25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଆଜି ବିଜେପିରେ ମିଶି ପାରନ୍ତି ଚମ୍ପାଇ ସୋରେନ

ଆଜି ବିଜେପିରେ ମିଶି ପାରନ୍ତି ଚମ୍ପାଇ ସୋରେନ

ନୂଆଦିଲ୍ଲୀ: ଗତକାଲି ଏକ ଦୀର୍ଘ ଭାବପ୍ରବଣ ଟ୍ବିଟରେ ଅସନ୍ତୋଷ ସହ ଦଳ ‘ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା’ (ଜେଏମଏମ) ପ୍ରତି ନିଜର କ୍ଷୋଭ ବ୍ୟକ୍ତ କରିଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆଜି ବିଧିବଦ୍ଧ ବିଜେପିରେ ସାମିଲ ହୋଇପାରନ୍ତି । ଚମ୍ପାଇ ସିଧାସଳଖ ବିଜେପିରେ ସାମିଲ ହେବା ନେଇ ଏପର୍ୟ୍ୟନ୍ତ କୌଣସି ଘୋଷଣା କରିନଥିବା ବେଳେ କେନ୍ଦ୍ରମନ୍ତ୍ରୀ ତଥା ‘ଏନଡିଏ’ ସହଯୋଗୀ ଦଳ ‘ହାମ’ର ନେତା ଜୀତନରାମ ମାଞ୍ଝୀ ତାଙ୍କୁ ଆଗୁଆ ଟ୍ବିଟ କରି ମେଣ୍ଟ ପରିବାରକୁ ସ୍ବାଗତ କରିଛନ୍ତି ।
ଚମ୍ପାଇ ୧୭ ତାରିଖରେ କୋଲକାତା ଗସ୍ତ କରିବା ପରେ ଗତକାଲି ନିଜର ୫ ସମର୍ଥିତ ବିଧାୟକଙ୍କ ସହ ଦିଲ୍ଲୀ ଗସ୍ତ କରିଥିଲେ । ଆଜି ମଧ୍ୟ ସେ ଦିଲ୍ଲୀରେ ଅଛନ୍ତି । ତେଣୁ ଆଜି ସେ ନିଜ ସମର୍ଥିତ ଗୋଷ୍ଠୀ ସହ ବିଜେପିରେ ସାମିଲ ହୋଇପାରନ୍ତି । ସ୍ବାଗତ ଟ୍ବିଟରେ ଜୀତନରାମ ଲେଖିଛନ୍ତି,‘‘ ଚମ୍ପାଇ ଦା, ଆପଣ ଜଣେ ବାଘ । ଆପଣ ବାଘ ଥିଲେ, ବାଘ ଅଛନ୍ତି ଆଉ ବାଘ ହୋଇ ରହିଥିବେ ମଧ୍ୟ । ‘ଏନଡିଏ’ ପରିବାରକୁ ଆପଣଙ୍କୁ ସ୍ବାଗତ । ହୁଜାର ଟାଇଗର ।’’
ଚଳିତବର୍ଷ ଫେବୃଆରୀରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ‘ଜେଏମଏମ’ର କାର୍ୟ୍ୟକାରୀ ସଭାପତି ହେମନ୍ତ ସୋରେନଙ୍କୁ ଜମି ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ଗିରଫ ହେବା ପୂର୍ବରୁ ହେମନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ପରେ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ବିଚାର ବିମର୍ଶ ଜାରି ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ଚମ୍ପାଇ ସୋରେନଙ୍କ ନାମରେ ବିଧାୟକ ଦଳର ମୋହର ଲାଗିଥିଲା ।ହେମନ୍ତ ସୋରେନ ଜେଲରେ ଥିବା ବେଳେ ଶିବୁ ସୋରେନ ପରିବାର ବେଶ ଘନିଷ୍ଠ ବୋଲି କୁହାଯାଉଥିବା ଚମ୍ପାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ମାତ୍ର ଗତମାସ (ଜୁଲାଇ)ରେ ହେମନ୍ତ ବେଲରେ ଜେଲରୁ ମୁକୁଳିବା ପରେ ଚମ୍ପାଇଙ୍କୁ ହଟାଇ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ । ଏଥିରେ ଚମ୍ପାଇ ଓ ତାଙ୍କ ସମର୍ଥିତ ଗୋଷ୍ଠୀ ନାରାଜ ଥିବା ନେଇ ଚର୍ଚ୍ଚା ହୋଇଥିଲା । ନିକଟରେ କିଛି ଦିନ ହେବ ଚମ୍ପାଇ ବିଜେପି ସହ ଯୋଗାଯୋଗରେ ଥିବା ଚର୍ଚ୍ଚା ହୋଇଥିଲା । ଏପରିକି ସେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ସମ୍ପର୍କରେ ଥିବା ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking