25.1 C
Bhubaneswar
Friday, November 8, 2024
Homeଓଡିଶାପିଏମ୍-ପୋଷଣ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ

ପିଏମ୍-ପୋଷଣ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ

• ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ମଧ୍ୟାହ୍ନ ଭୋଜନ ପ୍ରଦାନ ନିମନ୍ତେ ଆଲୋଚନା

ଭୁବନେଶ୍ବର: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ଖାଦ୍ୟ ନିରାପତ୍ତା ଓ ସ୍ବଚ୍ଛତା ସମ୍ପର୍କିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ଅଧିକାରୀମାନଙ୍କୁ ନେଇ ଆୟୋଜନ କରାଯାଇଥିଲା । କୃଷି ଭବନର ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି । ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ, ବିଶ୍ବ ଖାଦ୍ୟ ସଂଗଠନ ଏବଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ପ୍ରାରମ୍ଭରେ ରାଜ୍ୟ ସଂଯୋଜକ ଅଧିକାରୀ ଶ୍ରୀଯୁକ୍ତ ରଘୁରାମ୍ ଆର୍ ଆୟାର ସ୍ବାଗତ ଅଭିଭାଷଣ ପ୍ରଦାନ କରି ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଜିଲ୍ଲା ଅଧିକାରୀମାନଙ୍କ କାର୍ଯ୍ୟକାରିତା ଶୈଳୀ ବୃଦ୍ଧି ଓ ବିଭିନ୍ନ ସଚେତନତା ବିଷୟରେ ଆଲୋକପାତ କରିଥିଲେ । ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ରାଜ୍ୟ ମୁଖ୍ୟ ଶ୍ରୀ ହିମାଂଶୁ ବଳ ମଧ୍ୟାହ୍ନ ଭୋଜନର ପ୍ରସ୍ତୁତି ସମୟରେ ସ୍ବଚ୍ଛତା, ପ୍ରଣାଳୀ, ଆବର୍ଜନା ପରିଚାଳନ ଏବଂ ପୋଷଣ ଉଦ୍ୟାନ ଉନ୍ନତୀକରଣ ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଦ୍ବାରା ସରକାରଙ୍କ ସମଗ୍ର ରାଜ୍ୟରେ ପୁଷ୍ଟିହୀନତାର ମୁକାବିଲା ଏବଂ ବିଦ୍ୟାଳୟରେ ଉପସ୍ଥାପନା ବୃଦ୍ଧି କରିବା ଦିଗରେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନରେ ପାଚିକା -ତଥା-ସହାୟିକାମାନଙ୍କୁ ବ୍ଲକସ୍ତରରେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଦେବା ନିମନ୍ତେ ସମସ୍ତ ଜିଲ୍ଲାରୁ ମୋଟ୍ ୧୬୦ ଜଣ ଜିଲ୍ଲା ଅଧିକାରୀ ତଥା ବିଇଓ, ଏବିଇଓ, ସି.ଆର୍.ସି.ସି ଏବଂ ପ୍ରଧାନ ଶିକ୍ଷକମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଶିକ୍ଷଣ ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ରୋଷେଇ ପ୍ରଣାଳୀ, ନିରାପଦ ଭୋଜନ ପ୍ରସ୍ତୁତି, ଗୁଣବତ୍ତା, ଉନ୍ନତମାନର ସାମଗ୍ରୀ, ଆବର୍ଜନା ପରିଚାଳନା ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ପୁଷ୍ଟି ଉଦ୍ୟାନ ଉପଯୋଗିତା, ପରିମଳ, ଆହାର ବିବିଧତା, ରକ୍ତହୀନତା ହ୍ରାସ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅନ୍ୟପକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିଶ୍ବନାଥ ତରାଇ ବିଦ୍ୟାଳୟ ପରିଦର୍ଶନ ସମୟର ନିଜର ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରିବା ସହ ଉପଶାସନ ସଚିବ ଶ୍ରୀମତୀ ରଞ୍ଜିତା ମେରି ନାୟକ ଅତିଥିବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ପ୍ରଶିକ୍ଷଣର ମୂଲ୍ୟାଙ୍କନ ନିମନ୍ତେ ମତାମତ ଗ୍ରହଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking