27.1 C
Bhubaneswar
Monday, March 30, 2026
Homeଦେଶ ବିଦେଶଅଦାନୀ ଗ୍ରୁପ୍ ଦାନ ନେବାକୁ ମନାକଲେ ରେଭନ୍ତ ରେଡ୍ଡୀ; ୧୦୦ କୋଟି ଟଙ୍କା ଫେରାଇବେ ତେଲଙ୍ଗାନା...

ଅଦାନୀ ଗ୍ରୁପ୍ ଦାନ ନେବାକୁ ମନାକଲେ ରେଭନ୍ତ ରେଡ୍ଡୀ; ୧୦୦ କୋଟି ଟଙ୍କା ଫେରାଇବେ ତେଲଙ୍ଗାନା ସରକାର

ହାଇଦ୍ରାବାଦ୍‌: ଗୌତମ ଅଦାନୀଙ୍କ ବିରୁଦ୍ଧରେ ୨୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଲଞ୍ଚ ଦିଆଯାଇଥିବା ଅଭିଯୋଗ ଆଧାରରେ ଆମେରିକୀୟ ଫେଡେରାଲ୍ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ସୁତରାଂ ଏବେ ଅଦାନୀ ଗ୍ରୁପ୍ ଠାରୁ ସମସ୍ତେ ଦୂରତା ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି। ରିପୋର୍ଟ ଅନୁସାରେ ୟଙ୍ଗ୍ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଅଦାନୀ ଗ୍ରୁପ୍ ତେଲଙ୍ଗାନା ସରକାରଙ୍କୁ ପ୍ରାୟ ୧୦୦କୋଟି ଟଙ୍କା ଦାନ କରିଥିଲେ। କିନ୍ତୁ ଆମେରିକୀୟ ଫେଡେରାଲ୍ କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ତେଲେଙ୍ଗାନାର କଂଗ୍ରେସ ସରକାର ଅଦାନୀ ଗ୍ରୁପ୍‌ର ଏହି ଦାନ ଅର୍ଥ ନେବାକୁ ମଧ୍ୟ ମନା କରିଦେଇଛନ୍ତି। ୟଙ୍ଗ୍ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଅଦାନୀ ଗ୍ରୁପ୍ ଦେଇଥିବା ୧୦୦କୋଟି ଟଙ୍କାର ଅନୁଦାନକୁ ଫେରାଇ ଦେବାକୁ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ନେତୃତ୍ୱାଧୀନ ସରକାର ନିଷ୍ପତ୍ତି ନେଇଛନ୍ତି। ଏସମ୍ପର୍କରେ ସୂଚନା ଦେଇ ନିଜେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି, ୟଙ୍ଗ୍ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଅଦାନୀ ଗ୍ରୁପ୍ ପକ୍ଷରୁ ଦାନ ସୂତ୍ରରେ ମଳିଥିବା ୧୦୦ କୋଟି ଟଙ୍କାକୁ ଫେରସ୍ତ ଦିଆଯିବ। ଏସମ୍ପର୍କରେ ଅଦାନୀ ଗ୍ରୁପକୁ ଏକ ଚିଠି ଲେଖି ଜଣାଇଦିଆଯାଇଛି। ରେଭନ୍ତଙ୍କ କହିବାନୁସାରେ ୟଙ୍ଗ୍ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଅନେକ କମ୍ପାନୀ ଦାନ କରିଛନ୍ତି। କିନ୍ତୁ ତାଙ୍କ ସରକାର ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ଅନୁଦାନର ଉତ୍ସ ସମ୍ପୂର୍ଣ୍ଣ ରୂପେ ନୈତିକ ଏବଂ ସ୍ୱଚ୍ଛ ହେବା ଦରକାର। ବିବାଦୀୟ ବ୍ୟକ୍ତିବିଶେଷ କିମ୍ବା ଗୋଷ୍ଠୀରୁ ଟଙ୍କା ଗ୍ରହଣ କରିବା ରାଜ୍ୟ ନୀତି ବିରୁଦ୍ଧ। ଏକ ସୋଲାର ପ୍ରକଳ୍ପର କଣ୍ଟ୍ରାକ୍ଟ ହାସଲ କରିବା ପାଇଁ ଗୌତମ ଅଦାନୀ ଏବଂ ତାଙ୍କ କମ୍ପାନୀ ‘ଅଦାନୀ ଗ୍ରୁପ୍ ଅଫ୍ କମ୍ପାନୀଜ୍‌, ଭାରତୀୟ ସରକାରୀ ଅଧିକାରୀଙ୍କୁ ୨୬୫ ନିୟୁତ ଡଲାର (ପ୍ରାୟ ୨୨୩୬ କୋଟି ଟଙ୍କା)ର ଲାଞ୍ଚ ଦେଇଥିବା ପ୍ରମାଣିତ ହୋଇଛି। ଏଥିରେ ଭାରତର ୪ ରାଜ୍ୟ ମଧ୍ୟ ଜଡ଼ିତ ଅଛି। ଏତଦ୍‌ବ୍ୟତୀତ ଆମେରିକା ନିବେଶକାରୀଙ୍କୁ ମିଛ ପ୍ରଲୋଭନ ଦେଖାଇ ଅଦାନୀ ଗ୍ରୁପ୍ ଷ୍ଟକ୍ ଏକ୍ସଚେଞ୍ଜ ଜରିଆରେ ଠକେଇ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଆମେରିକାର ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ କମିଶନ (ଏସ୍‌ଇସି) ଏବଂ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍ (ଡିଓଜେ) ଅଭିଯୋଗ କରିଥିଲେ ଯେ ଆମେରିକାରେ ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀ ନିଜ ରିନ୍ୟୁଏବଲ ଏନର୍ଜି କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ହାସଲ କରିବା ପାଇଁ ଭାରତର ସରକାରୀ ଅଧିକାରୀଙ୍କୁ ପାଖାପାଖି (୨,୨୩୬ କୋଟି ଟଙ୍କା) ଲାଞ୍ଚ ଦେଇଛନ୍ତି। ତେବେ ଏହି ଅଭିଯୋଗ ଆଧାରରେ ଆମେରିକା କୋର୍ଟ ଗୌତମ ଅଦାନୀ, ତାଙ୍କ ପୁତୁରା ସାଗର ଅଦାନୀଙ୍କ ସମେତ ୮ ଜଣଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିଥିଲେ। କିନ୍ତୁ ଏସବୁ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ତାଙ୍କୁ ବଦନାମ କିମ୍ବା ସେ ସେହି ଦୋଷ କରିଛନ୍ତି ବୋଲି ଧରି ନିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ ଭାବେ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି। ଏପର୍ଯ୍ୟନ୍ତ ମଧ୍ୟ ଏହି ମାମଲାରେ କାହାକୁ ଗିରଫ କରାଯାଇ ନାହିଁ କି କେହି ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି। ତଥାପି ଏହାର ସିଧା ପ୍ରଭାବ ଆଦାନୀ ଗ୍ରୁପ୍ ଉପରେ ପଡ଼ିଛି। ହିଣ୍ଡେନବର୍ଗ ରିପୋର୍ଟ ବେଳେ ଆଦାନୀ ଗ୍ରୁପକୁ ଯେତିକି କ୍ଷତି ସହିବାକୁ ପଡ଼ିନଥିଲା, ଏବେ କିନ୍ତୁ ଏହି ମାମଲାରେ କମ୍ପାନୀକୁ ତା’ଠାରୁ ଅଧିକ କ୍ଷତି ସହିବାକୁ ପଡ଼ିଛି। ତେବେ ଏସବୁ ମଧ୍ୟରେ ତେଲେଙ୍ଗାନା ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking