28.1 C
Bhubaneswar
Friday, September 20, 2024
Homeଓଡିଶାନିର୍ବାଚନୀ ସଂକଳ୍ପକୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି : ମନମୋହନ ସାମଲ

ନିର୍ବାଚନୀ ସଂକଳ୍ପକୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି : ମନମୋହନ ସାମଲ

 ଓଡିଶାବାସୀଙ୍କ ବିଶ୍ୱାସକୁ ନେଇ ବିଜେପି ସରକାର କାମ କରିବ
 ଗରୀବ, ଯୁବକ, ମହିଳା, କୃଷକଙ୍କ ସମେତ ଭିତିଭୂମି, ପର୍ଯ୍ୟଟନ, ଆତ୍ମନିର୍ଭରଶୀଳତାକୁ ଗୁରୁତ୍ୱ ଦିଆଯାଇଛି
 ସଡକ, ରେଳ, ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ଓଡିଶାକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର
 ଓଡିଶାକୁ ସୁନାର ଓଡିଶା ଗଢି ତୋଳିବା ପାଇଁ ସମସ୍ତ ପ୍ରକାରର ସହଯୋଗ ଓ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି
 ବିକଶିତ ଭାରତ ଗଠନରେ ଓଡିଶା ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବ
 ୧୦୦ ଦିନ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ରାଜ୍ୟରେ ବିଜେପି ସରକାର ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛି
ଭୁବନେଶ୍ୱର : ଦୀର୍ଘ ୬୦ ବର୍ଷ ପରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମାତ୍ର ନେତା ଯିଏକି ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏକ ଅକିଂଚନ ଓ କ୍ଷୁଦ୍ର ଗ୍ରାମରେ ଜନ୍ମ ନେଇ ବିଶ୍ୱର ସବୁଠୁ ବଡ ଗଣତାନ୍ତ୍ରୀକ ରାଷ୍ଟ୍ର ଭାରତବର୍ଷର ନେତୃତ୍ୱ ନେଉଥିବା ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଗରିବ କଲ୍ୟାଣ ଓ ବିକାଶ କାର୍ଯ୍ୟ ପାଇଁ ଦେଶର ରାଜନୀତିରେ ସ୍ଥିରତାର ବାତାବରଣ ସମ୍ଭବ ହୋଇଛି । ଗତ ୧୦ ବର୍ଷରେ ବିଶ୍ୱର ୧୦ଟି ରାଷ୍ଟ୍ର ମୋଦିଜୀଙ୍କୁ ସେମାନଙ୍କ “ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ” ପୁରସ୍କାର ପ୍ରଦାନ କରିଛନ୍ତି । ଯାହା ଭାରତବାସୀଙ୍କୁ ଗୌରାବାନ୍ୱିତ କରିଛି । ମୋଦିଜୀ ଆମ ଦେଶର ପୁରୁଣା ଶିକ୍ଷା ପ୍ରଣାଳିକୁ ସମାହିତ କରି ନୂତନ ଶିକ୍ଷାନୀତି ପ୍ରଣୟନ କରିଛନ୍ତି । “ମେକ୍ ଇନ୍ ଇଣ୍ଡିଆ” ସ୍ଥାପନା କରି ଉତ୍ପାଦନ କ୍ଷେତ୍ରରେ ଆମର ସଫଳତାକୁ ଦ୍ୱିଗୁଣିତ କରିଛନ୍ତି । ଡିଜିଟାଲ ଇଣ୍ଡିଆରେ ଆମ ସଫଳତାକୁ ଦେଖି ବିଶ୍ୱର ଅନ୍ୟାନ୍ୟ ଦେଶଗୁଡିକ ଏହାକୁ ଲାଗୁ କରିବା ପାଇଁ ଚାହୁଁଛନ୍ତି । ସେହିପରି ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ୧୩ଟି ମାପଦଣ୍ଡରେ ଆମେ ଅନ୍ୟ ଦେଶ ତୁଳନାରେ ଆଗରେ ଅଛୁ । ଅନ୍ତରୀକ୍ଷ କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଅଟେ । ବିଦେଶ ନୀତିରେ ଭାରତ ବର୍ଷର ସଫଳତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଛି । ଅନ୍ୟ ପଟେ ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ୧୦୦ ଦିନ ପୁର୍ତି କରିବ । ନିର୍ବାଚନ ପୂର୍ବରୁ ଜନତାଙ୍କୁ ଦିଆଯାଇଥିବା ସଂକଳ୍ପକୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି । ଓଡିଶାବାସୀଙ୍କ ବିଶ୍ୱାସକୁ ନେଇ ବିଜେପି ସରକାର କାମ କରିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ମୋଦିଜୀ ଗତ ୧୦ ବର୍ଷରେ ଗରୀବ ବାସହୀନଙ୍କୁ ପକ୍କା ଘର, ଶୌଚାଳୟ, ଗ୍ୟାସ, ବିଜୁଳି, ୫ କିଲୋ ଚାଉଳ ଏବଂ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ଦୀନଦୟାଲ ଯୋଜନା ଅନ୍ତର୍ଗତ ୧୦ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସଂଗଠିତ କରାଯିବା ସହିତ ୯୦ ଲକ୍ଷରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ଦୁତ ସାଜିଛନ୍ତି । ଏଥି ସହ ୧୧ ଲକ୍ଷ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ବିଶ୍ୱକର୍ମା ଯୋଜନାକୁ ତ୍ୱରାନ୍ୱିତ କରାଯାଇଛି । ଯୁବକମାନଙ୍କ ପାଇଁ ୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି ଏବଂ ଏଥିରେ ଆସନ୍ତା ୫ ବର୍ଷରେ ୪.୧୦ କୋଟି ଯୁବକ ଉପକୃତ ହେବେ । ଗତ ୧୦ବର୍ଷରେ ପିଏମ୍ କିଷାନ ଯୋଜନା ଅନ୍ତର୍ଗତ ୯.୫ କୋଟି କୃଷକଙ୍କୁ ୨୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ବର୍ତମାନ ସୁଦ୍ଧା ୧୨.୩୩ କୋଟି କୃଷକଙ୍କୁ ୩ ଲକ୍ଷ କୋଟି ଟଙ୍କା ବିତରଣ କରାଯାଇଛି । ବାସୁମତି ଚାଉଳର ସର୍ବନିମ୍ନ ରପ୍ତାନୀ ମୂଲ୍ୟକୁ ହଟାଇ ଦିଆଯାଇଛି । ପିଆଜ ଉପରେ ରପ୍ତାନୀ ଶୁଳ୍କ ୪୦ ରୁ ୨୦ ପ୍ରତିଶତକୁ କମାଇ ଦିଆଯାଇଛି । ଖରିଫ ଫସଲର ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରାଯାଇଛି । ମକାରୁ ଇଥାନଲ ପ୍ରସ୍ତୁତ ପାଇଁ ସମବାୟ ଚିନିକଳ ଗୁଡିକ ଆଧୁନିକିକରଣ କରାଯାଇଛି । “ଏଗ୍ରି ସେୟାର” ନାମରେ ମୋଦିଜୀ ଏକ ନୂତନ ପାଣ୍ଠି ଆରମ୍ଭ କରିଛନ୍ତି । ସେହିପରି ମଧ୍ୟମ ବର୍ଗଙ୍କୁ ଆଶ୍ୱସ୍ତି ପ୍ରଦାନ କରାଯାଇ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ଟିକସ ମୁକ୍ତ କରାଯାଇଛି । ୱାନ୍ ର‌୍ୟାଙ୍କ୍‌, ୱାନ୍ ପେନସନର ତୃତୀୟ ସଂସ୍କରଣ ଲାଗୁ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ୩ କୋଟି ବାସଗୃହ ନିର୍ମାଣ ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଛି । ସେ ମଧ୍ୟରୁ ୧ କୋଟି ସହରାଂଚଳ ଏବଂ ୨ କୋଟି ଗ୍ରାମାଂଚଳରେ ନିର୍ମାଣ କରାଯିବ । ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାରେ ୨.୫ ଲକ୍ଷ ଘରେ ସୋଲାର ସିଷ୍ଟମ ସ୍ଥାପିତ କରାଯିବ । ୩୪୦୦ କୋଟି ଟଙ୍କାର ପିଏମ୍ – ବସ ସେବା ଯୋଜନା ଆରମ୍ଭ ହୋଇଛି । ଆୟୁଷ୍ମାନ ଭାରତ ଯୋଜନା ଆଜି ଦେଶର ଅନେକ ଲୋକଙ୍କ ଜୀବନ ଆଧାର ସାଜିଛି । ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ମୋଦିଜୀଙ୍କ ନେତୃତ୍ୱ କେନ୍ଦ୍ର ସରକାର ବହନ କରୁଛି । ନିର୍ବାଚନ ପ୍ରତିଶୃତି ଅନୁଯାୟୀ ୭୦ ବର୍ଷ ଏବଂ ତଦୁର୍ଦ୍ଧ ନାଗରିକଙ୍କ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବହନ କରିବେ ମୋଦି ସରକାର । ଏହା ଦ୍ୱାରା ଦେଶର ୬ କୋଟି ଲୋକ ଉପକୃତ ହେବେ । ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ବିଦେଶୀ ନିର୍ଭରତାକୁ ମୋଦିଜୀ ଶେଷ କରିଦେଇଛନ୍ତି । ମୋଦି ସରକାରଙ୍କ ପାଇଁ ଦେଶରେ ୭୫ ହଜାର ମେଡିକାଲ ସିଟ୍ ବୃଦ୍ଧି କରାଯିବ । ମୋଦିଜୀ ଯାହା ପ୍ରତିଶ୍ରୁତି ଦିଅନ୍ତି ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।
ଗତ ୧୦୦ ଦିନରେ ୧୪ ଗୋଟି ଶ୍ରେଣୀ ପାଇଁ ୧୫ ଲକ୍ଷ କୋଟି ଟଙ୍କାର ଯୋଜନା ଶୁଭାରମ୍ଭ କରାଯାଇଛି । ବିଶେଷ ଭାବେ ଭିତିଭୂମି କ୍ଷେତ୍ରରେ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି । ମହାରାଷ୍ଟ୍ରର ବଧବାନଠାରେ ୭୬ ହଜାର କୋଟି ଟଙ୍କା ପୁଂଜି ବିନିମୟରେ ଏକ ମେଗା ପୋର୍ଟ ନିର୍ମାଣ କରାଯିବ । ଏହା ବିଶ୍ୱର ୧୦ଟି ପ୍ରମୁଖ ବନ୍ଦର ଭିତରେ ସାମିଲ ହେବ । ୪୯ ହଜାର କୋଟି ଟଙ୍କା ପୁଂଜି ବିନିମୟରେ ୨୫ ହଜାର ଗ୍ରାମକୁ ପକ୍କା ସଡକ ଦ୍ୱାରା ସଂଲଗ୍ନ କରାଯିବ । ୧୦୦ ଜଣ ବାସ କରୁଥିବା ଗ୍ରାମଗୁଡିକୁ ଏହି ଯୋଜନାରେ ସାମିଲ କରାଯିବ । ୫୦୬୦୦ କୋଟି ଟଙ୍କା ବିନିମୟରେ ବଡ ବଡ ସଡକଗୁଡିକୁ ଓସାର କରାଯିବ । ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ବ୍ୟାପକ ପୁଂଜି ନିବେଶ କରାଯିବ ଏବଂ ଓଡିଶାକୁ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅଗ୍ରାଧିକାର ଦିଆଯାଇଛି । ଦେଶର ଅନେକ ସହରାଂଚଳରେ ନୂତନ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଅନ୍ତରୀକ୍ଷ ଷ୍ଟାର୍ଟ ଅପ୍ ଯୋଜନାରେ ୧୦୦୦ କୋଟି ଟଙ୍କାର ଉଦ୍ୟମ ପୁଂଜି (ଭେଂଚର କ୍ୟାପିଟାଲ) ବ୍ୟବସ୍ଥା କରାଯାଇଛି । ସେମି କଣ୍ଡକ୍ଟର ୟୁନିଟ ମଧ୍ୟ ସ୍ଥାପନା କରାଯାଇଛି ଏବଂ ଆଗାମୀ ୧୦ ବର୍ଷରେ ମୋଦିଜୀଙ୍କ ନେତୃତ୍ୱରେ ଭାରତବର୍ଷ ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହେବ । ସେହିପରି ବିପର୍ଯ୍ୟୟ ପ୍ରଶମନ ଓ ସାଇବର ଅପରାଧ ରୋକିବା କ୍ଷେତ୍ରରେ ଲୋକସଭାରେ ବିପର୍ଯ୍ୟୟ ପ୍ରଶମନ ଅଧିନିୟମ – ୨୦୨୪ କୁ ଉପସ୍ଥାପନ କରାଯାଇଛି । ଏହି ବାବଦରେ ୧୨ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ବିପର୍ଯ୍ୟୟ ପ୍ରଶମନ ପାଇଁ ରାଷ୍ଟ୍ରୀୟ ତଥ୍ୟ ଭିତି (ଡାଟା ବେସ) ପ୍ରସ୍ତୁତ କରାଯିବ “ମାନସ ହେଲ୍ପଲାଇନ” ଆରମ୍ଭ କରାଯାଇଛି । ଆଗାମୀ ୫ ବର୍ଷରେ ୫୦୦୦ ସାଇବର କମାଣ୍ଡୋ ପ୍ରସ୍ତୁତ କରାଯିବ । ୱାକ୍‌ଅଫ ସମ୍ପତିର ସଠିକ୍ ପରିଚାଳନା ପାଇଁ ଏବଂ ଏହାର ଦୁରୁପୋଯୋଗ ରୋକିବା ପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ସାମଲ କହିଛନ୍ତି ।
ମୋଦିଜୀଙ୍କ ନେତୃତ୍ୱରେ ଓଡିଶାର ଗମନାଗମନ କ୍ଷେତ୍ରରେ ୧୫ ହଜାର କୋଟି ଟଙ୍କାର ୪ଟି ବୃହତ ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଛି । ୬ ଲେନ ବିଶିଷ୍ଟ ଭୁବନେଶ୍ୱର – ପୁରୀ ଜାତୀୟ ରାଜପଥ ପାଇଁ ୧୮ଶହ କୋଟି ଟଙ୍କା, ଚଣ୍ଡିଖୋଲ-ବଡବିଲ ଜାତୀୟ ରାଜପଥ ପାଇଁ ୧୦ ହଜାର କୋଟି, ୪ ଲେନ ବିଶିଷ୍ଟ ଖୋର୍ଦ୍ଧା-ନୟାଗଡ ଜାତୀୟ ରାଜପଥ ପାଇଁ ୧୧ ଶହ କୋଟି ଏବଂ ୪ ଲେନ ବିଶିଷ୍ଟ କେସିଙ୍ଗା – ଜୁନାଗଡ ଜାତୀୟ ରାଜପଥ ପାଇଁ ୧ ହଜାର କୋଟି ଟଙ୍କାକୁ ଅନୁମୋଦନ ମିଳିଛି । ଏଥି ସହ ୨ ଲେନ ବିଶିଷ୍ଟ କୋରାପୁଟ-ପୋଡାମାରି ପ୍ରକଳ୍ପ ପାଇଁ ୨୫୦୦ କୋଟି ଟଙ୍କା, ସେତୁବନ୍ଧ ଯୋଜନାରେ ୨୫୦ କୋଟି, କେନ୍ଦ୍ରୀୟ ସଡକ ଓ ଭିତିଭୁମି ପାଣ୍ଠି ଅଧିନରେ ୫୦୦ କୋଟି ଏବଂ ରାଜ୍ୟରେ ଜାତୀୟ ରାଜପଥର ଉନ୍ନତି ପାଇଁ ୩୪୦୦ କୋଟି ଟଙ୍କା ମଂଜୁରୀ ମିଳିଛି । ଆଗାମୀ ଦିନରେ ମୋଟୁ – ତିରିଙ୍ଗି ମଧ୍ୟରେ ଅଟଳ ଏକ୍ସପ୍ରେସ ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଟଙ୍କାର ପଶ୍ଚିମ-ପୂର୍ବ ସଂଯୋଗୀକରଣ କରିଡର ସମେତ ଝାରସୁଗୁଡା – ବାଲେଶ୍ୱର, ନୂଆପଡା – ଅସ୍ତରଙ୍ଗ, ବୃନ୍ଦାବାହା – ଗୋପାଳପୁର, ସମ୍ବଲପୁର – ସାତଭାୟା ଜାତୀୟ ରାଜପଥ, ବ୍ରହ୍ମପୁର – ଜୟପୁର, ଜୟପୁର – ରାଉରକେଲା, ରାଉରକେଲା – ଜଳେଶ୍ୱର, ଜଳେଶ୍ୱର – ବ୍ରହ୍ମପୁର ଗ୍ରାଣ୍ଡ ରିଙ୍ଗ ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି । ଏହା ଏକ ଐତିହାସିକ ନିଷ୍ପତି ବୋଲି ଶ୍ରୀ ସାମଲ କହିଛନ୍ତି ।
ରେଳ ବଜେଟରେ ଓଡିଶାକୁ ନ୍ୟାର୍ଯ୍ୟ ହକ୍ ମିଳିଛି । ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦,୫୮୬ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ଆର୍ଥୀକ ଅନୁଦାନ । ରାଜ୍ୟରେ ଶତ ପ୍ରତିଶତ ରେଳଲାଇନ ବିଦ୍ୟୁତ୍‌କରଣ ହୋଇସାରିଛି । ଆଉ ୫୯ଟି ଷ୍ଟେସନକୁ ଅମୃତ ଷ୍ଟେସନ ଭାବେ ବିକଶିତ କରାଯିବ । ବିଶେଷ ଭାବେ ଓଡିଶାକୁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର ଆର୍ଥୀକ ସହାୟତା ଦିଆଯିବାର ଚଳିତ ବଜେଟରେ ଘୋଷଣା କରାଯାଇଛି । ସେହିପରି କୃଷି, ଶକ୍ତି, ଟେକ୍ନୋଲୋଜି, ଶିଳ୍ପ, ଶିକ୍ଷା ଆଦି କ୍ଷେତ୍ରରେ ଓଡିଶା ଭଳି ରାଜ୍ୟ ସର୍ବାଧିକ ଲାଭାନ୍ୱିତ ହେବ । ମୋଦି ଗ୍ୟାରେଂଟିକୁ ଓଡିଶା ସମେତ ସମଗ୍ର ଦେଶବାସୀ ଦେଖିଛନ୍ତି । ଓଡିଶାରେ ବର୍ତମାନ ବିଜେପିର ଡବଲ ଇଂଜିନ ସରକାର । ଓଡିଶାକୁ ସୁନାର ଓଡିଶା ଗଢି ତୋଳିବା ପାଇଁ ସମସ୍ତ ପ୍ରକାରର ସହଯୋଗ ଓ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ବିକଶିତ ଭାରତ ଆଡକୁ ଗୋଟିଏ ପାଦ ଅଗ୍ରସର । ବିକଶିତ ଭାରତ ଗଠନରେ ଓଡିଶା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବାର ମାତ୍ର ୧୦୦ ଦିନ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛି । ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଛି । ରତ୍ନଭଣ୍ଡାର ଖୋଲାଯାଇଛି । ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କା, ଓଡିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯାଇଛି । ନିର୍ମାଣ ଶ୍ରମିକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୪ ରୁ ୬ ଲକ୍ଷ ଟଙ୍କା ଓ ସ୍ୱାଭାବିକ ମୃତ୍ୟୁ ପାଇଁ ୨ ରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ୮୦ ବର୍ଷ ବୟସ୍କ ଏବଂ ୮୦ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ପେନସନ ବ୍ୟବସ୍ଥା କରିସାରିଛୁ । ଶିକ୍ଷା କ୍ଷେତ୍ରରେ ଆଦିବାସୀ ଛାତ୍ରଛାତ୍ରୀ ଡ୍ରପଆଉଟ ହ୍ରାସ ପାଇଁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫୦୦୦ ଟଙ୍କା ବ୍ୟବସ୍ଥା କରାଯାଇଛି । ଲୋକସେବା ଭବନ ଏବଂ ବିଧାନସଭାକୁ ସାମ୍ବାଦିକଙ୍କ ପ୍ରବେଶ ପାଇଁ ନିଷ୍ପତି ନିଆଯାଇଛି । “ଆମ ସରକାର – ଲୋକଙ୍କ ସରକାର” ଜନଶୁଣାଣୀକୁ ଅଗ୍ରାଧିକାର ଦେଇଛି । କୃଷି କ୍ଷେତ୍ରରେ ଚଳିତ ବଜେଟ୍‌ରେ “ସିଏମ କିଶାନ ସମ୍ମାନ ଯୋଜନା”ରେ ୪୬ ଲକ୍ଷ ଚାଷୀଙ୍କୁ ୨୦୦୦ ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି । ଚାଷୀମାନେ ଧାନ କ୍ୱିଂଇଟାଲ ପିଛା ଓଡିଶାରେ ୩୧ଶହ ଟଙ୍କା ପାଇବେ ନିଷ୍ପତି ହୋଇସାରିଛି । ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରାଯିବ । ପ୍ରତ୍ୟେକ ସବଡିଭିଜନରେ ଶୀତଳ ଭଣ୍ଡାର କରାଯିବ । ଖାଲି ପଡିଥିବା ୧୬୦୦୦ ଶିକ୍ଷକ ପଦବୀ ପୂରଣ ପାଇଁ ବଜେଟ୍‌ରେ ବ୍ୟବସ୍ଥା ହୋଇଛି । ଠେଲା ଦୋକାନୀଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ବ୍ୟବସାୟୀ ଓ ଚାଷୀଙ୍କ ବିକାଶକୁ ଗୁରତ୍ୱ ଦିଆଯାଇଛି । ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାକୁ ଗତ କାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନରେ ଶୁଭାରମ୍ଭ କରିଛନ୍ତି ଏବଂ ଏହି ଯୋଜନାରେ ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯିବ । ୧୦୦ ଦିନର ସଂକଳ୍ପ ପତ୍ରରେ ଯେଉଁ ଯେଉଁ ନିଷ୍ପତି ନିଆଯାଇଛି ସେ ସବୁର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇସାରିଛି । କେନ୍ଦ୍ରସରକାରଙ୍କ ଅନୁଦାନକୁ ସଠିକ୍ ଭାବେ ବିନିଯୋଗ କରି ଦେଶ ଓ ରଜ୍ୟର ବିକାଶ କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଓ ସତ୍ୟବ୍ରତ ପଣ୍ଡା, ଗଣମାଧ୍ୟମ ରାଜ୍ୟ ସଂଯୋଜକ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking