28.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶଟଙ୍କା ପାଇଁ ଶେଷକୁ ଯୁଦ୍ଧ ବିମାନ ବିକିଲା ପାକିସ୍ତାନ

ଟଙ୍କା ପାଇଁ ଶେଷକୁ ଯୁଦ୍ଧ ବିମାନ ବିକିଲା ପାକିସ୍ତାନ

ଇସଲାମାବାଦ୍‌: ପାକିସ୍ତାନ ଅର୍ଥନୀତ ଦିନକୁ ଦିନ ଭୁଶୁଡିବାରେ ଲାଗିଥିବା ବେଳେ ପାକିସ୍ତାନ ସରକାର ଅନ୍ୟ ଦେଶ ପାଖରେ ଆର୍ଥିକ ସହାୟତା ପାଇଁ ହାତ ପତାଉଛନ୍ତି । ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଲୋକମାନେ ଦୈନନ୍ଦିନ ଆବଶ୍ୟକୀୟ ଜିନିଷ କିଣିବା ପାଇଁ ସଂଘର୍ଷ କରୁଛନ୍ତି । ପାକିସ୍ତାନ ଉପରେ ବିଦେଶୀ ଋଣ ବୋଝ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ସ୍ଥିତି ଏପରି ହୋଇଛି ଯେ, ପାକିସ୍ତାନ ସରକାରଙ୍କୁ ନିଜ ଯୁଦ୍ଧ ବିମାନ ବିକିବାକୁ ପଡ଼ିଛି ।

ରିପୋର୍ଟ ଅନୁସାରେ ଆଜରବୈଜାନ୍ ୧.୬ ବିଲିୟନ ଡଲାରର ଚୁକ୍ତି ଅନୁଯାୟୀ ପାକିସ୍ତାନ୍ ଠାରୁ ଚୀନ ନିର୍ମିତ ମଲ୍ଟି ରୋଲ୍ ଜେଏଫ୍‌-୧୭ ବ୍ଲକ୍‌-୩ ଲଢୁଆ ବିମାନ କିଣିଥିବା ଜଣାପଡିଛି । ପାକିସ୍ତାନୀ ସେନା ପକ୍ଷରୁ ଏସମ୍ପର୍କରେ ସୂଚନା ଦିଆଯାଇଛି । ପାକ୍ ସେନା ମଧ୍ୟ ସ୍ପଷ୍ଟ କରିଛି ଯେ, ସେମାନେ ନିକଟରେ ଜେଏଫ-୧୭ ବ୍ଲକ-୩ ଲଢୁଆ ବିମାନ ବିକ୍ରି କରିବା ପାଇଁ ଆଜରବୈଜାନ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ‘ଡନ୍‌\’ ଖବରକାଗଜ ଅନୁଯାୟୀ, ଚଳିତ ବର୍ଷ ଫେବ୍ରୁଆରିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ୧.୬ ବିଲିୟନ ଡଲାରର ଏହି ଚୁକ୍ତିରେ ବିମାନ, ଅସ୍ତ୍ରଶସ୍ତ୍ର ଏବଂ ପ୍ରଶିକ୍ଷଣ ଆଦି ଅନ୍ତର୍ଭୁକ୍ତ ବୋଲି ଆଜରବାଇଜାନ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି । ତେବେ ବାସ୍ତବରେ ପାକିସ୍ତାନ କେତେ ପରିମାଣର ବିମାନ କିମ୍ବା ଅନ୍ୟ ସାମରିକ ଉପକରଣ ବିକ୍ରି କରିବାକୁ ଯାଉଛି ସେସମ୍ପର୍କରେ ସଠିକ୍ ତଥ୍ୟ ସାମ୍ନାକୁ ଆସିପାରିନାହିଁ ।

ସୂଚନାଯୋଗ୍ୟ, ପାକିସ୍ତାନ୍ ପାଖରେ ନିଜ ସାମର୍ଥ୍ୟରେ କୌଣସି ଯୁଦ୍ଧ ବିମାନ ତିଆରି କରିବାର କୌଣସି ସୁଯୋଗ ନାହିଁ । ଉଭୟ ଆମେରିକା ଓ ଚୀନ୍ ପାଖରୁ ପାକିସ୍ତାନ ନିଜ ସାମରିକ ସେବା ପାଇଁ ଯୁଦ୍ଧ ବିମାନ ତଥା ଅନ୍ୟାନ୍ୟ ସାମରିକ ଉପକରଣ ଦାନ ସୂତ୍ରରେ କିମ୍ବା ଅଳ୍ପ ଦାମ୍‌ରେ କ୍ରୟ କରିଥାଏ । ପାକିସ୍ତାନ ଏବେ ଏସବୁ ବିମାନକୁ ମଧ୍ୟ ବିକ୍ରି କରିବାକୁ ବାଧ୍ୟ ହୋଇପଡ଼ିଛି । ତେବେ ସର୍ତ୍ତ ଅନୁସାରେ ପାକିସ୍ତାନ ଆମେରିକା ପ୍ରଦତ୍ତ ଏଫ୍‌-୧୬ ବିମାନକୁ କୌଣସି ପରିସ୍ଥିତିରେ ମଧ୍ୟ ଅନ୍ୟ ଦେଶକୁ ବିକ୍ରି କରିପାରିବ ନାହିଁ । ଫଳରେ ପାକିସ୍ତାନ ଏବେ ଚୀନ୍ ନିର୍ମିତ ବିମାନକୁ ବିକ୍ରି କରିବ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking