25.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶ‘ମିଥ୍ୟା ଅଭିଯୋଗ, ନିର୍ବାଚନୀ ଅଖଣ୍ଡତାକୁ ପ୍ରଭାବିତ କରୁଛି’

‘ମିଥ୍ୟା ଅଭିଯୋଗ, ନିର୍ବାଚନୀ ଅଖଣ୍ଡତାକୁ ପ୍ରଭାବିତ କରୁଛି’

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ଏକ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତ ଏବଂ ଅନ୍ୟାନ୍ୟ ଦେଶରେ ୨୦୨୪ରେ ନିର୍ବାଚନ ପରିଚାଳନାରେ ନିର୍ବାଚନ ପରିଚାଳନା ସଂସ୍ଥା ଗୁଡ଼ିକର ବିଭିନ୍ନ ଅଭିଜ୍ଞତାକୁ ଆଧାର କରି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ‘ଗ୍ଲୋବାଲ ଇଲେକ୍ସନ ଇୟର ୨୦୨୪: ରିଟରେସନ ଅଫ ଡେମୋକ୍ରାଟିକ୍ ସ୍ପେସେସ’ ଶୀର୍ଷକ ସମ୍ମିଳନୀ ଆୟୋଜନ କରାଯାଇଛି। ଦୁଇଦିନ ବ୍ୟାପୀ ହେବାକୁ ଥିବା ଏହି ସମ୍ମିଳନୀରେ ବିଶ୍ୱର ଅନେକ ଦେଶର ମୁଖ୍ୟ ନିର୍ବାଚନ ଅଧିକାରୀମାନେ ଯୋଗଦେଇଛନ୍ତି। ରିପୋର୍ଟ ଅନୁସାରେ ଏହି ଅନ୍ତର୍ଜାତୀୟସ୍ତରୀୟ ସମ୍ମିଳନୀରେ ପ୍ରାୟ ୧୩ଟି ଦେଶର ନିର୍ବାଚନ ପରିଚାଳନା ସଂସ୍ଥା ଏବଂ ଆନ୍ତର୍ଜାତିକ ସଂଗଠନର ପ୍ରତିନିଧିମାନେ ଏକାଠି ହୋଇ ସମସାମୟିକ ନିର୍ବାଚନ ପରିଚାଳନାର ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି।

ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି ଯେ, ଆହ୍ୱାନପୂର୍ଣ୍ଣ ଏବଂ ଜଟିଳତା ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧର ପୁନରୁଦ୍ଧାର ପାଇଁ ୨୦୨୪ ଇଲେକ୍ସନ୍ ମ୍ୟାନେଜମେଣ୍ଟ ବଡି (ଇଏମ୍‌ବି)ମାନଙ୍କ ପାଇଁ ଏକ ନିର୍ଣ୍ଣାୟକ ବର୍ଷ ଥିଲା। ଦକ୍ଷତା, ସ୍ୱଚ୍ଛତା ଏବଂ ଭୋଟରଙ୍କ ଆତ୍ମବିଶ୍ୱାସ ବୃଦ୍ଧିରେ ପ୍ରଯୁକ୍ତି ବିଦ୍ୟା ଏବଂ ଡିଜିଟାଲ ଉଦ୍ଭାବନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗୁରୁତ୍ୱାରୋପ କରିବା ପୂର୍ବକ ରାଜୀବ କୁମାର କହିଛନ୍ତି ଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରୁଥିବା ବେଳେ ଏହା ସାଇବର ସୁରକ୍ଷା ବିପଦ ଏବଂ ଭୁଲ ସୂଚନା ଭଳି ଆହ୍ୱାନ ମଧ୍ୟ ଆଣିଥାଏ। ଏହି ଅବସରରେ ନିର୍ବାଚନ ପ୍ରତି ରହୁଥିବା ବିପଦକୁ ପ୍ରଭାବଶାଳୀ ଭାବରେ ହ୍ରାସ କରିବା ପାଇଁ ଏହି ବୈଷୟିକ ଆହ୍ୱାନର ମୁକାବିଲା ପାଇଁ ରଣନୀତିକୁ ସୁବ୍ୟବସ୍ଥିତ କରିବାକୁ ସେ ଇଏମବିମାନଙ୍କୁ ଅନୁରୋଧ କରିଥିଲେ। ଏତଦ୍‌ବ୍ୟତୀତ ନିର୍ବାଚନ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକାଶ କଲାଭଳି ନକଲି କାହାଣୀ ବିରୋଧରେ ସତର୍କତା ଅବଲମ୍ବନ କରି ସେ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଏଭଳି ନକଲି କାହାଣୀ ତିଆରି କରାଯାଇଥାଏ।

ମରିସସ, ଭୁଟାନ, କାଜାକ୍‌ସ୍ତାନ, ନେପାଳ, ନାମ୍ବିଆ, ଇଣ୍ଡୋନେସିଆ, ରୁଷ, ଶ୍ରୀଲଙ୍କା, ଟ୍ୟୁନିସିଆ, ଆର‌୍ୟଲାଣ୍ଡ, ଫିଲିପାଇନ୍ସ ଏବଂ ଉଜବେକିସ୍ତାନ ଭଳି ୧୩ ଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର୍ ଇଲେକ୍ଟୋରାଲ ସିଷ୍ଟମର ସଭାପତି ତଥା ସିଇଓ ଆନ୍ଥୋନୀ ନାଥନ ବାନବରି ଏବଂ ଏ-ୱେବ୍ ଏବଂ ଇଣ୍ଟରନ୍ୟାସନାଲ ଆଇଡିଏର ମହାସଚିବ ଇନ-ସିକ୍‌-ଜାଙ୍ଗଙ୍କ ଭଳି ଆନ୍ତର୍ଜାତିକ ସଂଗଠନର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ପ୍ରତିନିଧିମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ଏମାନେ ସମସ୍ତେ ୨୦୨୪ରେ ସେମାନଙ୍କ ନିର୍ବାଚନୀ ଅଭିଜ୍ଞତା ଉପରେ ଉପସ୍ଥାପନା କରିବା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ଲାଇଭ୍ ନିର୍ବାଚନରେ ନିର୍ବାଚନୀ ଅଖଣ୍ଡତାକୁ ପ୍ରଭାବିତ କରୁଥିବା ସୋସିଆଲ ମିଡିଆରେ ଅପପ୍ରଚାର, ଭୁଲ ସୂଚନା ଏବଂ ମିଥ୍ୟା ବିବରଣୀ ବିଷୟରେ ସେମାନଙ୍କର ଚିନ୍ତା ପ୍ରକଟ କରିଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking