19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶହରିଆଣାରେ ଆରମ୍ଭ ହେଲା ସୈନୀ-୨ ସରକାର

ହରିଆଣାରେ ଆରମ୍ଭ ହେଲା ସୈନୀ-୨ ସରକାର

ଚଣ୍ଡିଗଡ଼: ହରିଆଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେପି ନେତା ନାଏବ ସିଂ ସୈନୀ। ନିଜ ନୂଆ କ୍ୟାବିନେଟ୍‌ରେ ୨ ମହିଳା ମନ୍ତ୍ରୀଙ୍କ ସମେତ ମୋଟ୍ ୧୩ଜଣଙ୍କୁ ସ୍ଥାନ ଦେଇଛନ୍ତି ସୈନୀ। ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ନବନିଯୁକ୍ତ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଥିସହ କ୍ରମାଗତ ଦ୍ୱିତୀୟ ଥର ପାଇଁ ସୈନୀ, ହରିଆଣାର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିବା ବେଳେ ରାଜ୍ୟରେ ପୁଣିଥରେ ସୈନୀ ସରକାର ଆରମ୍ଭ ହୋଇଛି। ଗୁରୁବାର ପଞ୍ଚକୁଲା ସ୍ଥିତ ସେକ୍ଟର ୫ ପରେଡ୍ ଗ୍ରାଉଣ୍ଡରେ ଶପଥ ସମାରୋହ ଆୟୋଜିତ ହୋଇଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଏନ୍‌ଡିଏ ମେଣ୍ଟର ସଦସ୍ୟ ଦଳ ମୁଖିଆମାନେ ମଧ୍ୟ ଯୋଗ ଦେଇଛନ୍ତି। ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ ସୈନୀଙ୍କ ଶପଥ ଉତ୍ସବରେ ଯୋଗ ଦେଇଥିଲେ।

ସଦ୍ୟ ସମାପ୍ତ ହରିଆଣା ବିଧାନସଭା ନିର୍ବାଚନରେ ବିଜେପି ଅପ୍ରତ୍ୟାଶିତ ଭାବେ ସଂଖ୍ୟା ଗରିଷ୍ଠତା ହାସଲ ପୂର୍ବକ ସରକାର ଗଠନ କରିବାକୁ ଜନାଦେଶ ପାଇଥିଲା। ହରିଆଣାରେ ଏଥର ବିଜେପି ବିରୋଧରେ ବ୍ୟାପକ ଜନଆକ୍ରୋଶ ଥିବା ବେଳେ ବିଜେପିକୁ ଏଥର ଏଠାରେ ପରାଜୟ ବରଣ କରିବାକୁ ପଡ଼ିପାରେ ବୋଲି ମଧ୍ୟ ବହୁ ବିଶିଷ୍ଟ ରାଜନୀତିଜ୍ଞମାନେ ପୂର୍ବାନୁମାନ କରିସାରିଥିଲେ। କିନ୍ତୁ ଏସବୁକୁ ଭୁଲ୍ ପ୍ରମାଣିତ କରି ବିଜେପି କ୍ରମାଗତ ତୃତୀୟ ଥର ପାଇଁ ଅର୍ଥାତ୍ ହ୍ୟାଟ୍ରିକ୍ ଥର ପାଇଁ ହରିଆଣାରେ ବହୁମତ ହାସଲ କରିଥିଲା। ଏସବୁର ଶ୍ରେୟ ସୈନୀଙ୍କୁ ଦିଆଯାଉଛି। ଲୋକଙ୍କୁ ଆକ୍ରୋଶକୁ ଦୂର କରି ଦଳକୁ ଲୋକଙ୍କ ନିକଟତର କରାଇବାରେ ସୈନୀ ବ୍ୟକ୍ତିଗତ ଭାବେ ବହୁ ପରିଶ୍ରମ କରିଥିଲେ। କୃଷକ ଆନ୍ଦୋଳନ, କୁସ୍ତିଯୋଦ୍ଧାଙ୍କ ଅନସନ ଏବଂ ସରକାର ବିରୋଧୀ ପବନ ନେଇ ବ୍ୟାକଫୁଟରେ ରହିଥିଲା ଦଳ। ଏଭଳି ସ୍ଥିତିରେ ମନୋହର ଲାଲ ଖଟ୍ଟରଙ୍କୁ ହଟାଇ ନାଏବ ସିଂ ସୈନିଙ୍କ ହାତରେ ହରିୟାଣା ରାଜନୀତିର ଡୋର ଧରାଇଥିଲା ବିଜେପି। ମାତ୍ର ୮ମାସରେ ନିଜ ନେତୃତ୍ୱ ବଳରେ ଦଳୀୟ ସଂଗଠନକୁ ଟ୍ରାକକୁ ଫେରାଇ ଆଣିବାରେ ସେ ସକ୍ଷମ ହୋଇଥିଲେ। ପରିଣାମ ସ୍ୱରୁପ ବିଧାନସଭା ନିର୍ବାଚନରେ ରାଜ୍ୟର ମୋଟ ୯୦ ଆସନରୁ ବିଜେପିକୁ ୪୮ଟି ଆସନ ମିଳି ଥିବାବେଳେ କଂଗ୍ରେସ ମାତ୍ର ୧୧ରେ ସୀମିତ ରହିଥିଲା।

ବୁଧବାର ଚଣ୍ଡୀଗଡ଼ରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ସୈନୀଙ୍କୁ ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା। ଏହି ବୈଠକରେ ବିଜେପି ପର୍ଯ୍ୟବେକ୍ଷକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଅନୀଲ ବିଜ୍ ଏବଂ କୃଷ୍ଣ ବେଦୀଙ୍କ ଭଳି ଦଳର ବରିଷ୍ଠ ନେତାମାନେ ସୈନୀଙ୍କ ନାମ ନେଇ ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ନବ ନିର୍ବାଚିତ ବିଧାୟକମାନେ ଏହାକୁ ସମର୍ଥନ କରିଥିଲେ। ନବଗଠିତ ମନ୍ତ୍ରିମଣ୍ଡଳରେ ଅନୀଲ ବିଜ୍‌, ଅରବିନ୍ଦ କୁମାର ଶର୍ମା, ଶ୍ୟାମ ସିଂ ରାଣା, ରଣବୀର ସିଂ ଗଙ୍ଗୱା, କ୍ରିଷନ୍ ବେଦୀ, କ୍ରିଷନ୍ ଲାଲ ପନୱାର, ରାଓ ନାରବିର ସିଂ, ମହିପାଲ୍ ଧାଣ୍ଡା, ବିପୁଲ ଗୋଏଲ, ଶ୍ରୁତି ଚୌଧୁରୀ ଏବଂ ଆରତୀ ସିଂହ ରାଓ ପ୍ରମୁଖ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ରାଜେଶ ନାଗର ଏବଂ ଗୌରବ ଗୌତମ (ସ୍ୱାଧୀନ ଦାୟିତ୍ୱ) ରାଜ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking