37.1 C
Bhubaneswar
Friday, May 15, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ବର ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ବର ଗସ୍ତ

ବାଲିଆପାଳ ଓ ଭୋଗରାଇ ବନ୍ୟାପ୍ରଭାବିତ ଅଞ୍ଚଳରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ
ବାଲେଶ୍ବରରେ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ
ପ୍ରଭାବିତ ଲୋକଙ୍କୁ ରନ୍ଧାଖାଦ୍ୟ, ରିଲିଫ୍ ପ୍ରଦାନ ପାଇଁ ନିର୍ଦ୍ଦେଶ
ଉଦ୍ଧାର କାର୍ଯ୍ୟ ପାଇଁ ୮ଟି ଅଗ୍ନିଶମ ବାହିନୀ, ୩ଟି ଓଡ୍ରାଫ ବାହିନୀ ଓ ଗୋଟିଏ ଏନଡିଆରଏଫ ଟିମ୍ ନିୟୋଜିତ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ବର ଜିଲ୍ଲା ଗସ୍ତ କରି ବାଲିଆପାଳ ଓ ଭୋଗରାଇ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜନିତ ବନ୍ୟା କ୍ଷୟକ୍ଷତିର ସ୍ଥିତିକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବା ସହିତ ଏହାର ସମୀକ୍ଷା କରିଛନ୍ତି।  ଏହି ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ, ବାଲେଶ୍ବର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଦାସ, ଜିଲ୍ଲାର ବିଧାୟକ ବୃନ୍ଦ, ଆରଡିସି, ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ବନ୍ୟା ଦ୍ବାରା କୃଷିକ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ହୋଇଥିଲା, ପ୍ରଭାବିତ ଲୋକଙ୍କୁ ଜଳ ଜନିତ ରୋଗରୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ସ୍ତରୀୟ ଏକ ସ୍ବାସ୍ଥ୍ୟ ସେବା ଟିମ୍ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବନ୍ୟାଘେରରେ ଥିବା ବାସଗୃହ ଓ ସ୍କୁଲ ଘର ଗୁଡିକୁ ବିଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ପ୍ରଭାବିତ ଲୋକମାନଙ୍କୁ ଠିକ୍ ଭାବେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି କି ନାହିଁ ସେ ସମ୍ପର୍କରେ ବୁଝିଥିଲେ। ଆବଶ୍ୟକ ସ୍ଥଳେ ଏହି ରନ୍ଧାଖାଦ୍ୟ ଯୋଗାଣ ବ୍ୟବସ୍ଥାକୁ ଆଉ ଅଧିକ ଦିନ ବଢାଇବା ପାଇଁ କହିଥିଲେ। ଘର ଭାଙ୍ଗିଥିବା ଲୋକମାନଙ୍କୁ ପଲିଥିନ ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ।

ବୈଠକ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ବିବୃତି ରଖି କହିଲେ ଯେ ବାଲେଶ୍ବର ଜିଲ୍ଲାରେ ଏହି ବର୍ଷା ଜନିତ ବନ୍ୟାରେ ଜିଲ୍ଲାର ୬ଟି ବ୍ଲକ ପ୍ରଭାବିତ ହୋଇଛନ୍ତି ଏବଂ ୮ହଜାର ହେକ୍ଟର ଜମି ଜଳ ମଗ୍ନ ଅବସ୍ଥାରେ ଅଛି। ବିଶେଷ କରି ଭୋଗରାଇ, ଜଳେଶ୍ବର ଓ ବାଲିଆପାଳ ବ୍ଲକର ୩୫ଟି ଗ୍ରାମ ପଞ୍ଚାୟତ ବହୁଳ ଭାବେ ପ୍ରଭାବିତ ହୋଇଛି। ପୂର୍ଣ୍ଣିମା ଯୋଗୁଁ ସମୁଦ୍ରରେ ଜୁଆର ଥିବାରୁ ସମୁଦ୍ରକୁ ଜଳ ନିଷ୍କାସନ ହୋଇ ପାରୁନାହିଁ। ପୂର୍ଣ୍ଣିମା ପରେ ଆଉ ଗୋଟିଏ ଦିନ ଭିତରେ ସ୍ଥିତିରେ ସୁଧାର ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତଳିଆ ଅଞ୍ଚଳରେ ପାଣି ପଶିଥିବା ଗ୍ରାମରୁ ପ୍ରାୟ ୨ହଜାର ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ସେଠାରେ ରନ୍ଧା ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ଯୋଗାଯୋଗ ବିଛିନ୍ନ ହୋଇଥିବା ଗ୍ରାମ ଗୁଡିକରେ ଉଦ୍ଧାର କାର୍ଯ୍ୟ ପାଇଁ ୮ଟି ଅଗ୍ନିଶମ ବାହିନୀ, ୩ଟି ଓଡ୍ରାଫ ବାହିନୀ ଓ ଗୋଟିଏ ଏନଡିଆରଏଫ ଟିମ୍ ନିୟୋଜିତ ଅଛନ୍ତି। ଆବଶ୍ୟକ ସ୍ଥଳେ ଆଉ ଅଧିକ ଟିମ୍ ନିୟୋଜିତ ହେବେ। ସୁବର୍ଣ୍ଣରେଖା ଓ ଜଳକା ନଦୀର ଗତିବିଧିକୁ ନଜର ରଖି ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ୨୪ ଘଣ୍ଟା ଏହାର ସ୍ଥିତି ଅନୁଧ୍ୟାନ କରୁଛନ୍ତି। କ୍ଷୟକ୍ଷତି, ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସାଂସଦ, ମନ୍ତ୍ରୀ ଓ ବିଧାୟକଙ୍କ ମତ ନିଆଯାଇଛି । ଜିଲ୍ଲାପାଳ ମଧ୍ୟ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି। ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ତୁରନ୍ତ ପହଞ୍ଚି ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking