26.1 C
Bhubaneswar
Wednesday, October 30, 2024
Homeଓଡିଶାଜନସାଧାରଣଙ୍କୁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ : ବିକଶିତ ଓଡ଼ିଶାର ରୂପରେଖ ପ୍ରସ୍ତୁତ କରିବେ ଓଡ଼ିଶା...

ଜନସାଧାରଣଙ୍କୁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ : ବିକଶିତ ଓଡ଼ିଶାର ରୂପରେଖ ପ୍ରସ୍ତୁତ କରିବେ ଓଡ଼ିଶା ଲୋକେ

– ଭିଜନ ଡକ୍ୟୁମେଣ୍ଟ ପାଇଁ ଉନ୍ମାଚିତ ହେଲା ୱେବ୍ ପୋର୍ଟାଲ, ଲୋଗୋ
– ପୋର୍ଟାଲ, ହ୍ୱାଟସ୍ ଆପ୍ ଚାଟ୍ ଜରିଆରେ ଲୋକେ ପଠାଇବେ ପ୍ରସ୍ତାବ
ଭୁବନେଶ୍ୱର: ସମୃଦ୍ଧ ଓଡ଼ିଶା ୨୦୩୬ରେ ଗଠିତ ହେବ । ୨୦୪୭ର ବିକଶିତ ଭାରତ ପାଇଁ ଓଡ଼ିଶାର ରହିବ ମହତ୍ତ୍ୱପୂର୍ଣ୍ଣ ଅବଦାନ । ଏହି ଲକ୍ଷ୍ୟ ହାସଲ ପାଇଁ ଏକ ‘ଭିଜନ ଡକ୍ୟୁମେଣ୍ଟ’ ପ୍ରସ୍ତୁତ କରାଯିବ । ଏଥିପାଇଁ ଉନ୍ମାଚିତ ହୋଇଛି ସ୍ୱତନ୍ତ୍ର ୱେବ୍ ପୋର୍ଟାଲ । ବିକଶିତ ଓଡ଼ିଶାର ରୂପରେଖ ପ୍ରସ୍ତୁତ କରିବେ ଓଡ଼ିଶା ଲୋକେ । ସେଥିପାଇଁ ଜନସାଧାରଣଙ୍କୁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁରୋଧ କରିଛନ୍ତି । ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଜନ୍ ଡକ୍ୟୁମେଣ୍ଟ ପାଇଁ ଓଡ଼ିଶାର ଲୋକଙ୍କୁ ସୁଚିନ୍ତିତ ମତାମତ ଦେବା ପାଇଁ ଆହ୍ୱାନ ଦେଇଛନ୍ତି । ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ମିଳିତ ପ୍ରଚେଷ୍ଟାରେ ଏହି ୱେବ୍ ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ଜନସାଧାରଣ ଏହି ୱେବ୍ ପୋର୍ଟାଲ ସହିତ ହ୍ୱାଟସ୍ ଆପ୍ ୯୧ ୬୩୭୦୯୫୧୯୨୦ ଏବଂ ଇ-ମେଲ ଙ୍ଖସଗ୍ଦସକ୍ଟଦ୍ଭଅକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ଜରିଆରେ ରାଜ୍ୟ ସରକାରଙ୍କୁ ଆଜିଠାରୁ ତିନି ସପ୍ତାହ ମଧ୍ୟରେ ପ୍ରସ୍ତାବ ପଠାଇପାରିବେ । ବିକଶିତ ଓଡ଼ିଶା ଗଠନ ପାଇଁ ଆମେ ଯେଉଁ ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ ଯାଉଛୁ, ତାହା ଲୋକଙ୍କ ମତାମତ ଆଧାରରେ ହିଁ ପ୍ରସ୍ତୁତ ହେବ । ବିକଶିତ ଓଡ଼ିଶାର ରୂପରେଖ ଓଡ଼ିଶାର ଲୋକମାନେ ହିଁ ପ୍ରସ୍ତୁତ କରିବେ । ଏହା କେବଳ ଏକ ସରକାରୀ ଦସ୍ତାବିଜ ହେବନାହିଁ, ବରଂ ରାଜ୍ୟର ଜନସାଧାରଣଙ୍କ ଦ୍ୱାରା, ଜନସାଧାରଣଙ୍କ ପାଇଁ ଏକ ଦସ୍ତାବିଜ ହେବ । ଜନସାଧାରଣଙ୍କ ଆକାଂକ୍ଷାର ପ୍ରକୃତ ପ୍ରତିଫଳନ ହେବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ନିଜେ, ତାଙ୍କର ସହଯୋଗୀ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଗଣ ମଧ୍ୟ ସମାଜର ସବୁ ବର୍ଗର ଜନସାଧାରଣଙ୍କ ସହ ଆଲୋଚନା କରି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଲୋକଙ୍କ ବିଚାର ଓ ପ୍ରସ୍ତାବ ଉପରେ ଅନୁଶୀଳନ କରି ଗ୍ରହଣ କରିବେ । ଆମେ ସମସ୍ତେ ମିଳିମିଶି ଏପରି ଏକ ଓଡ଼ିଶା ଗଠନ କରିବୁ, ଯାହା ଅର୍ଥନୈତିକ ଭାବେ ସମୃଦ୍ଧ ହେବ । ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିବ । ମାନବ ବିକାଶ ସୂଚକାଙ୍କରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ଅର୍ଜନ କରିବ । ଆମ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଲୋକଙ୍କ ଇଚ୍ଛା ପ୍ରତିଫଳିତ ହେଉଛି ଏବଂ ହୋଇଚାଲିବ । ୨୦୩୬ ଓ ୨୦୪୭ର ଓଡ଼ିଶା, ଲୋକମାନଙ୍କ ଇଚ୍ଛା ଓ ସ୍ୱପ୍ନର ଏକ ପ୍ରତିଫଳନ ହେବ ବୋଲି ସେ କହିଛନ୍ତି । ଏହି ଭିଜନ ଡକୁମେଣ୍ଟ ପ୍ରସ୍ତୁତି ପାଇଁ ସମାଜର ବିଶିଷ୍ଟ ନାଗରିକ, ବିଭିନ୍ନ ନାଗରିକ ସଂଗଠନ, ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ନୀତି ନିର୍ଦ୍ଧାରକ, ପ୍ରବାସୀ ଓଡ଼ିଆ, ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠିତ ନେତୃବୃନ୍ଦଙ୍କ ସମେତ ସାଧାରଣ ଜନତା ମତାମତ ଦେଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ଏବଂ ୬ଟି ସଚିବସ୍ତରୀୟ କମିଟି ଗଠନ କରାଯାଇଛି । ୨୦୪୭ ମସିହାରେ ଭାରତ ବର୍ଷ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପାଳନ କରିବ । ଏହା ପୂର୍ବରୁ ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ କରିବ । ତେଣୁ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସଙ୍ଗେ ସଙ୍ଗେ ୨୦୪୭ରେ ବିକଶିତ ଭାରତ ଗଠନ ପାଇଁ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦୃଢ଼଼ ନେତୃତ୍ୱରେ ଭାରତ ବର୍ଷ ବିକଶିତ ଭାରତ ହେବା ଲକ୍ଷ୍ୟରେ ଅଗ୍ରସର ହେଉଛି । ପ୍ରଧାନମନ୍ତ୍ରୀଙ୍କ ଦୃଢ ପଦକ୍ଷେପ ସ୍ୱରୂପ ଦେଶ ଆଜି ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ହୋଇପାରିଛି । ଖୁବ୍‌ଶୀଘ୍ର, ଏହା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିର ମାନ୍ୟତା ହାସଲ କରିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ, ବିଶ୍ୱଗୁରୁ ହେବାର ରାସ୍ତାରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ୨୦୩୬ ସୁଦ୍ଧା ଓଡ଼ିଶା ଏକ ୫୦୦ ବିଲିଅନ୍ ଡଲାର ଅର୍ଥନୀତିରେ ପରିଣତ ହେବାର ଲକ୍ଷ୍ୟ ରଖାଯାଇଛି । ଏହା ସହିତ ୨୦୪୭ ସୁଦ୍ଧା ଆମେ ୧.୫ ଟ୍ରିଲିଅନ୍ ଅର୍ଥନୀତି ହେବାର ଲକ୍ଷ୍ୟ ମଧ୍ୟ ରଖିଛୁ । ପ୍ରଧାନମନ୍ତ୍ରୀଙ୍କର ହୃଦୟରେ ଓଡିଶା ପ୍ରତି ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ପ୍ରଧାନମନ୍ତ୍ରୀ ଅନେକ ଥର କହିଛନ୍ତି ଯେ ବିକଶିତ ଭାରତରେ ଓଡ଼ିଶା ଏକ ପ୍ରକୃଷ୍ଟ କ୍ଷେତ୍ର ହେବ । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟର ପରିକଳ୍ପନାରେ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିକାଶର ଗତି ତ୍ୱରାନ୍ୱିତ ହେବ । ଓଡ଼ିଶା ସବୁ କ୍ଷେତ୍ରରେ ଅଗ୍ରଗତି କରି ଦେଶର ଏକ ପ୍ରମୁଖ ରାଜ୍ୟ ହେବ । ଆମ ସରକାର ଖୁବ୍ ଅଳ୍ପ ଦିନ ମଧ୍ୟରେ ଲୋକଙ୍କ ସରକାର ଭାବେ ସୁନାମ ଅର୍ଜନ କରିଛି । ସାଧାରଣ ଲୋକଙ୍କୁ ଭେଟି, ସେମାନଙ୍କ ସୁଖ ଦୁଃଖ ଶୁଣିବା, ସମାଧାନର ଭରସା ଦେବା, ଆମ ସରକାରଙ୍କ ଆଭିମୁଖ୍ୟର ମୂଳମନ୍ତ୍ର । ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକମାନେ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆମର ଶାସନ ଓ ପ୍ରଶାସନରେ ଏହି ଗଣତାନ୍ତ୍ରିକ ପରମ୍ପରାକୁ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଚାଲୁଥିବା ଆମ ସରକାର ଲୋକଙ୍କ ସରକାର ଭାବରେ ପରିଚୟ ହାସଲ କରିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିକଶିତ ଭାରତର ରୂପରେଖକୁ ଆମେ ପ୍ରତିଦିନ ଅନୁଭବ କରୁଛୁ । ଲୋକଙ୍କ ସରକାର ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଲୋକଙ୍କୁ ଅଂଶୀଦାର କରି ଆଗକୁ ବଢିବ । ତେଣୁ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଯେଉଁ ଭିଜନ ଡକୁମେଣ୍ଟ ପ୍ରସ୍ତୁତ ହେବ ସେଥିରେ ସବୁ ବର୍ଗର ଲୋକଙ୍କ ମତାମତ ପ୍ରତିଫଳିତ ହେବ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ ନୀତି ଆୟୋଗର ସହଯୋଗରେ ଓଡ଼ିଶା ସରକାର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ସାଧାରଣ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରାଯିବ । ମତାମତକୁ ଅନୁଶୀଳନ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି । ଉତ୍କୃଷ୍ଟ ମତାମତ ଆଧାରରେ ଏହି ଡକୁମେଣ୍ଟ ପ୍ରସ୍ତୁତ କରାଯିବ । କାର୍ଯ୍ୟକ୍ରମରେ ଆଇନ, ଅବକାରୀ ଏବଂ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ, ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking