କଟକ: ଜଗତପୁରସ୍ଥିତ କେନ୍ଦ୍ରାପଡା କେନାଲରେ ପହଁରା ଶିଖିବାକୁ ଯାଇ ଆଜି ପୂର୍ବାହ୍ଣରେ ଜଣେ ବିହାରୀ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଜଣକ ହେଉଛନ୍ତି ବିହାରନୟାଗାଁଓ ମୁଙ୍ଗେରା ଗ୍ରାମର ବିତିଶ କୁମାର ଯାଦବ (୧୯) । ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ôଚ ଉଦ୍ଧାରକାର୍ଯ୍ୟ ଚଳାଇଥିଲା ବେଳେ ଯୁବକଙ୍କ ପତ୍ତା ମିଳିନାହିଁ ।ସୂଚନାଯୋଗ୍ୟ ବିହାର ରାଜ୍ୟର ୧୫ରୁ ଉର୍ଦ୍ଧ୍ୱ ଶ୍ରମିକ ଜଗତପୁର ସ୍ଥିତ ସାଇ ସମୀକ୍ଷା ନଗରରେ ରହି ସିଲିଂ କାର୍ଯ୍ୟ କରୁଥିଲେ । ତେବେ ଆଜି ପୂର୍ବାହ୍ନ ୧୧ଟାବେଳେ ୪ଜଣ ଯୁବକ ପ୍ରିନ୍ସ,ଅନୁଜ,ଚନ୍ଦ୍ରଶେଖର ଓ ବିତିଶ କେନ୍ଦ୍ରାପଡା କେନାଲ ମଧୁସେତୁ ନିକଟକୁ ଗାଧୋଇବାକୁ ଆସିଥିଲେ । ୪ଜଣ ଯୁବକ ସେତୁ ଉପରୁ ତଳକୁ ଡେଇଁ ପହଁରୁଥିଲେ । ମାତ୍ର ବିତିଶ କେନାଲର ପ୍ରଖରସ୍ରୋତ ଥିବାରୁ ହଠାତ୍ ଭାସିଯାଇ ନିଖୋଜ ହୋଇଯାଇଥିଲେ । ଅନ୍ୟ ୩ଜଣ ଯୁବକ ପୋଲ ଖୁଣ୍ଟକୁ ଧରି ଅଟକି ଯାଇଥିଲେ ।ପହଁରା ନଜାଣି କେନାଲର ଭରା ପାଣିରେ ଯୁବକମାନଙ୍କ ଅସାବଧାନତା ଯୋଗୁ ବିତିଶଙ୍କ ପହଁରା ଶିଖିବା କାଳ ପାଲଟିଲା ବୋଲି କୁହାଯାଉଛି ।ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ôଚ ଖୋଜାଖୋଜି କରିଥିଲେ ମଧ୍ୟ ବିତିଶଙ୍କୁ ଉଦ୍ଧାର କରିପାରିନଥିବା ଜଣାଯାଇଛି ।










