ତାମିଲନାଡୁ : ଏକ ତରଫା ଭଲପାଇବାକୁ ନେଇ ଏକ ଭୟଙ୍କର ରୂପ ସାମ୍ନାକୁ ଆସିଛି । ମାଲ୍ଲିପଟନମ ସରକାରୀ ସ୍କୁଲରେ ଆଜି ୨୬ ବର୍ଷୀୟ ଗୁରୁମା ରମଣୀ ରହିଥିବା ବେଳେ ୩୦ ବର୍ଷୀୟ ମଦନ ପ୍ରବେଶ କରିଥିଲା। ଏହାପରେ ସେ ରମଣୀଙ୍କୁ ଗୋଟିଏ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ତାଙ୍କ ତଣ୍ଟିକୁ କାଟି ଦେଇଥିଲା। ଗୁରୁତର ଅବସ୍ଥାରେ ରମଣୀଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଛି। ତାମିଲନାଡୁର ତାଞ୍ଜାଭୁର ଅଞ୍ଚଳରେ ଏପରି ଘଟଣା ଘଟିଛି। ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତ ମଦନକୁ ଗିରଫ କରି ଜେରା ଆରମ୍ଭ କରିଛି। ଜେରା ବେଳେ ମଦନ ନିଜର ଅପରାଧକୁ ସ୍ୱୀକାର କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ମଦନ ଏକତରଫା ଭାବେ ରମଣୀଙ୍କୁ ଭଲ ପାଉଥିଲା। ନିକଟରେ ମଦନର ପରିବାର ଲୋକ ବାହାଘର ପ୍ରସ୍ତାବ ନେଇ ରମଣୀଙ୍କ ଘରା ପହଞ୍ଚିଥିଲେ। ଉଭୟ ପରିବାର ଏକାଠି ବସିବା ସହ ଉଭୟଙ୍କ ବାହାଘର ସମ୍ପର୍କରେ ଆଲୋଚନା କରିଥିଲେ। ହେଲେ ରମଣୀ ବିବାହ ପ୍ରସ୍ତାବରେ ରାଜି ହୋଇ ନଥିଲେ। ରମଣୀ ସିଧାସଳଖ ବାହା ହେବାକୁ ମନା କରିଦେବାରୁ ମଦନକୁ ଏହା ବେଶ ବାଧିଥିଲା। ତେଣୁ ଏହାର ପ୍ରତିଶୋଧ ନେବାକୁ ସେ ସ୍କୁଲରେ ପଶି ରମଣୀଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।