30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶକେଜ୍ରିୱାଲ୍‌ଙ୍କ ପରେ ରାହୁଲଙ୍କୁ ଏକ ଶକ୍ତ ଝଟ୍‌କା ଦେଲେ ଅଖିଳେଶ

କେଜ୍ରିୱାଲ୍‌ଙ୍କ ପରେ ରାହୁଲଙ୍କୁ ଏକ ଶକ୍ତ ଝଟ୍‌କା ଦେଲେ ଅଖିଳେଶ

ନୂଆଦିଲ୍ଲୀ: ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ପରେ ଏବେ ଇଣ୍ଡିଆ ମେଣ୍ଟରେ ଏକ ବଡ଼ ଧରଣର ହଲ୍‌ଚଲ୍ ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ ଇଣ୍ଡିଆ ମେଣ୍ଟରେ କଂଗ୍ରେସର ସବୁଠୁ ବଡ଼ ସହଯୋଗୀ ଦଳ ରହିଥିବା ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ଏବେ କଂଗ୍ରେସ ଠାରୁ ଦୂରେଇବା ଆରମ୍ଭ କରିଦେଇଛନ୍ତି। ଗୋଟିଏ ପଟେ ଏସ୍‌ପି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଯେଉଁଠି ହରିଆଣା ଫଳାଫଳ ପରେ ନିଜ ସ୍ୱରକୁ ଜୋର କରିଛନ୍ତି ସେଠାରେ ଆପ୍ ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ରମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି।

ହରିଆଣା ବିଧାନସଭା ଫଳାଫଳ କଂଗ୍ରେସକୁ ଏକରକମ ବ୍ୟାକଫୁଟ୍‌କୁ ଠେଲି ଦେଇଥିବା ବେଳେ ଏବେ ସହଯୋଗୀ ଦଳଙ୍କ ପକ୍ଷରୁ ଗୋଟିଏ ପରେ ଗୋଟିଏ ବଡ଼ ଝଟ୍‌କା ଲାଗିବାରେ ଲାଗିଛି। ହରିଆଣାରେ କଂଗ୍ରେସ ମାତ୍ର ୩୯ ଆସନ ଜିତିଥିବା ବେଳେ ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ସରକାର ଗଢ଼ିବାକୁ ଜନାଦେଶ ପାଇଛି। ତେବେ ହରିଆଣାରେ ଏପ୍ରକାର ପରାଜୟ ପରେ ପ୍ରଥମେ ଆପ୍ ମୁଖ୍ୟ କେଜ୍ରିୱାଲ୍‌, ପରେ ପରେ ଉଦ୍ଧବ ଗୋଷ୍ଠୀର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ଏବେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ମଧ୍ୟ କଂଗ୍ରେସକୁ ବଡ଼ ଝଟ୍‌କା ଦେଇଛି।

ରିପୋର୍ଟ ଅନୁସାରେ ଆଗକୁ ଉତ୍ତରପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏକପାଖିଆ ଭାବେ ୧୦ରୁ ୬ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଦେଇଛି। ଏହାର ସିଧାସଳଖ ଅର୍ଥ ଉପନିର୍ବାଚନରେ ସମାଜବାଦୀ ପାର୍ଟି କଂଗ୍ରେସ ଠାରୁ ଅଧିକ ଆସନରେ ନିର୍ବାଚନ ଲଢ଼ିବାକୁ ଚାହୁିଁଛି। ଏସମ୍ପର୍କରେ କଂଗ୍ରେସ ସହ ସମାଜବାଦୀ ପାର୍ଟି କୌଣସି ଆଲୋଚନା ମଧ୍ୟ କରିନଥିବା ଜଣାପଡିଛି। ପ୍ରକାଶ, କଂଗ୍ରେସ ଏହି ୧୦ ଆସନରୁ ୫ଟିରେ ଲଢିବାକୁ ଚାହୁଁଥିଲା। କିନ୍ତୁ ହରିଆଣା ଫଳାଫଳକୁ ଦୃଷ୍ଟିରେ ରଖି ଏବଂ ନିଜେ ଲୋକସଭା ନିର୍ବାଚନରେରେ ଭଲ ପ୍ରଦର୍ଶନ କରିଥିବାରୁ ସମାଜବାଦୀ ପାର୍ଟି ପକ୍ଷରୁ ୬ଟି ଆସନ ପାଇଁ ପ୍ରାର୍ଥୀ ଦିଆଯାଇଛି। ସମାଜବାଦୀ ପାର୍ଟିର ଏପ୍ରକାର ଆଚରଣକୁ ନେଇ କଂଗ୍ରେସ ଆଶ୍ଚର୍ଯ୍ୟଚକିତ ହୋଇପଡିଛି।

ଏ ସମ୍ପର୍କରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ରବିଦାସ ମହରୋତ୍ରା କହିଛନ୍ତି, ଉତ୍ତରପ୍ରଦେଶ ଉପନିର୍ବାଚନରେ ବିଜେପିକୁ ହରାଇବାର କ୍ଷମତା ରଖିଥିବା ଦଳର ୬ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କଂଗ୍ରେସ ସହ ବାକି ୪ ଆସନ ପାଇଁ କଥାବାର୍ତ୍ତା ଚାଲିଛି। ଆଶା କଂଗ୍ରେସ ମେଣ୍ଟ କରିବ। ସେହିପରି ହରିଆଣା ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି, ଯଦି କଂଗ୍ରେସ ହରିଆଣାରେ ସମାଜବାଦୀ ପାର୍ଟି ଏବଂ ଆମ୍ ଆଦ୍‌ମୀ ପାର୍ଟି ସହ ମେଣ୍ଟ କରିଥାଆନ୍ତା, ତା’ହେଲେ ଇଣ୍ଡିଆ ମେଣ୍ଟ ଆଜି ସେଠାରେ କ୍ଷମତା ଦଖଲ କରିଥାଆନ୍ତା। କଂଗ୍ରେସ ନିଜ ଜିଦ୍ କାରଣରୁ ହରିଆଣରେ ଗୋଟିଏ ବି ଆସନ ଅନ୍ୟ ସହଯୋଗୀ ଦଳଙ୍କୁ ଛାଡିନଥିଲା। ଏହାର ପରିଣାମ କଂଗ୍ରେସ ଏବେ ନିଜେ ଦେଖୁଛି ଏବଂ ଅନୁତାପ କରୁଛି।

ଏହାପୂର୍ବରୁ ଉଦ୍ଧବ୍ ଠାକ୍‌ରେ ମଧ୍ୟ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ ଏବଂ ଦଳ ନିଜ ସହଯୋଗୀ ଦଳଙ୍କ ଉପରେ ଭରସା ବିଶ୍ୱାସ ରଖିବା ସହ ମିଳିତ ଭାବେ ଲଢ଼େଇ କରିବାର ଥିଲା ବୋଲି କହିଥିଲେ। କେଜ୍ରିୱାଲ୍ ମଧ୍ୟ କଂଗ୍ରେସକୁ ମାତ୍ରାଧିକ ଆତ୍ମବିଶ୍ୱାସ, ଅହଂକାର ଯୋଗୁ ହରିଆଣାରେ ପରାଜିତ ହେବାକୁ ପଡ଼ିଛି ବୋଲି ତାତ୍ସଲ୍ୟ କରିଥିଲେ। ଏପରିକି ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ମଧ୍ୟ ତାଙ୍କ ଦଳ ଆପ୍ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛନ୍ତି। ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ହୋଇଥିବା ବେଳେ ଦିଲ୍ଲୀରେ ଏକାକୀ ଲଢ଼ିବାର ଘୋଷଣା କଂଗ୍ରେସ ପାଇଁ ବଡ଼ କ୍ଷତିକାରକ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking