32.1 C
Bhubaneswar
Thursday, October 17, 2024
Homeଦେଶ ବିଦେଶଶପଥ ନେଲେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନୀ

ଶପଥ ନେଲେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନୀ

ଚଣ୍ଡିଗଡ: ଦ୍ବିତୀୟ ଥର ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାଏବ ସିଂ ସୈନୀ । ପଞ୍ଚକୁଲାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ବନ୍ଦୃ ଦତ୍ତାତ୍ରେୟ ସୈନୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସୈନୀଙ୍କ ସହ ୧୩ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଦାବିଦାର ଥିବା ଅନୀଲ ବିଜ ମଧ୍ୟ ରହିଛନ୍ତି । ଗତକାଲି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ସୈନୀଙ୍କୁ ପୁଣି ଥରେ ନେତା ନିର୍ବାଚିତ କରାଯାଇଥିଲା ।

ଆଜି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ପୂରା ବିଜେପି କ୍ୟାମ୍ପ ସାମିଲ ହୋଇଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ନୀତିନ ଗଡକରୀଙ୍କ ସମେତ, ଏକାଧିକ ବିଜେପିଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ବହୁ କେନ୍ଦ୍ରମନ୍ତ୍ରୀ ଓ ‘ଏନଡିଏ’ ମେଣ୍ଟ ସହଯୋଗୀ ଦଳର ବରିଷ୍ଠ ନେତାମାନେ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ ।

ଏନଡିଏ ମେଣ୍ଟର ଅନ୍ୟତମ ମୁଖ୍ୟ ସହଯୋଗୀ ‘ଟିଡିପି’ ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ନୀତିଶ କ୍ୟାମ୍ପରୁ ବରିଷ୍ଠ ଜେଡିୟୁ ନେତା ତଥା କେନ୍ଦ୍ରମନ୍ତ୍ରୀ ଲଲନ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ରାଜ୍ୟରେ ୨୦୧୪ରୁ କ୍ଷମତା ଦଖଲ କରିଥିବା ବିଜେପି କ୍ଷମତାର ତୃତୀୟ ପାଳି ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ଭାବେ ସୈନୀ ଦ୍ବିତୀୟ ଥର ଶପଥ ନେଇଛନ୍ତି । ହରିୟାଣାରେ ବିଜେପି ଏଥର ହ୍ୟାଟ୍ରିକ୍‌ କ୍ଷମତା ହାସଲ କରିଛି ।

୯୦ ବିଧାନସଭା ଆସନରୁ ସରକାର ଗଠନ କରିବା ପାଇଁ ୪୫ ଆସନ ଆବଶ୍ୟକ ଥିବା ବେଳେ ବିଜେପି ୪୮ ଆସନ ସହ ସଂଖ୍ୟା ବହୁମତ ହାସଲ କରିଛି । ପୂର୍ବ ସରକାରରେ ବିଜେପି ‘ଜେଜେପି’ର ସମର୍ଥନରେ ସରକାର ଗଠନ କରିଥିଲା । ପରବର୍ତ୍ତୀ ସମୟରେ ଦୁଷ୍ୟନ୍ତ ଚୌଟାଲାଙ୍କ ‘ଜେଜେପି’ ସହ ସମ୍ପର୍କ ଛିନ୍ନ କରି ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଥିଲା । ଏବେ ଦଳ ଏକାକୀ ରାଜ୍ୟରେ ତୃତୀୟ ପାଳି ଆରମ୍ଭ କରିବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking