26.1 C
Bhubaneswar
Sunday, October 6, 2024
Homeଓଡିଶାଯାଜପୁର ଠାରେ ଆଗାମୀ କାଳୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

ଯାଜପୁର ଠାରେ ଆଗାମୀ କାଳୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

ଯାଜପୁର : ଶନିବାର କାଳୀପୂଜା ଯାଜପୁର ଜିଲ୍ଲାରେ ଏକ ଗଣପର୍ବ ହୋଇଥିବାରୁ ତାହାକୁ ଶାନ୍ତି ଶୃଙ୍ଖଳା ଭାବେ ପାଳନ କରିବା ନିମନ୍ତେ ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଗଣପର୍ବ କାଳୀପୂଜା କୁ ଶାନ୍ତି, ମୈତ୍ରୀ, ସଂପ୍ରିତି, ଭାଇଚାରା ଓ ସୌହାର୍ଦ୍ୟପୂର୍ଣ୍ଣ ଶୃଙ୍ଖଳା ବାତାବରଣ ମଧ୍ୟରେ ପୂଜା ଓ ଭସାଣି କୁ ସମାପନ କରିବା ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ମାଜଷ୍ଟ୍ରେଟ ଶ୍ରୀମତୀ ରେଡ୍ଡୀ ସମସ୍ତ ପୂଜା କମିଟି ର କର୍ମକର୍ତ୍ତା ମାନଙ୍କ ସହଯୋଗ କାମନା କରିଥିଲେ। ଏଥି ସହିତ ଚଳିତ ବର୍ଷ ପୂଜା ମଣ୍ଡପ ଓ ତାର ପାରିପାର୍ଶ୍ବିକ ଅଞ୍ଚଳରେ ସ୍ବଚ୍ଛତା ରଖିବାପାଇଁ ପରାମର୍ଶ ଦେବା ସହିତ ଶ୍ରେଷ୍ଠ ବିବେଚିତ ୩ ଗୋଟି ପୂଜା ମଣ୍ଡପ କୁ ଯାଜପୁର ପୌର ସଂସ୍ଥା ପକ୍ଷରୁ ପୁରସ୍କୃତ କରାଯିବ। ବିଭିନ୍ନ ପୂଜା କମିଟି ଓ ପୂଜା ମଣ୍ଡପ ଗୁଡ଼ିକର ସଭାପତି, ସମ୍ପାଦକ, ଶାନ୍ତି କମିଟିର ସଦସ୍ୟ, ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ମାନେ ଏହି ବୈଠକରେ ଯୋଗଦେଇ ବିଭିନ୍ନ ପ୍ରସ୍ତାବମାନ ଉତ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ପୂଜା କମିଟିର ବରିଷ୍ଠ କର୍ମକର୍ତ୍ତା ମାନେ ଆଗାମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ନିମନ୍ତେ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ। ବିଭିନ୍ନ ଶାନ୍ତି କମିଟି ଓ ପୂଜା କମିଟି ତରଫରୁ ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଆସନ୍ତା ନଭେମ୍ବର ୩୦ ତାରିଖରୁ ଲକ୍ଷ୍ମୀ ନାରାୟଣ ପୂଜା ଓ ୩୧ ତାରିଖରୁ ମା’ କାଳୀ ପୂଜା ଆରମ୍ଭ ହେବା ସହ ନଭେମ୍ବର ୦୮ ଓ ୦୯ ତାରିଖ ୨ ଦିନ ଧରି ଭସାଣି ଉତ୍ସବ ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ବର୍ଷ ନୂତନ ଭାବେ ପ୍ରଚଳିତ ସିଙ୍ଗଲ ୱିଣ୍ଡୋ ସିଷ୍ଟମ୍ ମାଧ୍ୟମରେ ସମସ୍ତ ପୂଜା କମିଟି ତାଙ୍କର ଫାୟର ସାର୍ଟିଫିକେଟ, ସାଉଣ୍ଡ ପରମିଶନ ଓ ଇଲେକ୍ଟ୍ରିକ ସାର୍ଟିଫିକେଟ ଆବେଦନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ନେବା ପାଇଁ ବ୍ୟବସ୍ଥା କରାଯିବ। ପୂଜା ସମୟରେ ପ୍ରତ୍ୟେହ ରାତ୍ର ୧୨ ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଭସାଣି କୁ ଡିଜେ ମୁକ୍ତ, ନିଶାମୁକ୍ତ ଏବଂ ଶାନ୍ତି ପୂର୍ଣ୍ଣ ଭାବେ ପାଳନ ପୂର୍ବକ ଆଇନ୍ ଶୃଙ୍ଖଳା ପ୍ରତି ଧ୍ୟାନ ଦେବାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶ ପ୍ରତାପ ଶ୍ରିମାଲ ପୂଜା ମଣ୍ଡପ ଓ ପୂଜା କମିଟିର ସଭାପତି ଓ ସମ୍ପାଦକ ମାନଙ୍କ ମୋବାଇଲ ନମ୍ବର ସ୍ଥାନୀୟ ଆଇ. ଆଇ. ସି କୁ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ସେହିପରି ପୂଜା କମିଟିମାନ ସମ୍ଭାବ୍ୟ ଅଗ୍ନିକାଣ୍ଡର ମୁକାବିଲା ପାଇଁ ବାଲି ଓ ପାଣି ର ବ୍ୟବସ୍ଥା କରିବା, ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା, ଶବ୍ଦ ପ୍ରଦ୍ୟୁଷଣ ନ କରିବା, ପ୍ରତ୍ୟେକ ପୂଜା କମିଟିର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ରହିବା, ଶାନ୍ତି କମିଟିର ସଦସ୍ୟ ମାନେ ବୈଠକ କରି ବିଭିନ୍ନ ସମସ୍ୟାର ସମାଧାନ କରିବା, ଟ୍ରାଫିକ ନିୟନ୍ତ୍ରଣ, ରାସ୍ତା ମରାମତି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ୨ ରୁ ୩ ଗୋଟି ଟ୍ରାନସଫର୍ମର ମହଜୁଦ କରି ରଖିବା, ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ସମସ୍ତ କାର୍ଯ୍ୟର ତଦାରଖ ନିମନ୍ତେ ଏକ କୋର କମିଟି ଗଠନ କରିବାକୁ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ବୈଠକରେ ସୂଚନା ଦେଇଥିଲେ। ପ୍ରତ୍ୟେକ ପୂଜା ମଣ୍ଡପକୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କରିବାପାଇଁ କମିଟିର କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ଯେଉଁ ପୂଜା କମିଟି ବା ପୂଜା ମଣ୍ଡପ ନିଷ୍ପତ୍ତିକୁ ଅବମାନନା ବା ଉଲଂଘନ କରିବେ ସେମାନଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ସମୂହ ପୂଜାରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ସେହିପରି ପୂଜା ମଣ୍ଡପ ନିକଟରେ ସି ସି କ୍ୟାମେରା ଲଗାଇବା, ଭସାଣି ଦିବସରେ ମଦ ଦୋକାନ ବନ୍ଦ ରଖିବା, ପୌରାଞ୍ଚଳରେ ସମସ୍ତ ରାସ୍ତା ଘାଟ ଆଲୋକିକରଣ କରିବା ଆଦି କାର୍ଯ୍ୟ ଗୁଡ଼ିକୁ ତ୍ୱରାନ୍ୱିତ କରିବା ଦିଗରେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସର୍ବୋପରି ଯାଜପୁର ଜିଲ୍ଲାର ଗଣ ପର୍ବ କାଳୀ ପୂଜ କୁ ଆନନ୍ଦ ଉଲ୍ଲାସ ଏବଂ ଭକ୍ତି ଭାବସହ ପାଳନ କରି ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତେ ମା’ ଙ୍କ କୃପା କରୁଣା ଲାଭ କରିବାକୁ ଜିଲ୍ଲାପାଳଙ୍କ ଜିଲ୍ଲାବାସୀଙ୍କୁ ପରାମର୍ଶ ପ୍ରଦାନ କରିଛନ୍ତି। ଆଜିର ଏହି ପ୍ରସ୍ତୁତି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକୃଷ୍ଣ ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେହୂରିଆ, ସହକାରୀ ଜିଲ୍ଲାପାଳ ଶ୍ରୀମତୀ ନିବେଦିତା ପ୍ରଧାନ, ମଞ୍ଚାସୀନ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନିରୁଦ୍ଧ ରାଉତରାୟ, ଡି.ଆଇ.ବି – ଡି.ଏସ.ପି ଅନିଲ ପ୍ରଧାନ, ରିଜର୍ଭ ଇନ୍ସପେକ୍ଟର ଦିନେଶ କୁମାର ସାହୁ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଲେଙ୍କା, ଭାରା ପ୍ରାପ୍ତ ଟାଉନ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ଯାଜପୁର ପୌର ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ମଲ୍ଲିକ, ପୂଜା ଓ ଶାନ୍ତି କମିଟିର ବରିଷ୍ଠ କର୍ମକର୍ତ୍ତା ଶ୍ରୀ କର୍ଣ୍ଣାଟ କେଶରୀ ଦାସ, ଶ୍ରୀ ବଟକୃଷ୍ଣ ମହାପାତ୍ର, ଶ୍ରୀ ଦିଗମ୍ବର କର, ଭବ ପ୍ରସାଦ ଦାସ, ଶ୍ରୀ ବଳଭଦ୍ର ଦାସ, ବରିଷ୍ଠ ରାସସ୍ବ ସହାୟକ ମଦନ ମୋହନ ପତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking