ଭୁବନେଶ୍ୱର: ରାଜ୍ୟରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସାରା ରାଜ୍ୟରେ ଏବେ ଅଢ଼େଇ ହଜାର ପାଖାପାଖି ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ବିଶେଷ କରି ସୁନ୍ଦରଗଡ଼, ଭୁବନେଶ୍ୱର ଡେଙ୍ଗୁ ସ୍ଥିତି ଅଣାୟତ ହେଉଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଡ୍ରାଇଭ ମୋଡ୍ରେ କାମ କରୁଛି । ଗୁରୁବାର ରାଜ୍ୟରେ ୯୮ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଦୈନିକ ଭୁବନେଶ୍ୱର ଏବଂ ସୁନ୍ଦରଗଡ଼ରେ ପାଖାପାଖି ୩୦ ରୁ ୪୦ ରୋଗୀ ଚିହ୍ନଟ ହେଉଛନ୍ତି । ତେବେ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଗତ ବର୍ଷଠାରୁ କମ୍ ରହିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି । ସେ କହିଛନ୍ତି, ଗୁରୁବାର ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨,୪୭୧ ରହିଛି । କେବଳ ସୁନ୍ଦରଗଡ଼ରେ ୭୨୭ ଏବଂ ଭୁବନେଶ୍ୱରରେ ୪୬୪ଜଣ ରହିଛନ୍ତି । ରାଉରକେଲା ଷ୍ଟିଲପ୍ଲାଣ୍ଟ ଏରିଆ ଟିକେ ଅଧିକ ସମ୍ବେଦନଶୀଳ ରହିଛି ।
ପ୍ଲାଣ୍ଟର ଅଧିକାରୀ ଏବଂ ଆମ ବିଭାଗ ଏହାକୁ ଗୁରୁତର ସହ ନେଇ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ସେହିଭଳି ବର୍ତ୍ତମାନସୁଦ୍ଧା ଖୋର୍ଦ୍ଧାରେ ୫୯୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ କଟକ, ବଲାଙ୍ଗୀର ଏବଂ ବାଲେଶ୍ୱରରେ ରୋଗୀଙ୍କ ସଂଖ୍ୟା ଶହେ ଉପରେ ରହିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମନିଟରିଂ କରାଯାଉଥିବା ବେଳେ ସୁନ୍ଦରଗଡ଼, ଭୁବନେଶ୍ୱର ଓ କଟକରେ ସରକାର ସ୍ପେଶାଲ ଡ୍ରାଇଭ ମୋଡ୍ରେ ଅଛନ୍ତି । ସେହିଭଳି ଯଦିଓ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି, କିନ୍ତୁ ଗତବର୍ଷ ତୁଳନାରେ ଏହା କମ୍ ରହିଛି । ଗତବର୍ଷ ଏହି ସମୟ ସୁଦ୍ଧା ରାଜ୍ୟରେ ୨୫ଶହ ପାର୍ କରିଯାଇଥିବା ବେଳେ ଏବେ ୨,୪୭୧ ରହିଛି । କିନ୍ତୁ ଟେଷ୍ଟିଂକୁ ମଧ୍ୟ ବଢ଼ାଯାଇଛି । ଗତବର୍ଷ ୩୦ହଜାର ଟେଷ୍ଟିଂ କରାଯାଉଥିଲା । ଏବେ ୬୭ହଜାର ଟେଷ୍ଟିଂ କରାଯାଉଛି । ଲୋକେ ଅଧିକ ସଚେତନ ହେଉଛନ୍ତି । ଫଳରେ ଟେଷ୍ଟିଂ ସଂଖ୍ୟା ବଢ଼ିଛି । କିନ୍ତୁ ଏବେ ବି ବହୁ ଲୋକ ସଚେତନ ନୁହନ୍ତି । ତେଣୁ ଡେଙ୍ଗୁରେ ରୋକ୍ ଲଗାଇବାକୁ ହେଲେ ଲୋକମାନଙ୍କ ସହଯୋଗ ଦରକାର ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
ଗତ କିଛି ଦିନ ହେବ ରାଜ୍ୟରେ ଡେଙ୍ଗୁରେ ଆକ୍ରାନ୍ତଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ଘଟିଲାଣି । ଏପରିକି କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ମଧ୍ୟ ଡେଙ୍ଗୁ ଲାଗି ଅକାଳ ବିୟୋଗ ଘଟିଥିଲା । ତେବେ ପୂର୍ବରୁ ରାଜ୍ୟରେ ଡେଙ୍ଗୁର ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମୀକ୍ଷା କରିଥିଲେ । ୧୫ ଜିଲ୍ଲାର ୧୦ ମେଡିକାଲ କଲେଜର ଅଧକ୍ଷଙ୍କ ସହ ଆଲୋଚନା କରିଥିଲେ । ଯେଉଁ ଜିଲ୍ଲାଗୁଡିକରେ ଡେଙ୍ଗୁ ଅଧିକ ବ୍ୟାପୁଛି ସେହି ଜିଲ୍ଲାଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ମେଡ଼ିସିନ ଏବଂ ମଶାରୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡେଙ୍ଗୁର ଆଇସୋଲେସନ ୱାର୍ଡକୁ ସଠିକ ରଖିବା ସହ ସଚେତନତାକୁ ଗୁରୁତ୍ୱ ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।










