୧୩ ଜଣଙ୍କୁ ବିଜ୍ଞାନ ଶ୍ରୀ’ ଓ ୧୮ଜଣଙ୍କୁ ବିଜ୍ଞାନ ଯୁବ-ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର
ନୂଆଦିଲ୍ଲୀ: ବିଜ୍ଞାନ କ୍ଷେତ୍ରରେ ସାରସ୍ୱତ ସାଧନା ଏବଂ ଉଲ୍ଲେଖନୀୟ ସଫଳତା ପାଇଁ ଦେଶର ୩୩ଜଣ ବିଶିଷ୍ଟ ବୈଜ୍ଞାନିକଙ୍କୁ ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର-୨୦୨୪’ରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗୁରୁବାର ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ ଆୟୋଜିତ ଏକ ସମ୍ମାନ ପ୍ରଦାନ ସମାରୋହ କାର୍ଯ୍ୟକ୍ରମ ଅବସରରେ ଏହି ବୈଜ୍ଞାନିକମାନଙ୍କୁ ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର-୨୦୨୪’ ସମ୍ମାନ ପ୍ରଦାନ କରିଛନ୍ତି । ପ୍ରକାଶ, ଚଳିତ ବର୍ଷ ଠାରୁ ଦେଶରେ ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର’ ନାମରେ ପ୍ରଥମ ଥର ପାଇଁ ବିଶିଷ୍ଟ ବୈଜ୍ଞାନିକଙ୍କୁ ଏହି ସମ୍ମାନ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର’ର ଏହି ପ୍ରଥମ ସଂସ୍କରଣରେ ୪ଟି ବର୍ଗ (ବିଜ୍ଞାନ ରତ୍ନ, ବିଜ୍ଞାନ ଶ୍ରୀ, ବିଜ୍ଞାନ ଯୁବ ଶାନ୍ତି ସ୍ୱରୂପ ଭଟ୍ଟନାଗର ଏବଂ ବିଜ୍ଞାନ ଟିମ୍’ ଅନ୍ତର୍ଗତ ମୋଟି ୩୨ଜଣ ବିଶିଷ୍ଟ ବୈଜ୍ଞାନିକ ଏବଂ ଗ୍ରୁପ୍ ଭାବେ ଏକକ ପୁରସ୍କାର ପ୍ରଦାନ କରାଯାଇଛି ।
ମଲିକ୍ୟୁଲାର ବାୟୋଲୋଜି ଏବଂ ବାୟୋ ଟେକ୍ନୋଲୋଜି କ୍ଷେତ୍ରରେ ଜୀବନବ୍ୟାପି ସାଧନା ତଥା ଗବେଷଣା କରିଆସୁଥିବା ପ୍ରଫେସର ଗୋବିନ୍ଦରାଜନ୍ ପଦ୍ମନାଭନଙ୍କୁ ‘ବିଜ୍ଞାନ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି ୧୮ଜଣଙ୍କୁ ବିଜ୍ଞାନ ଯୁବ-ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ପ୍ରଦାନ କରାଯାଇଛି । ଏମାନେ ହେଲେ, (୧) ଡ. ପ୍ରଶାନ୍ତ କୁମାର (ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା), (୨) ପ୍ରଫେସର ପ୍ରଭୁ ରାଜଗୋପାଳ (ଟେକ୍ନୋଲୋଜି ଆଣ୍ଡ ଇନୋଭେସନ୍), (୩) ପ୍ରଫେସର ଜିତେନ୍ଦ୍ର କୁମାର ସାହୁ (ମେଡିସିନ୍/ ଔଷଧ), (୪) ଡ. ପ୍ରଜ୍ଞା ଧ୍ରୁବ (ମେଡିସିନ୍/ ଔଷଧ), (୫) ପ୍ରଫେସର ଉର୍ବସୀ ସିହ୍ନା (ପଦାର୍ଥ ବିଜ୍ଞାନ), (୬) ଡ. ଦିଗେନ୍ଦ୍ରନାଥ ସ୍ୱାଇଁ (ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା), (୭) ଡ. ରାଧାକୃଷ୍ଣ ଗନ୍ତି (ଇଞ୍ଜିନିୟରିଂ ବିଜ୍ଞାନ), (୮) ଡ. ପୁରବୀ ସାଇକିଆ (ପରିବେଶ ବିଜ୍ଞାନ), (୯) ଡ. ବାପି ପଲ୍ (ପରିବେଶ ବିଜ୍ଞାନ), (୧୦) ପ୍ରଫେସର ମହେଶ ରମେଶ କାକ୍ଡେ (ଗଣିତ ଓ କମ୍ପ୍ୟୁଟର ବିଜ୍ଞାନ), (୧୧) ବିବେକ ପୋଲସେତିୱାର (ରସାୟନ ବିଜ୍ଞାନ), (୧୨) ପ୍ରଫେସର ବିଶାଲ ରାୟ (ରସାୟନ ବିଜ୍ଞାନ), (୧୩) ଡ. ରକ୍ସି ମାଥ୍ୟୁ କୋଲ୍ (ପୃଥିବୀ ବିଜ୍ଞାନ), (୧୪) ଡ. ଅଭିଳାଷ (ଇଞ୍ଜିନିୟରିଂ ବିଜ୍ଞାନ), (୧୫) ଡ. କ୍ରିଷ୍ଣା ମୂର୍ତ୍ତି ଏସ୍.ଏଲ୍ (କୃଷି ବିଜ୍ଞାନ), (୧୬) ଡ. ସ୍ୱରୂପ କୁମାର ପରିଡ଼ା (କୃଷି ବିଜ୍ଞାନ), (୧୭) ପ୍ରଫେସର ରାଧାକ୍ରିଷ୍ଣନ ମହାଲକ୍ଷ୍ମୀ (ଜୈବ ବିଜ୍ଞାନ), (୧୮) ଅରବିନ୍ଦ ପେନମାତ୍ସା (ଜୈବ ବିଜ୍ଞାନ) ।
ସେହିପରି ୧୩ଜଣଙ୍କୁ ‘ବିଜ୍ଞାନ ଶ୍ରୀ ପୁରସ୍କାର’ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଏମାନେ ହେଲେ (୧) ବୈଷୟିକ ଜ୍ଞାନକୌଶଳ ଓ ଉଦ୍ଭାବନ କ୍ଷେତ୍ରରେ ପ୍ରଫେସର ରୋହିତ ଶ୍ରୀବାସ୍ତବ, (୨) ମେଡ଼ିସିନ୍ ବିଜ୍ଞାନ କ୍ଷେତ୍ରରେ ପ୍ରଫେସର ଡାକ୍ତର ସଞ୍ଜୟ ବେହାରୀ, (୩) ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ପ୍ରଫେସର ଲକ୍ଷ୍ମଣନ ମୁଥୁସ୍ୱାମୀ, (୪) ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ପ୍ରଫେସର ନବ କୁମାର ମଣ୍ଡଳ, (୫) ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଡ. ଅନ୍ନପୂର୍ଣ୍ଣି ସୁବ୍ରମଣ୍ୟମ, (୬) ପୃଥିବୀ ବିଜ୍ଞାନ କ୍ଷେତ୍ରରେ ପ୍ରଫେସର ସୟଦ ୱାଜିହ ଅହମ୍ମଦ ନକ୍ଭି, (୭) ଇଞ୍ଜିନିୟରିଂ ବିଜ୍ଞାନ କ୍ଷେତ୍ରରେ ପ୍ରଫେସର ଭୀମ ସିଂ, (୮) ଗଣିତ ଓ କମ୍ପ୍ୟୁଟର ବିଜ୍ଞାନ କ୍ଷେତ୍ରରେ ପ୍ରଫେସର ଆଦିମୂର୍ତ୍ତି ଆଦି, (୯) ଗଣିତ ଓ କମ୍ପ୍ୟୁଟର ବିଜ୍ଞାନ କ୍ଷେତ୍ରରେ ପ୍ରଫେସର ରାହୁଲ ମୁଖାର୍ଜୀ, (୧୦) କୃଷି ବିଜ୍ଞାନରେ ଡ. ଆନନ୍ଦରାମକ୍ରିଷ୍ଣନ ସି, (୧୧) ପରମାଣୁ ଶକ୍ତି କ୍ଷେତ୍ରରେ ଡ. ଅଭେଶ କୁମାର ତ୍ୟାଗୀ, (୧୨) ଜୈବ ବିଜ୍ଞାନ କ୍ଷେତ୍ରରେ ପ୍ରଫେସର ଉମେଶ ବାର୍ଷ୍ଣେୟ ଏବଂ (୧୩) ଜୈବ ବିଜ୍ଞାନ କ୍ଷେତ୍ରରେ ପ୍ରଫେସର ଜୟନ୍ତ ଭାଲଚନ୍ଦ୍ର ଉଦଗାଓଁକର । ଏହି ବିଶିଷ୍ଟ ବୈଜ୍ଞାନିକଙ୍କ ସହ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଟିମ୍ ଚନ୍ଦ୍ରଯାନ-୩କୁ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ବିଜ୍ଞାନ ଟିମ୍’ ଆୱାର୍ଡ ପ୍ରଦାନ କରିଛନ୍ତି । ଚନ୍ଦ୍ରଯାନ-୩ ଅଭିଯାନର ସଫଳ ସମାପନ ଦେଶର ସବୁଠାରୁ ବଡ଼ ବୈଜ୍ଞାନିକ ଉପଲବ୍ଧି ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ବୈଜ୍ଞାନିକ ଦଳ ଦ୍ୱାରା ପ୍ରଯୁକ୍ତିବିଦ୍ୟାର ବିଭିନ୍ନ କ୍ଷେତ୍ରରେ ଅବଦାନକୁ ପ୍ରତିନିଧିତ୍ୱ କରିଥାଏ ।










