21.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଲାଓସ୍‌ରୁ ୪୭ ଭାରତୀୟ ସାଇବର ସ୍ଲେଭ୍ ଉଦ୍ଧାର

ଲାଓସ୍‌ରୁ ୪୭ ଭାରତୀୟ ସାଇବର ସ୍ଲେଭ୍ ଉଦ୍ଧାର

ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ଏସିଆ ମହାଦେଶର ଅନ୍ୟତମ ଦେଶ ଲାଓସ୍‌ରୁ ପ୍ରାୟ ୪୭ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଏଠାରେ ସେମାନଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ବନ୍ଧକ ରଖାଯାଇଥିବା ଏବଂ ଅନ୍‌ଲାଇନ୍ ସ୍କାମ୍ ଜରିଆରେ ଭାରତୀୟଙ୍କୁ ଠକିବାକୁ ଏବଂ ମୋଟା ଅଙ୍କର ଅର୍ଥ ଲୁଟିବା ପାଇଁ ବାଧ୍ୟ କରାଯାଉଥିଲା। ଏଥିପାଇଁ ସେମାନଙ୍କୁ ଫେକ୍ ଡେଟିଂ ଆପ୍ ଚଳାଇବାକୁ ଏବଂ ଭାରତୀୟଙ୍କୁ ଏକ ଟ୍ରାପ୍‌ରେ ଫସାଇବାକୁ ମଧ୍ୟ କୁହାଯାଉଥିଲା। ଶନିବାର ଏସମ୍ପର୍କରେ କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ କାମ ଅନ୍ୱେଷଣରେ ଲାଓସ୍ ଯାଇଥିବା ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୪୭ଜଣଙ୍କୁ ସେଠାରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଏବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରାଯିବା ଦିଗରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ତେବେ ଏପ୍ରକାର ଘଟଣା ସାମ୍ନାକୁ ଆସିଲା ପରେ ଲାଓସ୍ ଏବଂ କମ୍ବୋଡିଆ ଭଳି ସ୍ଥାନରୁ ମିଳୁଥିବା ଚାକିରି ଅଫର୍‌କୁ ପ୍ରତ୍ୟାଖ୍ୟାନ କରିବାକୁ ସମସ୍ତ ଭାରତୀୟ ଯୁବବର୍ଗଙ୍କୁ ପରାମର୍ଶ ଦିଆଯାଉଛି। ଏହି ଦୁଇ ସ୍ଥାନରେ ଅଧିକାଂଶ ଘଟଣାରେ ଫେକ୍ ଚାକିରି ଏବଂ ମୋଟା ଦରମାର ଲୋଭ ଦେଖାଇ ଭାରତୀୟଙ୍କୁ ଟ୍ରାପ୍ କରାଯାଉଥିବା ଏବଂ ଥରେ ସେମାନଙ୍କ ଜାଲରେ ଫସି ସେଠାକୁ ଚାଲିଯିବା ପରେ ସେମାନଙ୍କୁ ‘ସାଇବର ସ୍ଲେଭ୍‌’ ଭାବେ ଅଟକ ରଖିବା ଦେଖିବାକୁ ମିଳୁଛି।

ବର୍ତ୍ତମାନ ସୁଦ୍ଧା ଏହି ଦୁଇ ଦେଶରୁ ଏହି ଧରଣର ସାଇବର ସ୍ଲେଭ ସାଜିଥିବା ପ୍ରାୟ ୬୩୫ ଭାରତୀୟଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ଭାରତ ଅଣାଯାଇସାରିଛି। ସଦ୍ୟତମ ଘଟଣା ରୂପେ ଲାଓସ୍ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜାରି ଏକ ବିବୃତି ଅନୁସାରେ ବୋକେଓ ପ୍ରଦେଶର ଗୋଲଡେନ୍ ଟ୍ରାଏଙ୍ଗଲ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ (ଏସ୍‌ଇଜେଡ୍‌)ରେ ଫସିରହିଥିବା ଏହି ୪୭ ଭାରତୀୟ ସାଇବର କ୍ରୀତଦାସଙ୍କୁ ଉଦ୍ଧାର କରାଯିବା ଭଳି ଘଟଣା ସାମ୍ନାକୁ ଆସିଛି। ତେବେ ଏସ୍‌ଇଜେଡ୍‌ର ଏପ୍ରକାର ବେଆଇନ୍ କାର୍ଯ୍ୟକଳାପ ଉପରେ କଟକଣା ଲଗାଯିବା ସହ ଏହି ୪୭ ଭାରତୀୟଙ୍କ ମଧ୍ୟରୁ ୨୯ ଜଣଙ୍କୁ ଲାଓସ୍ କର୍ତ୍ତୃପକ୍ଷ ଭାରତୀୟ ଦୂତାବାସ ଅଧିକାରୀଙ୍କୁ ହସ୍ତାନ୍ତର କରିଥିବାବେଳେ ଅନ୍ୟ ୧୮ଜଣ ଦୂତାବାସ ଅଧିକାରୀଙ୍କ ସହାୟତା ଲୋଡିଥିଲେ। ପ୍ରକାଶ, କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଗତ ମାସରେ ଦକ୍ଷିଣ ପୂର୍ବ ଏସୀୟ ଦେଶ ଗସ୍ତ କରିଥିଲେ। ଏହି ସମୟରେ ସେ ଲାଓସ୍ ପ୍ରଧାନମନ୍ତ୍ରୀ ସୋନେକ୍ସାଇ ସିଫାଣ୍ଡୋନଙ୍କ ସହ ନିଯୁକ୍ତି ସନ୍ଧାନରେ ଲାଓସ୍ ଚାଲିଆସୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଏବଂ ନିଯୁକ୍ତି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ସେହିପରି ଭାରତୀୟଙ୍କ ଚୋରାଚାଲାଣ ପ୍ରସଙ୍ଗରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ।

ଲାଓସରେ ଉଚ୍ଚ ବେତନ ସହ ଭଲ ଚାକିରି ଅଫର୍ ଦେଖି ଭାରତୀୟମାନେ ପ୍ରଲୋଭିତ ହୋଇଥାନ୍ତି। ଏହାର ଫାଇଦା ଉଠାଇ ଲାଓସ୍‌ସ୍ଥିତ କିଛି ଠକ, ଭାରତୀୟଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ଡାକିଥାନ୍ତି। ଭାରତୀୟମାନେ ଏଠାକୁ ଆସିବା ପରେ ସେମାନେ ଭାରତୀୟଙ୍କ ପାସପୋର୍ଟ ଜବତ କରିନିଅନ୍ତି, ଯାହା ଫଳରେ ସେମାନଙ୍କ ଫେରିବା ଅସମ୍ଭବ ହୋଇଯାଏ। ଏହା ପରେ ସେମାନେ ନକଲି ସୋସିଆଲ ମିଡିଆ ପ୍ରୋଫାଇଲ ଏବଂ ନକଲି ଫଟୋ ଥିବା ମହିଳା ଭାବରେ ପୋଜ୍ କରିବାକୁ ବାଧ୍ୟ ହୁଅନ୍ତି। ଏସବୁ ମଧ୍ୟରେ ଯଦି କେହି ଏସବୁକୁ ବିରୋଧ କରେ କିମ୍ବା ଠକଙ୍କ ଦ୍ୱାରା ଧାର୍ଯ୍ୟ ଟାର୍ଗେଟ୍ ପୂରଣ କରିବାରେ ବିଫଳ ହୁଅନ୍ତି ତେବେ ସେମାନଙ୍କୁ ନିର୍ଯାତନାର ଶିକାର ହେବାକୁ ପଡିଥାଏ ଏପରିକି ସେମାନଙ୍କୁ ଖାଇବାକୁ ମଧ୍ୟ ଦିଆଯାଇନଥାଏ। ପ୍ରକାଶ, ଗତ ମାସରେ ମଧ୍ୟ ଲାଓସ ସ୍ଥିତ ଭାରତୀୟ ଦୂତାବାସ ୧୩ ଭାରତୀୟଙ୍କୁ ଉଦ୍ଧାର କରି ସେମାନଙ୍କୁ ଭାରତ ପଠାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking