18.1 C
Bhubaneswar
Monday, December 22, 2025
Homeଓଡିଶାନିଳାଚଳ ଇସ୍ପାତ୍ କାରଖାନା ହତ୍ୟା କାଣ୍ଡର ସିବିଆଇ ତଦନ୍ତ ପାଇଁ ଦାବି କଲେ ପ୍ରଫୁଲ୍ଲ ଘଡେଇ

ନିଳାଚଳ ଇସ୍ପାତ୍ କାରଖାନା ହତ୍ୟା କାଣ୍ଡର ସିବିଆଇ ତଦନ୍ତ ପାଇଁ ଦାବି କଲେ ପ୍ରଫୁଲ୍ଲ ଘଡେଇ

ଯାଜପୁର: ରାଜ୍ୟରେ ଶିଳ୍ପ ବିକାଶର ନାରା ଦେଇ ପୁଂଜି ସଂଗ୍ରହ ପାଇଁ ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ବେଶ ତତ୍ପରତା ପ୍ରକାଶ କରିଛନ୍ତି । ରାଜ୍ୟରେ ଶିଳ୍ପ ବିକାଶ ହେଲେ ଖଣିଜ ସଂପଦର ମୂଲ୍ୟଯୁକ୍ତ ବିନିଯୋଗ ହେବା ସହିତ ରାଜ୍ୟର ବେକାର ଯୁବକ ଯୁବତୀ ମାନେ ନିଯୁକ୍ତି ଓ ବ୍ୟବସାୟର ସୁଯୋଗ ପାଇବେ ଏବଂ ସର୍ବୋପରି ରାଜ୍ୟ ସରକାର ରାଜସ୍ୱ ବାବଦରେ ଅଧିକ ଅର୍ଥ ପାଇବେ । ମାତ୍ର ୨୦୨୪ ନିର୍ବାଚନ ଫଳାଫଳ ବାହାରିବା ପରଠାରୁ ଦେଖା ଯାଉଛି ରାଜ୍ୟ ବିଶେଷ କରି ଖଣି, ଶିଳ୍ପ ବହୁଳ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଲାଣି । ଦିନ ଦ୍ୱିପ୍ରହରରେ ଶ୍ରମିକ ନେତାମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଉଛି ତ କେଉଁଠି ଓଡିଆ ଶ୍ରମିକଙ୍କୁ ମୃତାହତ କରାଯାଉଛି, ଯାହା ଅତୀତରେ କେବେ ଦେଖା ଯାଇନଥିଲା । ଯୁଗେ ଯୁଗେ ଓଡିଆ ଜାତୀର ଅସ୍ମିତା ହେଉଛି ସେମାନେ ଶାନ୍ତି ପ୍ରିୟ ଏବଂ ବନ୍ଧୁ ବତ୍ସଳ । ସେଥିପାଇଁ ବିଜୁ ଜନତା ଦଳ ସରକାର ସମୟରେ ଦେଶ ବିଦେଶର ଅନେକ ଖ୍ୟାତନାମା ଶିଳ୍ପ ପତି ଏଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗେଇ ଆସିଛନ୍ତି ଏବଂ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଂଜି ନିବେଶ କରିଛନ୍ତି । ଯାଜପୁର ଜିଲ୍ଲା କଳିଙ୍ଗ ନଗର ଠାରେ ଛୋଟ ବଡ କୋଡିଏରୁ ଅଧିକ ଶିଳ୍ପ ପ୍ରତିଷ୍ଠା ହୋଇ ସାରିଛି । ଅଧିକ ସଂଖ୍ୟାରେ ଶିଳ୍ପ କାରାଖାନା ପ୍ରତିଷ୍ଠା ପାଇଁ ଶିଳ୍ପ ଅନୁକୂଳ ବାତାବରଣ ପ୍ରତିଷ୍ଠା କରିବା ଜନସାଧାରଣ ସର୍ବୋପରି ଶାସକ ଦଳର କର୍ତ୍ତବ୍ୟ । କିନ୍ତୁ କିଛି ଦିନ ହେଲା ଶାନ୍ତ ସୁକିନ୍ଦାକୁ ଅଶାନ୍ତ କରାଯାଉଛି । ଯେଉଁମାନେ ଏ କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ପୋଲିସ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।ନିକଟରେ କଳିଙ୍ଗ ନଗରଠାରେ ପ୍ରତିଷ୍ଠିତ ଏବଂ ଟାଟା କଂପାନୀ ଦ୍ୱାରା ପରିଚାଳିତ ନୀଳାଚଳ ଇସ୍ପାତ ନିଗମ କାରଖାନାରେ ଯୁବ ଶ୍ରମିକ ସିଲୁ ପ୍ରଧାନକୁ ଯେଉଁ ଭଳି ଭାବରେ ଜୀଅନ୍ତା ପୋତି ମାରିଦିଆ ଗଲା ତାହା ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ ଏବଂ ମର୍ମାହତ କରିଛି । ପ୍ରଶ୍ନ ଉଠୁଛି ଏ ଭଳି କାର୍ଯ୍ୟ କରିବା ପାଇଁ ଅପରାଧିମାନେ ସାହସ ପାଇଲେ କେମିତି? ରାଜ୍ୟରୁ କ’ଣ ସତରେ ଆଇନର ଶାସନ ଉଠିଗଲା! ସୁରକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଥିବା ଟାଟା କଂପାନୀ କାରଖାନା ପରିସର ମଧ୍ୟରେ କିଭଳି ଏପରି ଏକ ବର୍ବରୋଚିତ କାର୍ଯ୍ୟ କରାଗଲା ଏବଂ କଂପାନୀ କର୍ତ୍ତୃପକ୍ଷ କାହିଁକି ୩ ଦିନ ଯାଏଁ ଏଭଳି ଏକ ସ୍ପର୍ଶକାତର ଓ ଜଘନ୍ୟ ହତ୍ୟାକାଣ୍ଡକୁ ଲୁଚାଇ ରଖିଲେ? ଶହ ଶହ ସୁରକ୍ଷାକର୍ମୀ, ଶହ ଶହ ସି.ସି. କ୍ୟାମେରା ଏବଂ ହଜାର ହଜାର କର୍ମଚାରୀ ଥିବାବେଳେ କେହି କ’ଣ ଏ ଘଟଣା ବିଷୟରେ ଜାଣି ନଥିଲେ? ନାଁ ଏହା ହୁଗୁଳା ଆଇନ ଶାସନକୁ ଆଖିଠାର ମାରିବା ସଦୃଶ । ଏଭଳି ଘୃଣ୍ୟ କାର୍ଯ୍ୟ ରାଜ୍ୟପାଇଁ ଅତ୍ୟନ୍ତ ନିନ୍ଦନୀୟ ଏବଂ ଅଭାବନୀୟ ଅଟେ । ସିଲୁ ପ୍ରଧାନର ମୃତ୍ୟୁ ତା’ ପରିବାର ପାଇଁ ଏକ ଅପୁରଣୀୟ କ୍ଷତି ଯାହାକୁ କେହି ଭରଣା କରିପାରିବ ନାହିଁ । ତେଣୁ ସିଲୁ ପ୍ରଧାନ ହତ୍ୟା କାଣ୍ଡର ଉପଯୁକ୍ତ ତଦନ୍ତ ପାଇଁ ଏହାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରେ(ସି.ବି.ଆଇ)କୁ ନ୍ୟସ୍ତ କରିବା ସହିତ ମୃତକଙ୍କ ପରିବାରକୁ ଅନ୍ୟୁନ ଏକ କୋଟି ଟଙ୍କା କ୍ଷତି ପୂରଣ, ମୃତକର ପରିବାରରୁ ଜଣକୁ ଟାଟା କଂପାନୀରେ ପ୍ରତ୍ୟକ୍ଷ ଭାବରେ ନିଯୁକ୍ତି ଏବଂ ଅପରାଧୀ ମାନଙ୍କୁ ଫାଷ୍ଟ ଟ୍ରାକ କୋର୍ଟରେ ବିଚାର କରି କଠୋରରୁ କଠୋରତମ ଦଣ୍ଡ ବିଧାନ କରିବା ସହିତ କଳିଙ୍ଗ ନଗର ଶିଳ୍ପାଂଚଳ ତଥା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ପୂର୍ବତନ ମନ୍ତ୍ରୀ ତଥା କଳିଙ୍ଗ ନଗର ମଜଦୁର ୟୁନିୟନର ପ୍ରତିଷ୍ଠାତା ଡଃ.ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଏକ ପ୍ରେସ ବିବୃତିରେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking