କେନ୍ଦୁଝର ଓ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି ପାଇଁ କଲେ ପ୍ରାର୍ଥନା
କେନ୍ଦୁଝର: ପାଟଣା ଦେଇ ପ୍ରବାହିତ ହେଉଥିବା ପୁଣ୍ୟତୋୟା ବୈତରଣୀର ଅନୁସୂୟା ତୀର୍ଥ ଘାଟରେ ମକର ବୁଡ଼ ପକାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ତିନିଦିନିଆ କେନ୍ଦୁଝର ଗସ୍ତରେ ଆଜି ସକାଳେ ରାଇସୁଆଁ ସ୍ଥିତ ଏୟାରଷ୍ଟ୍ରିପରେ ପହଁଚିବା ପରେ ଜିଲ୍ଲା ପ୍ରଶାସନ ଏବଂ ସାଧାରଣ ଜନତାଙ୍କ ପକ୍ଷରୁ ଉଚ୍ଛସିତ ସ୍ୱାଗତ ସମ୍ବର୍ଦ୍ଧନା ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ପାଟଣା ଗସ୍ତ କରିଥିଲେ । ବୁଡ଼ ପକାଇବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଭୁ ଆନନ୍ଦେଶ୍ୱର ମହାଦେବଙ୍କଠାରେ ଜଳଲାଗି କରିଥିଲେ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ମକର ଶୁଭେଚ୍ଛା ଜଣାଇଥିଲେ । ନିଜ ବିବୃତିରେ ଶ୍ରୀ ମାଝୀ ଆଜି ମକର ସଂକ୍ରାନ୍ତି ଭଳି ଏକ ପବିତ୍ର ଦିନରେ ପୁଣ୍ୟତୋୟା ବୈତରଣୀରେ ବୁଡ଼ ପକାଇ ମହାଦେବଙ୍କ ନିକଟରେ କେନ୍ଦୁଝର ଜିଲ୍ଲା ତଥା ସମଗ୍ର ରାଜ୍ୟ ବାସୀଙ୍କ ସୁଖ,ସମୃଦ୍ଧି ଓ ରାଜ୍ୟର ସାମଗ୍ରିକ ଉନ୍ନତି ପାଇଁ ପ୍ରାର୍ଥନା କରିଥିବା ପ୍ରକାଶ କରିଛନ୍ତି।