23.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ: ୭୦ ଆସନ ପାଇଁ ମଇଦାନରେ ୬୯୯ ପ୍ରାର୍ଥୀ

ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ: ୭୦ ଆସନ ପାଇଁ ମଇଦାନରେ ୬୯୯ ପ୍ରାର୍ଥୀ

ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ପର୍ବ ଶେଷ ହୋଇଛି। ଆସନ୍ତାକାଲି ବୁଧବାର (୫ ତାରିଖ) ଦିଲ୍ଲୀର ସମସ୍ତ ୭୦ ଆସନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ଦିନ ଦିଲ୍ଲୀର ପ୍ରାୟ ୧୫.୬ ନିୟୁତ ମତଦାତା ସେମାନଙ୍କ ମତଦାନ ଅଧିକାର ବ୍ୟବହାର କରିବେ। ଆଜି ଅନ୍ତିମ ପ୍ରଚାର ଥିବାରୁ ଭୋଟରଙ୍କୁ ମନାଇବାକୁ ସବୁ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଉଦ୍ୟମ ଦେଖିବାକୁ ମିଳିଛି। ରାଜନେତା, ଷ୍ଟାର ପ୍ରଚାରକ ତଥା ସମର୍ଥକମାନେ ଜନସାଧାରଣଙ୍କ ନିକଟରେ ପହଞ୍ଚି ନିଜ ପ୍ରତିଶ୍ରୁତି ଦୋହରାଇବା ସହ ସେମାନଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି। ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ଭଳି ହେଭିୱେଟ୍ ନେତାମାନେ ମଧ୍ୟ ପ୍ରଚାର କରିଛନ୍ତି। ତେବେ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ ଦିଲ୍ଲୀର ସମସ୍ତ ୭୦ଟି ବିଧାନସଭା ଆସନ ପାଇଁ ମୋଟ୍ ୬୯୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଫେବୃଆରୀ ୮ରେ ଦିଲ୍ଲୀ ଫଳାଫଳ ପ୍ରକାଶ ପାଇବ।

ଦିଲ୍ଲୀରେ ଏଥର ତିନି ଦଳ ଆମ୍ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ। କେନ୍ଦ୍ରରେ ଲଗାତର ୩ଥର କ୍ଷମତା ଦଖଲ କରିଆସିଥିଲେ ସୁଦ୍ଧା ଗତ ୨୭ ବର୍ଷ ହେଲା ବିଜେପି ଦିଲ୍ଲୀରେ କିନ୍ତୁ ବିଫଳ ହୋଇଆସୁଛି। ସେହିପରି ଶୀଲା ଦୀକ୍ଷିତଙ୍କ ପରେ କଂଗ୍ରେସ ମଧ୍ୟ ଦିଲ୍ଲୀ ସତ୍ତା ଠାରୁ ଦୂରରେ ରହିଛି। ଆମ୍ ଆଦମୀ ପାର୍ଟିର ଅଭ୍ୟୁଦୟ ପରେ ଏହି ଦଳକୁ ସେଠାରେ ଆଶ୍ଚର୍ଯ୍ୟଜନକ ଭାବରେ ସଫଳତା ମିଳିଛି। ସୁତରାଂ ଉଭୟ ବିଜେପି ଏଥର କ୍ଷମତାକୁ ଫେରିବା ପାଇଁ ମୈଦାନକୁ ଓହ୍ଲାଇଥିବା ବେଳେ ଆପ୍ ନିଜ ସତ୍ତାକୁ ବଜାୟ ରଖିବା ପାଇଁ ଲଢ଼ୁଛି। ଏସବୁ ମଧ୍ୟରେ ୨୦୨୪ ସାଧାରଣ ନିର୍ବାଚନରେ ଦିଲ୍ଲୀର ସମସ୍ତ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିବାରୁ ଏଥର ବିଜେପି ଦିଲ୍ଲୀରେ ଏକ ନୂଆ ରେକର୍ଡ କରିପାରେ ବୋଲି ଅନୁମାନ କରାଯାଉଛି। ଆମ ଆଦମୀ ପାର୍ଟି ନିଜର ସୁଶାସନ କଥା କହି ନିର୍ବାଚନ ଲଢୁଥିବା ବେଳେ ଆପ୍‌ର ଜାତୀୟ ସଂଯୋଜକ ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏବଂ ତାଙ୍କର ଅଧିକାଂଶ ନେତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି, ଭ୍ରଷ୍ଟାଚାର ଭଳି ଅଭିଯୋଗକୁ ନିର୍ବାଚନ ପ୍ରସଙ୍ଗ କରିଛି ବିଜେପି। ସେହିପରି କଂଗ୍ରେସ ମଧ୍ୟ ଦିଲ୍ଲୀବାସୀଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଇଛି। ଏସବୁ ମଧ୍ୟରେ ଦିଲ୍ଲୀ ନିର୍ବାଚନ କାହା ସପକ୍ଷରେ ଯିବ, ସେନେଇ ଚର୍ଚ୍ଚା ବଢୁଛି। ଅନ୍ୟ ଏକ ରିପୋର୍ଟ ଅନୁସାରେ ନିର୍ବାଚନ ଆୟୋଗ ଫେବ୍ରୁଆରି ୫ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଏକଜିଟ୍ ପୋଲ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏ ନେଇ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking