28.1 C
Bhubaneswar
Friday, September 20, 2024
Homeଓଡିଶାରାହୁଲ ଗାନ୍ଧୀଙ୍କ ପ୍ରତି ଆପତିଜନକ ମନ୍ତବ୍ୟ ଦେଇଥିବା ବିଜେପି ନେତାଙ୍କ ବିରୋଧରେ ଆସନ୍ତାକାଲି ଥାନାରେ ଏତଲା...

ରାହୁଲ ଗାନ୍ଧୀଙ୍କ ପ୍ରତି ଆପତିଜନକ ମନ୍ତବ୍ୟ ଦେଇଥିବା ବିଜେପି ନେତାଙ୍କ ବିରୋଧରେ ଆସନ୍ତାକାଲି ଥାନାରେ ଏତଲା ଓ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

* ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାଗସ୍ତ ଓ ରାଜ୍ୟରେ ମୋହନ ସରକାରଙ୍କ ୧୦୦ ଦିନର ବିଫଳତାକୁ ନେଇ ଘେରିଲା କଂଗ୍ରେସ

ଭୁବନେଶ୍ୱର – ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ଓ ୧୦୦ ଦିନ ଅବଧିର ମୋହନ ସରକାର ଓଡ଼ିଶାବାସୀଙ୍କ ପ୍ରତି କରିଥିବା ଧୋକା ଓ ଅନ୍ୟାୟ ବିରୋଧରେ ଡବଲ ଇଞ୍ଜିନ ସରକାରଙ୍କୁ ଘେରିଛି କଂଗ୍ରେସ। ପିସିସି ଷ୍ଟିୟରିଂ କମିଟି ସଦସ୍ୟ ଡ. ବିଶ୍ୱରଞ୍ଜନ ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଗତକାଲି ପ୍ରଧାନମନ୍ତ୍ରୀ ତାଙ୍କର ଜନ୍ମଦିନ ପାଳନ କରିବାକୁ ଓଡିଶା ଆସିବାରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରାଗଲା। ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପୁରା ନକରି ମୁଖ୍ୟ ପ୍ରସଙ୍ଗରୁ ରାଜ୍ୟବାସୀଙ୍କ ନଜର ହଟାଇବା ଓ ସୁଭଦ୍ରା ଯୋଜନାରେ ୫୦ ଭାଗରୁ ଅଧିକ ମହିଳାଙ୍କୁ ବଂଚିତ କରିବା ଭଳି ଜୁମ୍‌ଲାକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ। ବର୍ଷକୁ ୧୦ ହଜାର, ମାସିକ ୮୩୩ ଟଙ୍କାରେ ମହିଳାମାନେ କି ଉଦ୍ୟୋଗୀ ହେବେ ବୋଲି ଡ. ମହାନ୍ତି ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ୩୪ ଲକ୍ଷ ପକ୍କାଘର ଆବଶ୍ୟକଥିଲା ବେଳେ ବର୍ତମାନ ପର୍ଯ୍ୟନ୍ତ ୧୬ଲକ୍ଷ ୭୫ ହଜାର ହିତାଧିକାରୀ ପାଇଥିବା ବେଳେ ଅବଶିଷ୍ଟ ୫୦ ପ୍ରତିଶତ ହିତାଧିକାରୀ ଏପର୍ଯ୍ୟନ୍ତ ଆବାସ ପାଇବାରୁ ବଂଚିତ ଅଛନ୍ତି। ଡବଲ ଇଞ୍ଜିନ ସରକାର ଆସିବା ପରେ ଆଳୁ, ପିଆଜ, ଖାଇବା ତେଲ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ମାତ୍ରାଧିକ ବୃଦ୍ଧି ପାଇଛି। ରାଜ୍ୟରେ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଶିକ୍ଷିତ ବେକାର ଯୁବକ ଯୁବତୀ କର୍ମ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜିକୃତ ହୋଇ ହୋଇ ଚାକିରୀ ଅନ୍ୱେଷଣରେ ସରକାରଙ୍କ ପାଖରେ ଗୁହାରି କରୁଛନ୍ତି, ଅନ୍ୟପକ୍ଷେ ଲକ୍ଷ ଲକ୍ଷ ଯୁବକ ରାଜ୍ୟ ବାହାରକୁ ଦାଦନ ଖଟିବାପାଇଁ ଯାଉଛନ୍ତି। ଏ ସମସ୍ତ ପ୍ରଶ୍ନର ଉତର ଦେବା ବଦଳରେ ପ୍ରଧାନମନ୍ତ୍ରୀ ଚୁପ ରହିବା ରାଜ୍ୟବାସୀଙ୍କୁ ନିରାଶ କରିଛି। ୩୦୦ ୟୁନିଟ୍ ବିଜୁଳି ମାଗଣା ଦେବା, ସମସ୍ତ ଭତା ହିତାଧିକାରୀଙ୍କୁ ମାସିକ ୩ ହଜାର ୫ଶହ ଟଙ୍କା ଦେବା, ୨୦ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ଇତ୍ୟାଦି ଅନେକ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି ୧୦୦ ଦିନର ମୋହନ ମାଝୀଙ୍କ ସରକାର। ଓଡ଼ିଆ ଅସ୍ମିତାର କଥା କହୁଥିବା ସରକାର ଜଣେ କାର୍ଯ୍ୟରତ ଓଡ଼ିଆ ଅଫିସରଙ୍କୁ ଅଣଓଡ଼ିଆ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ଚାପି ଦେବାପାଇଁ ସରକାର ଉଦ୍ୟମ କରିବା ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ଖଣିରୁ ୧.୫ ଲକ୍ଷ କୋଟି ଟଙ୍କା କେବେ ରାଜ୍ୟ ରାଜକୋଷକୁ ଫେରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ପଦୁଟିଏ ନକହିବା ସେମାନଙ୍କର ଅସଲମୁଖାକୁ ଖୋଲି ଦେଇଛି। ଏଥିରୁ ସ୍ପଷ୍ଟ ଓଡ଼ିଶାର ସମ୍ପତିକୁ ଜଣେ ଅଣଓଡ଼ିଆ ପୁଞ୍ଜିପତି ଆଦାନୀଙ୍କ ହାତରେ ଟେକି ଦେବାପାଇଁ ସରକାର ଯୋଜନାବଦ୍ଧ ଷଡ଼ଯନ୍ତ୍ର ରଚୁଛନ୍ତି। ବିହାର ଓ ଆନ୍ଧ୍ରକୁ ମୋଦୀ ସରକାର ଆର୍ଥିକ ପ୍ୟାକେଜ ଦେଇଥିବା ବେଳେ ଓଡ଼ିଶା କଥା କିପରି ଭୁଲିଗଲେ ପ୍ରଧାନମନ୍ତ୍ରୀ ବୋଲି ପ୍ରଶ୍ନ କରିଛନ୍ତି ଡ. ମହାନ୍ତି। ୧୦୦ ଦିନର ସରକାର ସମୟରେ ରାଜ୍ୟରେ ମହିଳା ନିର୍ଯ୍ୟାତନା ଓ ଗଣଦୁଷ୍କର୍ମ ବଢ଼ିଚାଲିଥିଲା ବେଳେ ସରକାର ନିରବଦ୍ରଷ୍ଟା ସାଜିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି।
ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ବିଜେପି ଓ ତାର ସହଯୋଗୀ ଦଳର ନେତାମାନେ ଆପତିଜନକ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। ମୋଦୀ ସରକାରରେ ଥିବା ମନ୍ତ୍ରୀ ରବନିତ୍ ସିଂ ବିଟୁ ଶ୍ରୀ ଗାନ୍ଧୀଙ୍କ ପ୍ରତି ଯେଉଁ ଅରୁଚିକର ବୟାନ ଦେଲେ ତାହା ସଭ୍ୟ ସମାଜରେ ଓ ଭାରତ ଭଳି ଗୋଟିଏ ଶାନ୍ତି, ମୈତ୍ରୀ ଓ ଭାଇଚାରାର ଦେଶରେ କେହିବି ଗ୍ରହଣ କରିପାରିବେ ନାହିଁ। କିନ୍ତୁ ଦୁର୍ଭାଗ୍ୟର କଥା ପ୍ରଧାନମନ୍ତ୍ରୀ ମୌନବ୍ରତ ଧାରଣ କରି ପରୋକ୍ଷରେ ସମର୍ଥନ ଜଣାଉଛନ୍ତି। ବିଜେପିର ବିଧାୟକ, ପୂର୍ବତନ ବିଧାୟକ ଓ ତାଙ୍କ ସହଯୋଗୀ ଦଳର ବିଧାୟକମାନେ ଏହିପରି ଭାବରେ ଅନେକ ଆପତିଜନକ ମନ୍ତବ୍ୟ ଦେବାର ନଜିର ରହିଛି। ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତାକାଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱରସ୍ଥିତ ଖାରବେଳ ନଗର ଥାନାରେ ଏତଲା ଦିଆଯିବା ସହ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ସମସ୍ତ ନେତୃବୃନ୍ଦ ଯୋଗଦେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking