ନୂଆଦିଲ୍ଲୀ: ଫିଲିପାଇନ୍ସର କନଲାଓନ୍ ଆଗ୍ନେୟଗିରିରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଜ୍ୱାଳାମୁଖୀ ଫାଟିବା ପରେ ଆକାଶରେ ହଜାର ହଜାର ମିଟର ଉଚ୍ଚ ଯାଏ ପାଉଁଶ ଧୂଆଁ ବ୍ୟାପିଯାଇଛି । ପ୍ରଶାସନ ଆଖାପାଖ ଗ୍ରାମଗୁଡ଼ିକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ଏବଂ ରିଲିଫ୍ କାର୍ଯ୍ୟ ଚାଲିଛି । ଫିଲିପାଇନ୍ସର ନାଗରିକ ସୁରକ୍ଷା ଅଫିସ୍ ମୁତାବକ, କନଲାଓନ୍ ଆଗ୍ନେୟଗିରି ବିସ୍ଫୋରଣ ହେତୁ ପ୍ରାୟ ୮୭,୦୦୦ ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ନେଗ୍ରୋସ୍ ଦ୍ୱୀପରେ ଅବସ୍ଥିତ କନଲାଓନ୍ ଆଗ୍ନେୟଗିରି ସମୁଦ୍ର ପତ୍ତନଠାରୁ ୨,୪୦୦ ମିଟର (ପାଖାପାଖି ୮,୦୦୦ ଫୁଟ୍) ଉଚ୍ଚତାରେ ରହିଛି । ଏହା ଫିଲିପାଇନ୍ସର ୨୪ ସକ୍ରିୟ ଆଗ୍ନେୟଗିରି ମଧ୍ୟରୁ ଗୋଟିଏ ।
Huge volcano eruption at Mount Kanlaon in Negros Island Region, Philippines 🇵🇭 (09.12.2024)
TELEGRAM JOIN 👉 https://t.co/9cTkji5aZq pic.twitter.com/8ziNF9azH7
— Disaster News (@Top_Disaster) December 9, 2024
ଏହି ଆଗ୍ନେୟଗିରିରେ ପୂର୍ବରୁ ମଧ୍ୟ ଅନେକ ଥର ବିସ୍ଫୋରଣ ହୋଇଛି । ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ପାଇଁ ଏହା ସର୍ବଦା ବିପଦ ସଙ୍କେତ ରହିଆସିଛି । ଫିଲିପାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଭୋଲକାନୋଲୋଜି ଆଣ୍ଡ ସିସମୋଲୋଜି କଡ଼ା ଚେତାବନୀ ଜାରି କରିଛି । ପ୍ରତିଷ୍ଠାନ ଚେତାବନୀ ଦେଇଛି ଯେ ବିସ୍ଫୋରଣ ଆରମ୍ଭ ହୋଇଯାଇଛି । ଏହା ଆଗକୁ ବଡ଼ ବିସ୍ଫୋରଣରେ ପରିଣତ ହୋଇପାରେ । କନଲାଓନ୍ ଆଗ୍ନେୟଗିରି ଶେଷ ଥର ଚଳିତ ବର୍ଷ ଜୁନରେ ଫାଟିଥିଲା । ଏହି ଜ୍ୱାଳାମୁଖୀ ନେଗ୍ରୋସ୍ ଦ୍ୱୀପରେ ଅବସ୍ଥିତ । ସୂଚନାଯୋଗ୍ୟ, ଫିଲିପାଇନ୍ସ ପ୍ରଶାନ୍ତ ମହାସାଗରର ‘ରିଙ୍ଗ ଅଫ୍ ଫାୟାର’ରେ ଅବସ୍ଥିତ, ଯାହା ଭୂମିକମ୍ପ ଏବଂ ଆଗ୍ନେୟଗିରି ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ । ଦେଶର ୨୪ଟି ସକ୍ରିୟ ଆଗ୍ନେୟଗିରି ମଧ୍ୟରୁ କନଲାଓନ୍ ଆଗ୍ନେୟଗିରି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବଡ଼ ବିପଦ ବୋଲି କୁହାଯାଏ । କାରଣ, ପ୍ରାୟତଃ ଏଠାରେ ଆଗ୍ନେୟଗିରି ଉଦଗୀରଣ ଏବଂ ଭୂକମ୍ପର ଗତିବିଧି ଦେଖିବାକୁ ମିଳିଥାଏ ।










