ନୂଆଦିଲ୍ଲୀ: ବାଂଲାଦେଶରେ ଶେଖ୍ ହସିନାଙ୍କ ବିରୋଧରେ ୬୦ରୁ ଅଧିକ ଅପରାଧିକ ମାମଲା ରୁଜୁ କରାଯାଇଛି। ଏସବୁ ମାମଲାରେ ଶୁଣାଣି କରିବା ପୂର୍ବକ ବାଂଲାଦେଶର ଏକ ଅପରାଧିକ ଟ୍ରିବ୍ୟୁନାଲ ଶେଖ୍ ହସିନାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି କରିଛନ୍ତି। ବାଂଲାଦେଶର ଇଣ୍ଟରନ୍ୟାସନାଲ୍ କ୍ରାଇମ୍ସ ଟ୍ରିବ୍ୟୁନାଲ୍ (ଆଇସିଟି) ତାଙ୍କୁ ନଭେମ୍ବର ୧୮ ସୁଦ୍ଧା ଗିରଫ କରି ହାଜର କରିବାକୁ ନିଜ ଦେଶର ସୁରକ୍ଷା ଏଜେନ୍ସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କେବଳ ଶେଖ୍ ହସିନା ନୁହଁନ୍ତି ବରଂ ହସିନାଙ୍କ ଦଳ ଆୱାମୀ ଲିଗ୍ର ଅନ୍ୟ କିଛି ବରିଷ୍ଠ ନେତାଙ୍କ ସମେତ ମୋଟ୍ ୪୫ଜଣ (ଦେଶର କିଛି ବରିଷ୍ଠ ସାମ୍ବାଦିକ, ତଦନ୍ତ ଅଧିକାରୀ, ସହଯୋଗୀ ଦଳର ନେତାଙ୍କୁ ମିଶାଇ) ଙ୍କୁ ଗିରଫ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ପ୍ରକାଶ, ଶେଖ୍ ହସିନା ୧୫ ବର୍ଷ ଧରି ବାଂଲାଦେଶରେ ଶାସନ କରୁଥିବା ବେଳେ ମାନବାଧିକାରର ଉଲ୍ଲଙ୍ଘନ କରିଆସୁଥିଲେ, ତାଙ୍କ ଶାସନ ସମୟରେ ବିରୋଧୀଙ୍କୁ ଦମନ କରାଯିବା ସହ ସେମାନଙ୍କ ହତ୍ୟା କରାଯାଉଥିବା ଭଳି ସଂଗୀନ୍ ଅଭିଯୋଗ ହୋଇଛି। ବିଶେଷ କରି ଜୁଲାଇରୁ ଅଗଷ୍ଟ ମଧ୍ୟରେ ହସିନାଙ୍କ ନିର୍ଦ୍ଦେଶରେ ତାଙ୍କ ନେତୃତ୍ୱାଧୀନ ସରକାର ଏକାଧିକ ନରସଂହାର କରିଥିବା ବାଂଲାଦେଶରେ ନବଗଠିତ ଅନ୍ତରୀଣ ସରକାର କହିଛନ୍ତି।
ଶେଖ୍ ହସିନା ଗତ ଅଗଷ୍ଟ ମାସ ୫ ତାରିଖରେ ଭାରତରେ ଆସି ପହଞ୍ôଚଥିଲେ। ଏଠାରେ ପହଞ୍ôଚବା ପରେ ସେ ଆମେରିକା କିମ୍ବା ବ୍ରିଟେନ୍ କିମ୍ବା ଫିନ୍ଲାଣ୍ଡ୍ ଚାଲିଯିବେ ବୋଲି କୁହାଯାଉଥିଲା। କିନ୍ତୁ ବ୍ରିଟେନ୍ ସରକାରଙ୍କ ପକ୍ଷରୁ ଶେଖ୍ ହସିନାଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିବା ବେଳେ ଆମେରିକା ଏବଂ ଫିନ୍ଲାଣ୍ଡ୍ ସରକାର ମଧ୍ୟ ହସିନାଙ୍କ ଏଣ୍ଟ୍ରି ଉପରେ ଚୁପ୍ ରହିଛନ୍ତି। ଫଳରେ ଶେଖ୍ ହସିନା ବାଧ୍ୟ ହୋଇ ଏବେ ଭାରତର କୌଣସି ଏକ ଅଜ୍ଞାତ ସ୍ଥାନରେ ହିଁ ଅବସ୍ଥାନ କରୁଛନ୍ତି। ଏପଟେ ବାଂଲାଦେଶର ଅନ୍ତରୀଣ ସରକାର ହସିନାଙ୍କ କୂଟନୀତିକ ପାସପୋର୍ଟକୁ ମଧ୍ୟ ରଦ୍ଦ କରିଦେଇଛନ୍ତି।
ନିଯୁକ୍ତିଗତ ସଂରକ୍ଷଣ ବ୍ୟବସ୍ଥାରେ ରହିଥିବା ଅସାମାନତା କାରଣରୁ ଛାତ୍ର ଆନ୍ଦୋଳନ ତଥା ଆକ୍ରୋଶର ଶିକାର ହୋଇ ନିଜ ଦେଶ ଛାଡି ଭାରତ ଚାଲିଆସିଥିଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଭାରତ ଆସିବା ପୂର୍ବରୁ ତାଙ୍କୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦ ଭଳି ଏକ ବଡ଼ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଭାରତ ପ୍ରତି ସର୍ବଦା ସମର୍ଥନ ବ୍ୟକ୍ତ କରିଆସିଥିବା ଏବଂ ଭାରତକୁ ନିଜ ବନ୍ଧୁ ଭାବୁଥିବା ୭୬ ବର୍ଷୀୟ ଶେଖ୍ ହସିନାଙ୍କୁ ମଧ୍ୟ ଭାରତ ଆଗପଛ ବିଚାର ନକରି ଶରଣ ଦେଇଥିଲା। ଦୁଇ ଦେଶ ମଧ୍ୟ କୂଟନୈତିକ ସମ୍ପର୍କ ପ୍ରଭାବିତ ଆଶଙ୍କା ରହିଥିବା ସତ୍ତ୍ୱେ ଭାରତ ସରକାର, ବାଂଲାଦେଶର ଏହି ସର୍ବାଧିକ ଶାସନକାରୀ ମହିଳା ପ୍ରଧାନମନ୍ତ୍ରୀଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଦେଇ ଭାରତରେ ରହିବାକୁ ଅନୁମତି ଦେଇଛନ୍ତି। ତେବେ ଏସବୁ ଘଟଣାକୁ ଇତିମଧ୍ୟରେ ୨ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଶେଖ୍ ହସିନା ଭାରତରେ ହିଁ ଡେରା ପକାଇଛନ୍ତି। ଏହାକୁ ନେଇ ବାଂଲାଦେଶର ନବଗଠିତ ସରକାରଙ୍କ ପକ୍ଷରୁ ଭାରତ ଉପରେ ବାରମ୍ବାର ଚାପ ମଧ୍ୟ ପକାଯାଉଛି। କିନ୍ତୁ ଭାରତ ସରକାର ଶେଖ୍ ହସିନାଙ୍କ ସମ୍ପର୍କରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ଭାରତରେ ତାଙ୍କ ଉପସ୍ଥିତି ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି କରିଛି।









