29.4 C
Bhubaneswar
Monday, June 29, 2026
Homeଓଡିଶାସମୁଦ୍ର ଆଁରେ ତଟବର୍ତ୍ତୀ ଜିଲ୍ଲାର ଶତାଧିକ ଗାଁ; ଲୋକଙ୍କ ଜୀବନ ବିପନ୍ନ

ସମୁଦ୍ର ଆଁରେ ତଟବର୍ତ୍ତୀ ଜିଲ୍ଲାର ଶତାଧିକ ଗାଁ; ଲୋକଙ୍କ ଜୀବନ ବିପନ୍ନ

ଭୁବନେଶ୍ୱର : ସମୁଦ୍ର ଆଁରେ ତଟବର୍ତ୍ତୀ ଜିଲ୍ଲାର ଶତାଧିକ ଗାଁ। ଲୋକଙ୍କ ଜୀବନ ବିପନ୍ନ। ବହୁ ବିଳମ୍ବ ହୋଇଥିଲେ ହେଁ ରାଜ୍ୟ ସରକାର ଗାଁ ଓ ସମୁଦ୍ର ମଧ୍ୟରେ ୩୮୦ କିମିର ଲୁଣାବନ୍ଧ ନିର୍ମାଣ କରୁଛନ୍ତି। ତାହା ସମୁଦ୍ର ଜୁଆରକୁ ହିଁ ରୋକିବ। କେବଳ ବାଲେଶ୍ୱର ଜିଲ୍ଲାରେ ୨୦୦.୫୫ କିମିର ଲୁଣାବନ୍ଧ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏଥିନିମନ୍ତେ ସରକାର ସମୁଦ୍ର ତଟ ଜିଲ୍ଲାରେ ୧୯୪୪ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।
ଓଡ଼ିଶାରେ ୪୮୦ କିଲୋମିଟର ପରିବ୍ୟାପ୍ତ ସୁମୁଦ୍ର ବେଳାଭୂମି ରହିଛି। ଉପକୂଳବର୍ତ୍ତୀ ଛଅ ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଓ ଗଞ୍ଜାମ। ହେଲେ ଚାରି ଜିଲ୍ଲାର ସ୍ଥିତି ଗମ୍ଭୀର। ସୁମଦ୍ର ଜନବସତି ଭିତରକୁ ଉଚ୍ଚ ଜୁଆର ମାଡ଼ି ଆସି ବହୁ ଧନଜୀବନ ନଷ୍ଟ କରୁଛି। ସେହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂପୁର। ପ୍ରତିବର୍ଷ ହେଉଥିବା ବନ୍ୟା ଓ ବାତ୍ୟାରେ ଏସବୁ ଇଲାକାରେ କେତେ ଯେ’ ଅଘଟଣ ହେଉଛି ତାହା କହିବା ମୁସ୍କିଲ। ୧୯୯୯ ମହାବାତ୍ୟାରେ ଜଗତସିଂହପୁର ଜିଲ୍ଲାସ୍ଥ ଏରସମା, କୁଜଙ୍ଗ, ବାଲିକୁଦା ଓ ପାରାଦୀପ ଆଦି ଅଞ୍ଚଳରେ ସମୁଦ୍ର ମାଡ଼ି ଜୁଆର ଆସି ବ୍ୟାପକ ଧନଜୀବନ ନଷ୍ଟ ହୋଇଥିଲା। ପ୍ରତିବର୍ଷ ସମୁଦ୍ର ଜୁଆର ଯୋଗୁଁ କେନ୍ଦ୍ରାପଡ଼ାର ଜମ୍ବୁ, ରାଜନଗର, ମହାକାଳପଡ଼ା ଆଦି ଇଲାକାରେ ବ୍ୟାପକ କ୍ଷୟକ୍ଷତି ହେଉଥିଲା। ସେହିପରି ବାତ୍ୟା ‘ୟାସ’ ଯୋଗୁଁ ଭଦ୍ରକ ଜିଲ୍ଲାର ଧାମରା ନିକଟରେ ସ୍ଥଳଭାଗ ଛୁଇଁବା ସମୟରେ ପ୍ରାୟ ୧୨୫ଟି ଗ୍ରାମରେ ଲୁଣାପାଣି ମାଡ଼ି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ପ୍ରାୟ ସବୁ ବାତ୍ୟା ଓ ବନ୍ୟାରେ ଏମିତି ବହୁ କ୍ଷତି ହେଉଛି। ତେଣୁ ରାଜ୍ୟ ସରକାର ଏଥିପାଇଁ ଚେନ୍ନାଇସ୍ଥ ଏନ୍‌ଆଇଓଟି, ଆଇଆଇଟି ମାଡ୍ରାସ ଓ ହାଇଦ୍ରାବାଦସ୍ଥ ଆଇଏନ୍‌ସିଓଆଇଏସ୍ ଠାରୁ ବୈଷୟିକ ସହାୟତା ନେଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ବିପଦ ଦେଖାଦେଇଛି।
ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟାନୁସାରେ ରାଜ୍ୟରେ ୩୮୦ କିଲୋମିଟର ଦୈର୍ଘ୍ୟର ଲୁଣା ବନ୍ଧ ନିର୍ମାଣ କରାଯିବ। ଏଥିସହ ପୂର୍ବରୁ ଅର୍ଥାତ ୨୦୧୩ ରୁ ୨୦୧୬ ମଧ୍ୟରେ କେନ୍ଦ୍ରାପଡା, ଜଗତ୍‌ସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ନିର୍ମାଣ ହୋଇଥିବା ୫୨ କିଲୋମିଟରର ଲୁଣାବନ୍ଧଗୁଡ଼ିକୁ ଅଧିକ ମଜବୁତ୍ କରିବା ପାଇଁ ବୈଜ୍ଞୟିକ ଜ୍ଞାନକୌଶଳ ଯୋଗାଇ ଦିଆଯିବ। ଏହି ଲୁଣାବନ୍ଧ ପଥର ପ୍ୟାକିଂ ଦିଆଯାଇ ନିର୍ମାଣ ହେବ। ଜୁଆର ମାଡ଼ରୁ ଏହାକୁ ସୁରକ୍ଷା ଦେବା ପାଇଁ ଏହି ପଥର ଚାରିପଟେ ଲୁହାଜାଲି ଲଗାଯିବ। ସେହିଭଳି ଉଚ୍ଚ ଜୁଆର ଏବଂ ପବନର ବେଗକୁ ରୋକିବା ନିମନ୍ତେ ବନ୍ଧ ନିର୍ମାଣ ସହିତ ବ୍ୟାପକ ବୃକ୍ଷରୋପଣ ହେବ। ଏନେଇ ରାଜ୍ୟ ସରକାର ଚେନ୍ନାଇ ଏନ୍‌ଆଇଓଟି, ଆଇଆଇଟି ଓ ଆଇଏନ୍‌ସିଓଆଇଏସ୍ ହାଇଦ୍ରାବାଦ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ମୋଟ୍ ୧୯୪୪ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହି ଅର୍ଥ ଉପକୂଳ ଜିଲ୍ଲାରେ ଖର୍ଚ୍ଚ ହେବ। ଆବଶ୍ୟକ ପଡ଼ିଲେ ଆଉ ଅର୍ଥ ବି ସରକାର ଯୋଗାଇଦେବେ ବୋଲି ସ୍ପଷ୍ଟ କରିଛନ୍ତି।
ବାଲେଶ୍ୱର ଜିଲ୍ଲାରେ ଥିବା ସମୁଦ୍ର ତଟ ଅଞ୍ଚଳରେ ଜୁଆର ମାଡ଼ି ଆସିବା ଯୋଗୁଁ ସମସ୍ୟା ଉତ୍କଟ ହୋଇଛି। ଏହି କାରଣରୁ ବାଲିଆପାଳ ଓ ଭୋଗରାଇ ବ୍ଲକ୍ ଇଲାକାରେ ବହୁ ସମୁଦ୍ର ସଂଲଗ୍ନ ଗାଁ କ୍ଷତିଗସ୍ତ ହୋଇଛି। ସେଥିପାଇଁ ବସ୍ତା ବିଧାୟିକା ସୁଭାସିନୀ ଜେନା ଚଳିତ ବିଧାନସଭାରେ ଏକ ଲିଖିତ ପ୍ରଶ୍ନ ଉତ୍ଥାପନ କରିଥିଲେ। ଜଳସଂପଦ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉତ୍ତର ରଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ସମୁଦ୍ର ଜୁଆର ରୋକିବା ପାଇଁ ଲୁଣାବନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି। ବାଲେଶ୍ୱର ଜିଲ୍ଲାର ଉପକୂଳବର୍ତ୍ତୀ ଗ୍ରାମଗଡ଼ିକରେ ଲବଣାକ୍ତ ଜଳ ପ୍ରବେଶ ଏବଂ ତଦ୍ ଜନିତ ବ୍ୟାପକ କ୍ଷୟକ୍ଷତିକୁ ରୋକିବା ପାଇଁ ଜିଲ୍ଲାରେ ମୋଟ ୨୦୦.୫୫ କିମି ଦୈର୍ଘ୍ୟର ଲୁଣାବନ୍ଧ ନିର୍ମାଣ କରାଯାଇଛି। ଏତଦ୍ ବ୍ୟତୀତ ଏହି ଲୁଣା ବନ୍ଧଗଡ଼ିକୁ ସୁଦୃଢ଼ୀକରଣ କରିବା ‘ମୁଖ୍ୟମନ୍ତ୍ରୀ ଡିଜାଷ୍ଟର ରିସେଲିଏଣ୍ଟ ସାଲାଇନ ଏମ୍ବାକାମେଣ୍ଟ ପ୍ରୋଜେକ୍ଟ’ ବା ଏମ୍‌ଡିଆର୍‌ଏଇପି ଯୋଜନା ମାଧ୍ୟମରେ ୨୦ ଗୋଟି କାର୍ଯ୍ୟ ହାତକୁ ନିଆଯାଇଅଛି। ଏବେସୁଧା ୨୦ଟି କାର୍ଯ୍ୟ ମଧ୍ୟରୁ ୧୧ଟି କାର୍ଯ୍ୟ ଚାଲୁରହିଥିବାବେଳେ ୮ଟି କାର୍ଯ୍ୟ ଟେଣ୍ଡର ପ୍ରକ୍ରିୟାରେ ରହିଛି। ଅବଶିଷ୍ଟ ୧ଟି କାର୍ଯ୍ୟର ଟେଣ୍ଡର ହେବାର ଅଛି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଯଦି ରାଜ୍ୟ ସରକାର ଧାର୍ଯ୍ୟ ସମୟରେ କାର୍ଯ୍ୟ ଶେଷ କରନ୍ତି ତାହାଲେ ଉପକୂଳବର୍ତ୍ତୀ ଜିଲ୍ଲାରେ ବହୁ ଧନଜୀବନ ରକ୍ଷା ପାଇଯିବ, ଏଥିରେ ଦ୍ୱିମତର ପ୍ରଶ୍ନ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking