କୋଲକାତା: ଆନ୍ଦୋଳନରତ ଡାକ୍ତରଙ୍କୁ ପ୍ରତିଶ୍ରୁତି ଦେବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ସମସ୍ତ ସରକାରୀ ହସ୍ପିଟାଲଗୁଡ଼ିକରେ ସୁରକ୍ଷାବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ପରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ସୁରକ୍ଷା ପାଇଁ ପ୍ରାୟ ୧୫୧ ଜଣ ସିଆଇଏସଏଫ୍ ଅଧିକାରୀ ଏବଂ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଡାକ୍ତରଖାନାର ସୁରକ୍ଷା ପାଇଁ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ତିନି ଇନ୍ସପେକ୍ଟର, ତିନିଜଣ ସବ ଇନ୍ସପେକ୍ଟର, ୩୮ ହେଡ କନଷ୍ଟେବଳ, ୬୮ କନଷ୍ଟେବଳ ଏବଂ ଅନ୍ୟ ସୁରକ୍ଷା କର୍ମୀ ନିୟୋଜିତ ରହିବେ ।
କୋଲକାତା ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ସୁପ୍ରିମକୋର୍ଟରେ ୨ୟ ପର୍ଯ୍ୟାୟ ଶୁଣାଣି ହୋଇଛି । ଏହି ଅବସରରେ ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ କୋଲକାତା ପୁଲିସ୍ ବିଭାଗ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୋଲକାତା ପୁଲିସ୍, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ଘଟଣାରେ ଏଫ୍ଆଇଆର ରୁଜୁ କରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି ଖଣ୍ଡପୀଠ କହିଛନ୍ତି । ପୀଡ଼ିତାଙ୍କ ମୃତ୍ୟୁ ଯଦି ସ୍ୱାଭାବିକ ଥିଲା ତେବେ ପୋଷ୍ଟମର୍ଟମ କାହିଁକି ହେଲା? ପୋଷ୍ଟମର୍ଟମ ପରେ ମାମଲା ରୁଜୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ ବୋଲି କୋର୍ଟ କହିଛନ୍ତି । ୩୦ ବର୍ଷ ଭିତରେ ଏଭଳି ମାମଲା ଦେଖିନାହୁଁ ବୋଲି ବିଚାରପତି ଜଷ୍ଟିସ୍ ପାରଦ୍ିୱାଲା କହିଛନ୍ତି । ଏଥିସହିତ ପଶ୍ଚିମବଙ୍ଗ ପୋଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ ବୋଲି ଜଷ୍ଟିସ୍ କହିଥିଲେ । ତେବେ ଶୁଣାଣି ସମୟରେ ସିଜେଆଇ ଚନ୍ଦ୍ରଚୂଡ ପୋଷ୍ଟମର୍ଟମ୍ ରିପୋର୍ଟରେ ୧୫୦ ଗ୍ରାମ ସିମେନ୍ ମିଳିବା ବିଷୟକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ସୋସିଆଲ ମିଡିଆରେ ଚାଲିଥିବା ବିତର୍କ କୋର୍ଟରେ ଉଲ୍ଲେଖ କରାଯିବା ଉଚିତ୍ ନୁହେଁ । କୋର୍ଟରେ ଅସଲି ବ୍ୟବଚ୍ଛେଦ ରିପୋର୍ଟ ରହିଛି ଏବଂ ଏଥିରେ ୧୫୦ ଗ୍ରାମ ଅର୍ଥ କ’ଣ ବୋଲି ଆମେ ଭଲଭାବେ ଜାଣିଛୁ ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ମାମଲାର ତଦନ୍ତ କରୁଥିବା ସିବିଆଇ ଆଜି ଖଣ୍ଡପୀଠଙ୍କ ନିକଟରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି । ଏଥିରେ ହସ୍ପିଟାଲ କର୍ତ୍ତୃପକ୍ଷ ସହ ପୁଳିସ୍ ପ୍ରଶାସନକୁ ମଧ୍ୟ ଦାୟୀ କରିଛି ସିବିଆଇ । ସେହିପରି ମୃତ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ କରାଯାଇନଥିବା ନେଇ ମଧ୍ୟ ସିବିଆଇ କୋର୍ଟଙ୍କୁ ଅବଗତ କରିଛି । ଜାରି ରହିଥିବା ତଦନ୍ତ ପରିପ୍ରେକ୍ଷୀରେ ଆରଜି ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ତଥା ଅଭିଯୁକ୍ତ ସଞ୍ଜୟ ରାୟ ବିରୋଧରେ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସୁଥିବା ବେଳେ ଏସବୁ ସମ୍ପର୍କରେ ମଧ୍ୟ ସିବିଆଇ ନିଜ ରିପୋର୍ଟରେ ଉଲ୍ଲେଖ କରିଛି । ଯେଉଁମାନଙ୍କୁ ସନ୍ଦେହ ଘେରରେ ରଖାଯାଇ ଜେରା କରାଯାଇଛି ସେମାନଙ୍କର ବିସ୍ତୃତ ବିବରଣୀ ମଧ୍ୟ ଷ୍ଟାଟସ୍ରିପୋର୍ଟରେ ଦିଆଯାଇଛି । ଘଟଣାସ୍ଥଳ ସୁରକ୍ଷିତ ନ ଥିବା ତଦନ୍ତକାରୀ ସଂସ୍ଥା ନିଜ ରିପୋର୍ଟରେ ଦର୍ଶାଇଛି । ଏସବୁ ମଧ୍ୟରେ ସିବିଆଇ ପକ୍ଷରୁ ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ ମଧ୍ୟ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ମଞ୍ଜୁରି ଦେଇଛନ୍ତି । ପ୍ରକାଶ, ସିବିଆଇ ସହିତ କୋଲକାତା ପୁଲିସ ମଧ୍ୟ ଏହି ମାମଲାରେ ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି । ସିବିଆଇ ଟିମ୍ ସଂପୃକ୍ତ ହସ୍ପିଟାଲ ଯାଇ ସମସ୍ତ ଫରେନସିକ୍ ଯାଞ୍ଚ ସହିତ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରିଛି ।










