26.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଆଇଏମ୍‌ଏ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଆଇଏମ୍‌ଏ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପ୍ରତି ସମସ୍ତ ପ୍ରକାର ପଦକ୍ଷେପ ନେବା ଲାଗି ତୁରନ୍ତ ଏକ କମିଟି ଗଠନ କରାଯିବ ବୋଲି ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି। ଏଥିସହ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟକୁ ଫେରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା ଶନିବାର ଡାକ୍ତର ସଂଘର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରତିନିଧିମାନଙ୍କ ମଧ୍ୟରେ ଫେଡେରେସନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ, ଭାରତୀୟ ଚିକିତ୍ସକ ସଂଘ(ଆଇଏମ୍‌ଏ) ଏବଂ ସରକାରୀ ମେଡିକାଲ କଲେଜ୍‌ଗୁଡ଼ିକର ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନର ପଦାଧିକାରୀମାନେ ରହିଥିଲେ। ତେବେ ଖୁବ୍‌ଶୀଘ୍ର ଏକ କମିଟି ଗଠନ କରାଯାଇ ଡାକ୍ତର ଏବଂ ସେବିକାମାନଙ୍କ ସୁରକ୍ଷା ନିମନ୍ତେ ସମସ୍ତ ପଦକ୍ଷେପ ନିଆଯିବ ଏବଂ କମିଟି ସମସ୍ତ ସଂଗଠନର ପ୍ରତିନିଧିମାନଙ୍କୁ ଆମନ୍ତ୍ରଣ କରି ଏଦିଗରେ ସେମାନଙ୍କ ମତାମତ ଏବଂ ପରାମର୍ଶ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନଡ୍ଡା ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ବୈଠକ ପରେ ସମସ୍ତ ସଙ୍ଗଠନର ପ୍ରତିନିଧୀଙ୍କୁ ସୂଚନା ଦିଆଯାଇଥିଲା ଯେ, ସରକାର ପରିସ୍ଥିତି ବିଷୟରେ ଅବଗତ ଅଛନ୍ତି ଏବଂ ସେମାନଙ୍କ ଦାବି ପ୍ରତି ସମ୍ବେଦନଶୀଳ ଅଟନ୍ତି। ୨୬ଟି ରାଜ୍ୟ ନିଜ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିସାରିଛନ୍ତି। ତେବେ ଆଜିର ଏହି ବୈଠକ ପରେ ମନ୍ତ୍ରଣାଳୟ ପକ୍ଷରୁ ଡାକ୍ତରମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରାଯାଇଛି।

ପ୍ରକାଶ, ଡାକ୍ତରମାନଙ୍କ ପକ୍ଷରୁ ଡାକ୍ତରଖାନାଗୁଡ଼ିକୁ ନିରାପଦ ଅଞ୍ଚଳ(ସେଫ୍ ଜୋନ) ଭାବେ ଘୋଷଣା କରାଯିବା, ସମସ୍ତ ଡାକ୍ତରଖାନାର ନିରାପତ୍ତା ପ୍ରୋଟୋକଲ କୌଣସି ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା ଭଳି ହେବା ଏବଂ ଡାକ୍ତରଖାନାଗୁଡ଼ିକରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା ଲଗାଯିବା ସହିତ ସୁରକ୍ଷାକର୍ମୀ ମୁତୟନ ପାଇଁ ଦାବି କରାଯାଇଛି। ଅନ୍ୟପକ୍ଷେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପ୍ରତିନିଧୀଙ୍କ ଦାବିକୁ ଶୁଣି ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମକୁ ନିଶ୍ଚିତ କରିଥିଲେ। ଏସବୁ ମଧ୍ୟରେ ଆଇଏମଏ ପକ୍ଷରୁ ଡାକ୍ତରଙ୍କ ସୁରକ୍ଷା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖାଯାଇଥିବା ସମ୍ପର୍କରେ ସୂଚନା ମିଳିଛି।

ପଶ୍ଚିମବଙ୍ଗର ଆର.ଜି କର ମେଡିକାଲ୍ କଲେଜର ଟ୍ରେନି ମହିଳା ଡାକ୍ତରାଣୀ (ପିଜି ଛାତ୍ରୀ)ଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ସଂଖ୍ୟକ ଡାକ୍ତର। ଫଡେରେସନ ଅଫ୍ ରେସିଡେଣ୍ଟ୍ ଡାକ୍ତର ଆସୋସିଏସନ୍‌, ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍‌ଏ) ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଦେଇଛନ୍ତି। ଯାହାଫଳରେ ସମସ୍ତ ଡାକ୍ତରଖାନାରେ ରୋଗୀସେବା ବହୁମାତ୍ରାରେ ବାଧାପ୍ରାପ୍ତ ହୋଇଛି। କେବଳ ଜରୁରି ରୋଗୀ ସେବାକୁ ବାଦ୍‌ଦେଲେ ଅନ୍ୟ ସମସ୍ତ ଡାକ୍ତରୀ ସେବାକୁ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତର ସଂଘ ତଥା ଆଇଏମ୍‌ଏ ପକ୍ଷରୁ ପୀଡ଼ିତାଙ୍କୁ ନ୍ୟାୟ, ଦୋଷୀକୁ ଫାଶୀଦଣ୍ଡ ତଥା ଦେଶର ସମସ୍ତ ମେଡିକାଲ ତଥା ମେଡିକାଲ କଲେଜରେ ଅବସ୍ଥାପିତ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦାବିରେ ୨୪ଘଣ୍ଟିଆ ଏହି ଧର୍ମଘଟ ଶନିବାର ଠାରୁ ଆରମ୍ଭ ହୋଇଥିବା ଘୋଷଣା କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଉପରୋକ୍ତ ପ୍ରତିଶ୍ରୁତି ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking