26.1 C
Bhubaneswar
Wednesday, February 11, 2026
Homeଓଡିଶାବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ

– ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବରିଷ୍ଠ ନେତୃବୃନ୍ଦଙ୍କ ସ୍ମୃତିଚାରଣ
– ସ୍ୱର୍ଗତଃ ଦେ ନୀତି, ଆଦର୍ଶ, ନେତୃତ୍ୱ ନେବାର ଦକ୍ଷତା, ଦୁଃଖକୁ ଚାପି ରଖି ହସିବାର ଦୃଢତା ଏବଂ ସାମାଜିକ ସଂପୃକ୍ତି କାଳକାଳକୁ ହୃଦୟରେ ଗାର ହୋଇ ରହିଯାଇଛି : ମୁଖ୍ୟମନ୍ତ୍ରୀ
– ରାଜ୍ୟ ରାଜନୀତିରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି : ରାଜ୍ୟ ସଭାପତି

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ, ବରିଷ୍ଠ ନେତା ତଥା କଟକର ପୂର୍ବତନ ବିଧାୟକ ସମୀର ଦେଙ୍କ ଗତ ୧୮ ତାରିଖ ଦିନ ପରଲୋକ ଘଟିଥିଲା । ସ୍ୱର୍ଗତଃ ଦେଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସ୍ୱର୍ଗତଃ ଦେଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ସ୍ମୃତିଚାରଣ କରିଥିଲେ ।

ଛାତ୍ରବସ୍ଥାରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ସ୍ୱର୍ଗତଃ ଦେ ଜଣେ ବାସ୍ତବରେ ସ୍ନେହୀ, ପରୋପକାରୀ ଓ ଦରଦୀ ମଣିଷ ଥିଲେ । ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ ଭାବେ ନିଜ ଦାୟୀତ୍ୱକୁ ସୁଚାରୁ ରୂପେ ନିର୍ବାହ କରିଥିଲେ । ତାଙ୍କ ବିୟୋଗ କେବଳ ପାର୍ଟୀ ପାଇଁ ନୁହେଁ ବରଂ ରାଜ୍ୟ ରାଜନୀତିରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଓକିଲାତି ପଢିଥିବା ସ୍ୱର୍ଗତଃ ଦେଙ୍କର ଆଇନର ବିଭିନ୍ନ ଦିଗ ଓ ତାର କାର୍ଯ୍ୟକାରିତା ଉପରେ ଅଗାଧ ଦଖଲ ଥିଲା । ସ୍ୱର୍ଗତଃ ଦେଙ୍କ ପାର୍ଥୀବ ଶରୀର ଆଜି ମାଟିରେ ମିଶି ଯାଇଥାଇପାରେ; କିନ୍ତୁ ତାଙ୍କ ନୀତି, ଆଦର୍ଶ, ନେତୃତ୍ୱ ନେବାର ଦକ୍ଷତା, ଦୁଃଖକୁ ଚାପି ରଖି ହସିବାର ଦୃଢତା ଏବଂ ସାମାଜିକ ସଂପୃକ୍ତି କାଳକାଳକୁ ହୃଦୟରେ ଗାର ହୋଇ ରହିଯାଇଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡା, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମାର, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ, ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଓ ବିମ୍ବାଧର କୁଅଁର, ସାଂସଦ ପ୍ରତାପ ଷଡଙ୍ଗୀ, ବଳଭଦ୍ର ମାଝୀ, ଅନିତା ଶୁଭଦର୍ଶିନୀ, ବିଧାୟକ ଛବି ମଲ୍ଲିକ, ମହିଳା ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ବରିଷ୍ଠ ନେତା ବିନୋଦ ଦାଶ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ସୁଦୀପ୍ତ ରାୟ, ଦିଲୀପ ମଲ୍ଲିକ, ପ୍ରଶାନ୍ତ ସେନାପତି, ଜୟନ୍ତ ଜେନା, ଗୈାତମ ରାୟ, ଓମପ୍ରକାଶ ରାୟ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ତାଙ୍କ ସହ ବିତାଇଥିବା ଅନୁଭୁତିର ସ୍ମୃତିଚାରଣ କରିଥିଲେ ।

କଟକ – ଭୁବନେଶ୍ୱରକୁ ଟ୍ୱିନ ସିଟିର ଘୋଷଣା, କମିଶନରେଟ ପୋଲିସ ବ୍ୟବସ୍ଥା ଆରମ୍ଭ କରିବା, ରେଭେନ୍ସା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ଏବଂ ଦ୍ୱିତୀୟ କ୍ୟାଂପସ ପ୍ରତିଷ୍ଠା, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ସ୍ଥାପନା, ଭୁବନେଶ୍ୱରଠାରେ ଦୀନଦୟାଲ ପାର୍କ ଓ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କ ପ୍ରତିଷ୍ଠା କରିବା, ନେତାଜୀଙ୍କ ବାସଭବନକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ କରିବା ଆଦି ଅନେକ ପ୍ରସଙ୍ଗରେ ସ୍ୱର୍ଗତଃ ଦେଙ୍କ ପ୍ରମୁଖ ଭୁମିକା ଥିଲା । ଏଥି ସହ କ୍ରୀଡା କ୍ଷେତ୍ରରେ ମଧ୍ୟ ସ୍ୱର୍ଗତଃ ଦେଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ସ୍ମୃତି ସଭାରେ ଯୋଗ ଦେଇ ବକ୍ତାମାନେ ପ୍ରକାଶ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking