ନୂଆଦିଲ୍ଲୀ: ସରକାରୀ ଆକାଉଣ୍ଟରୁ ପାଣ୍ଠି ହେରଫେର କରୁଥିବା ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ଣ୍ଣାଟକା ସରକାର । ଆଜି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଏସ୍ବିଆଇ ଓ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ୍ (ପିଏନ୍ବି) ସହ ସବୁ ପ୍ରକାରର ନେଣଦେଣ ବନ୍ଦ କରି ଦେଇଛନ୍ତି । ପ୍ରକାଶ, ଉଭୟ ଏସ୍ବିଆଇ ଓ ପିଏନ୍ବି ହେଉଛନ୍ତି ରାଷ୍ଟ୍ରାୟାତ୍ତ ବ୍ୟାଙ୍କ । ଏହି ଦୁଇ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ । ତେବେ ଏହି ଦୁଇ ବ୍ୟାଙ୍କ୍ରେ ସରକାରୀ ଆକାଉଣ୍ଟ୍ ଖୋଲା ରହିଥିବା ବେଳେ ଏଥିରେ ହେରଫେର ହେଉଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଥିଲା । ସୁତରାଂ କର୍ଣ୍ଣାଟକ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଏହି ଦୁଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ସହ କୌଣସି ଅର୍ଥନୈତିକ କାରବାର କରାଯିବା ଉପରେ ବାରଣ କରାଯାଉଥିବା ନେଇ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି । ଏସବିଆଇ ଓ ପିଏନବିରେ ବିଭାଗଗୁଡ଼ିକର ଥିବା ସମସ୍ତ ଆକାଉଣ୍ଟକୁ ତୁରନ୍ତ ବନ୍ଦ କରିବା ସହ ସମସସ୍ତ ପ୍ରକାରର ଜମା ତୁରନ୍ତ ପ୍ରତ୍ୟାହାର କରିବାକୁ ଅର୍ଥ ବିଭାଗ କହିଛି ।
ନିର୍ଦ୍ଦେଶନାମାରେ କୁହାଯାଇଛି, ଏସ୍ବିଆଇ ଓ ପିଏନ୍ବିରେ ଥିବା ରାଜ୍ୟ ସରକାରଙ୍କ ବିଭାଗ, ପବ୍ଲିକ ଏଣ୍ଟରପ୍ରାଇଜେସ, କର୍ପୋରେସନ, ଲୋକାଲ ବଡିଜ, ବିଶ୍ୱବିଦ୍ୟାୟଳ ଓ ଅନ୍ୟ ସମସ୍ତ ପ୍ରତିଷ୍ଠାନ ଗୁଡ଼ିକର ଆକାଉଣ୍ଟକୁ ତୁରନ୍ତ ବନ୍ଦ କରାଯାଉ । ଏହି ଦୁଇ ବ୍ୟାଙ୍କରେ ଆଗକୁ କୌଣସି ପ୍ରକାରର ଜମା ଓ ନିବେଶ କରାଯିବ ନାହିଁ । ଯଦି ଏହି ଦୁଇ ବ୍ୟାଙ୍କରେ କୌଣସି ଟଙ୍କା ରହିଛି, ତା’ହେଲେ ସେଗୁଡ଼ିକୁ ତୁରନ୍ତ ଉଠାଇ ନିଆଯାଉ । ପ୍ରକାଶ, କର୍ଣ୍ଣାଟକରେ କ୍ଷମତାସୀନ କଂଗ୍ରେସ ଓ ବିରୋଧୀ ବିଜେପି ମଧ୍ୟରେ କର୍ଣ୍ଣାଟକା ମହର୍ଷି ବାଲ୍ମିକୀ ସେଡ୍ୟୁଲ ଟ୍ରାଇବ ଡେଭଲପମେଣ୍ଟ କର୍ପୋରେସନ ଲିଃରୁ ବେଆଇନ ଟଙ୍କା ନେଣଦେଣକୁ ନେଇ ବିବାଦ ଲାଗି ରହିଛି । କର୍ପୋରେସନର ଆକାଉଣ୍ଟ ଦୁଇଟି ବ୍ୟାଙ୍କ ମଧ୍ୟରୁ ଗୋଟିଏରେ ରହିଥିବା ଜଣାପଡ଼ିଛି । ବ୍ୟାଙ୍କ ଦ୍ୱାରା ହେରଫେର କରାଯାଇଥିବା ଆଶଙ୍କାରେ କଂଗ୍ରେସ ସରକାର ଏପରି ପଦକ୍ଷେପ ନେଇଥିବା କୁହାଯାଉଛି ।










