମୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଜୀବନୀ ଓ ଆଦର୍ଶ ସମ୍ବଳିତ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦେଶକ ସନ୍ତୋଷ କୁମାର ଦାସ, ଉପ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଜୟଦେବ ଭବନ ଉପ ନିର୍ଦେଶକ ଦିପ୍ତିମୟୀ ମହାପାତ୍ର ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking