29.1 C
Bhubaneswar
Thursday, May 7, 2026
Homeଓଡିଶାଓରମାସ “ସମର ଡିଲାଇଟ”: ଚାଷୀମାନଙ୍କ ଆୟ ବୃଦ୍ଧି ସହ ରାଜଧାନୀବାସୀଙ୍କ ପାଇଁ ସତେଜ ତରଭୁଜର ପ୍ରତିଶୃତି

ଓରମାସ “ସମର ଡିଲାଇଟ”: ଚାଷୀମାନଙ୍କ ଆୟ ବୃଦ୍ଧି ସହ ରାଜଧାନୀବାସୀଙ୍କ ପାଇଁ ସତେଜ ତରଭୁଜର ପ୍ରତିଶୃତି

* ୭ ମଇରୁ ୧୭ ମଇ ପର୍ଯ୍ୟନ୍ତ ଚାଲିବ ଏହି ମେଳା
* ୧୦ଟି ଜିଲ୍ଲାରୁ ପ୍ରାୟ ୧୫ଟି ଚାଷୀ ଉତ୍ପାଦକ ସଂଗଠନ (FPO) ଏକତ୍ରିତ
* ୧୫୦ ଟନ୍‌ ତରଭୁଜ ବିକ୍ରୟ, ୩୦ ଲକ୍ଷ ଟଙ୍କାର କାରବାର ଲକ୍ଷ୍ୟ
* “ଚାଷୀ ଏବଂ ଗ୍ରାହକ ଉଭୟଙ୍କ ପାଇଁ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ”- ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ

ଭୁବନେଶ୍ୱର: ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ ) ପକ୍ଷରୁ ସହିଦ ନଗର ଦୁର୍ଗାମଣ୍ଡପ ନିକଟରେ “ସମର ଡିଲାଇଟ” ନାମକ ତରଭୁଜ ମେଳା ଆଜି ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଉଦ୍ଘାଟନ କରିଛନ୍ତି।

୭ ମଇରୁ ୧୭ ମଇ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳା ଓଡ଼ିଶାର ୧୦ଟି ଜିଲ୍ଲା – ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ମାଲକାନଗିରି, କେନ୍ଦୁଝର, କେନ୍ଦ୍ରାପଡା, ବୌଦ୍ଧ, ମୟୂରଭଞ୍ଜ, ସମ୍ବଲପୁର ଏବଂ ସୁନ୍ଦରଗଡ଼ – ରୁ ପ୍ରାୟ ୧୫ଟି ଚାଷୀ ଉତ୍ପାଦକ ସଂଗଠନ (FPO)କୁ ଏକତ୍ରିତ କରିଛି। ଏହି ପ୍ଲାଟଫର୍ମ ମାଧ୍ୟମରେ, ଚାଷୀମାନେ ସିଧାସଳଖ କର୍ପୋରେଟ୍ କ୍ରେତା, ସଂସ୍ଥାଗତ ଗ୍ରାହକ ଏବଂ ସାଧାରଣ ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରି, ନିଜ ଉତ୍ପାଦ ଲାଗି ଉତ୍ତମ ମୂଲ୍ୟ ପାଇପାରିବେ ବୋଲି ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଡଃ ମୋନିକା ପ୍ରିୟଦର୍ଶିନୀ ମତ ପ୍ରକାଶ କରିଛନ୍ତି । ପ୍ରାୟ ୧୫୦ ଟନ୍‌ ତରଭୁଜ ବିକ୍ରୟ ଲକ୍ଷ୍ୟ ରଖାଯାଇଥିବା ବେଳେ ବଲ୍କ ଟାଇ-ଅପ୍ ତଥା ଖୁଚୁରା ବିକ୍ରୟ ମାଧ୍ୟମରେ ପ୍ରାୟ ୩୦ ଲକ୍ଷ ଟଙ୍କାର କାରବାର ହେବାର ଆକଳନ କରାଯାଇଛି।

ରାଜଧାନୀବାସୀଙ୍କ ପାଇଁ ମେଳାରେ ସତେଜ ତରଭୁଜ ସହ ତରଭୁଜ ରସ, କଟା ଫଳ, ମିଲ୍କଶେକ, ସରବତ ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ମଧ୍ୟ ଉପଲବ୍ଧ ହେଉଛି। ଚାଷୀ ଏବଂ ଗ୍ରାହକ ଉଭୟଙ୍କ ପାଇଁ ଏହି ଷ୍ଟଲ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ ହୋଇଥିବା ବେଳେ “ସମର ଡି ଲାଇଟ୍” ନାମକରଣ ଏହାର ଉଦ୍ଦେଶ୍ୟ ଓ ଆକର୍ଷଣକୁ ସଠିକ୍ ଭାବେ ପ୍ରତିଫଳିତ କରୁଛି, ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ମତ ପ୍ରକାଶ କରିଛନ୍ତି। ଏହାର ବାଣିଜ୍ୟିକ ଦିଗ ବ୍ୟତୀତ, ଏହି ପଦକ୍ଷେପ ଋତୁକାଳୀନ ଫଳ ବ୍ୟବହାରକୁ ପ୍ରୋତ୍ସାହିତ କରିବା, ସହ ସୁସ୍ଥ ଖାଦ୍ୟ ଅଭ୍ୟାସକୁ ଉତ୍ସାହିତ କରିବା ଏବଂ ସ୍ଥାନୀୟ ଚାଷୀଙ୍କୁ ସହଯୋଗ କରିବା ପାଇଁ ଓରମାସର ବ୍ୟାପକ ଅଭିଯାନର ଏକ ଅଂଶ। ଓରମାସ ପରିବାର ପକ୍ଷରୁ ସମସ୍ତ ରାଜଧାନୀବାସୀଙ୍କୁ ଏହି ମେଳା ପରିଦର୍ଶନ କରି ତାଜା ଓ ପ୍ରାକୃତିକ ଫଳର ସ୍ୱାଦ ଉପଭୋଗ କରିବାକୁ ଆମନ୍ତ୍ରଣ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking