ନୂଆଦିଲ୍ଲୀ: ଚଳିତ ମାସ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନ୍ ଗସ୍ତରେ ଯିବେ । ଏନେଇ ପିଏମ୍ଓ ଏବଂ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରୁଷ୍-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ମୋଦୀଙ୍କର ଏହା ପ୍ରଥମ ୟୁକ୍ରେନ୍ ଗସ୍ତ ହେବ । ମୋଦୀ ନିଜ ୟୁକ୍ରେନ୍ ଗସ୍ତ କାଳରେ ୟୁକ୍ରେନ୍ ରାଷ୍ଟ୍ରପତି ଭି.ଜେଲନସ୍କିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ରୁଷ୍ର ଘନଘନ ଆକ୍ରମଣ ସତ୍ତ୍ୱେ ଭାରତ କେଉଁ ଭଳି ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇ ଆସୁଛି ଓ ଆଗକୁ ମଧ୍ୟ ନୂଆଦିଲ୍ଲୀ କ’ଣ ସବୁ ସହାୟତା କରିପାରିବ, ସେସମ୍ପର୍କରେ ମୋଦୀ-ଜେଲେନ୍ସ୍କି ଆଲୋଚନା କରିବେ । ବୈଦେଶିକ ମନ୍ତ୍ରଣାଳୟ ସଚିବ ତନ୍ମୟ ଲାଲ ସୂଚନା ଦେଇ କହିଛନ୍ତି ଯେ ଅଗଷ୍ଟ ୨୧ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨ ରାଷ୍ଟ୍ରୀୟ ବିଦେଶ ଗସ୍ତ ଆରମ୍ଭ ହେବ । ମୋଦୀ ପ୍ରଥମେ ପୋଲାଣ୍ଡ ଗସ୍ତ କରିବେ । ଏହାର ଦୁଇ ଦିନ ପରେ ଅର୍ଥାତ ଅଗଷ୍ଟ ୨୩ରେ ସେ ୟୁକ୍ରେନ୍ରେ ଯାଇ ପହଞ୍ôଚବେ । ୪୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡ ଗସ୍ତ କରିବାକୁ ଯାଉଛନ୍ତି । ମୋଦୀଙ୍କ ଗସ୍ତ ପରିପ୍ରେକ୍ଷୀରେ ପୋଲାଣ୍ଡ ଏବଂ ଭାରତ ଦୁଇ ଦେଶ ମଧ୍ୟରେ ୭୦ତମ କୂଟନୀତିକ ବର୍ଷପୂର୍ତ୍ତି ପାଳନ କରାଯିବ । ସେହିପରି ଗତ ୩୦ ବର୍ଷ ମଧ୍ୟରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ଗସ୍ତ କରିବେ । ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଓ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ନିମନ୍ତ୍ରଣକ୍ରମେ ମୋଦୀ ଉଭୟ ଦେଶକୁ ଯାଉଥିବା ଲାଲ ସୂଚନା ଦେଇଛନ୍ତି ।
ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦୀ ୩ୟ ଥର ପାଇଁ କାର୍ଯ୍ୟକାଳ ଆରମ୍ଭ କରିବା ପରେ ଚଳିତ ମାସରେ ପ୍ରଥମେ ରୁଷ ଗସ୍ତ କରିଥିଲେ । ୨୨ତମ ଭାରତ-ରୁଷ୍ ବାର୍ଷିକ ସମ୍ମିଳନୀ ପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନିମନ୍ତ୍ରଣ କ୍ରମେ ଜୁଲାଇ ୮ରେ ପ୍ରଧାନମନ୍ତ୍ରୀ ମୋଦୀ ୨ ଦିନିଆ ରୁଷ୍ ଗସ୍ତ କରିଥିଲେ । ଏହି ଅବସରରେ ଉଭୟ ରାଷ୍ଟ୍ରପ୍ରମୁଖ ଦୁଇଦେଶ ମଧ୍ୟରେ ପରମାଣୁ ଶକ୍ତି ଏବଂ ଜାହାଜ ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଆଲୋଚନା କରିଥିଲେ ଏବଂ ଅନେକ ପ୍ରସଙ୍ଗରେ ଚୁକ୍ତି ସ୍ୱାକ୍ଷରିତ ମଧ୍ୟ କରିଥିଲେ । ଏହି ଅବସରରେ ପୁତିନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷ୍ର ସର୍ବୋଚ୍ଚ ନାଗରିକ ସମ୍ମାନ, ଅର୍ଡର ଅଫ୍ ସେଣ୍ଟ ଆଣ୍ଡ୍ର୍ୟୁ ପ୍ରେରିତ ସମ୍ମାନରେ ସମ୍ମାନିତ କରିଥିଲେ । ଏପରିକି ପୁତିନ୍ ନିଜ ଦାମୀ ଗାଡ଼ିରେ ମୋଦୀଙ୍କୁ ସାଙ୍ଗରେ ନେଇ ନିଜେ ଡ୍ରାଇଭ୍ କରିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ମୋଦୀ, ରୁଷ୍ ଗସ୍ତରେ ଯିବାକୁ ନେଇ ୟୁକ୍ରେନ୍, ଆମେରିକା ସମେତ ସମଗ୍ର ୟୁରୋପୀୟ ଦେଶଗୁଡ଼ିକ କ୍ଷୋଭ ପ୍ରକାଶ କରିଥିଲେ ।
ବିଶେଷକରି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ । ଜେଲେନ୍ସ୍କି କହିଥିଲେ ମୋଦୀ-ପୁତିନ୍ଙ୍କ ଆଲିଙ୍ଗନ କେବଳ ଏକ ବଡ଼ ଅସନ୍ତୋଷ ନୁହେଁ, ବରଂ ଶାନ୍ତି ପ୍ରତିଷ୍ଠାରେ ଏକ ଧ୍ୱଂସକାରୀ ଉଦ୍ୟମ । ପୁତିନ୍ଙ୍କୁ ଜଣେ ନରହନ୍ତା ଭାବେ ଅଭିହିତ କରିବା ପୂର୍ବକ ମୋଦୀ ଜଣେ ମାନବସମାଜର ଶତ୍ରୁକୁ ଆଲିଙ୍ଗନ କରିଥିବା ନେଇ ମଧ୍ୟ ଜେଲେନ୍ସ୍କି ମତ ଦେଇଥିଲେ । ତେବେ ଏହାର କିଛି ଦିନ ମଧ୍ୟରେ ନିଜ କୂଟନୈତିକ ରଣନୀତି ଦୃଷ୍ଟିକୋଣକୁ ସନ୍ତୁଳିତ ରଖିବାରେ ସିଦ୍ଧହସ୍ତ ଭାରତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୟୁକ୍ରେନ୍ ଗସ୍ତ ପାଇଁ କାର୍ଯ୍ୟସୂଚୀ ନିର୍ଦ୍ଧାରିତ କରିଥିଲା । ତେବେ ଏବେ ଯେତେବେଳେ ମୋଦୀଙ୍କ ୟୁକ୍ରେନ୍ ଗସ୍ତ ପ୍ରସଙ୍ଗ ସାମ୍ନାକୁ ଆସିଛି ଏବେ ଏହିସବୁ ପଶ୍ଚିମଦେଶଗୁୂଡ଼ିକ ଏହାକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି । ମୋଦୀଙ୍କ ୟୁକ୍ରେନ୍ ଗସ୍ତ ତଥା ରୁଷ-ୟୁକ୍ରେନ୍ ଯୁଦ୍ଧ ଉପରାନ୍ତେ ଭାରତର ଆଭିମୁଖ୍ୟ ଉପରେ ଏବେ ସମଗ୍ର ବିଶ୍ୱର ତୀକ୍ଷ୍ମ ନଜର ରହିଛି ।










