ୱାୟନାଡ: ୱାୟନାଡ ଭୂସ୍ଖଳନ ଘଟଣାରେ ମୃତକଙ୍କ ସଂଖ୍ୟା ୪୦୦ ଛୁଇଁଛି । ମଙ୍ଗଳବାର ମଧ୍ୟ ୬ଟି ମୃତଦେହ ଉଦ୍ଧାର କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମାଟିତଳୁ ଉଦ୍ଧାର ହୋଇଥିବା ଅନେକ ମୃତଦେହଙ୍କୁ ଚିହ୍ନଟ କରାଯାଇପାରିନଥିବା ବେଳେ ଏସବୁକୁ ଆଜି ଗଣଦାହ କରାଯାଇଛି । ପୁଥୁମାଲାରେ ପ୍ରଶାସନ ପକ୍ଷରୁ ଅଜଣା ମୃତଦେହଗୁଡ଼ିକର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତେବେ ଏହା ପୂର୍ବରୁ ସମସ୍ତ ମୃତଦେହର ଡିଏନ୍ଏ ନମୁନା ସଂଗ୍ରହ କରାଯାଇଛି । ପ୍ରକାଶ, ଭୂସ୍ଖଳନ ଯୋଗୁ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଏବେ ବି ମାଟି ତଳୁ ଖୋଜିବା ପ୍ରକ୍ରିୟା ଜାରି ରହିଛି । ଏବେ ବି ନିଖୋଜ ଅଛନ୍ତି ୧୮୦ ଜଣ । ଭୂସ୍ଖଳନ ଧ୍ୱଂସ୍ତସ୍ତୁପ ତଳୁ ୧୬୦ରୁ ଅଧିକ ଅଙ୍ଗ ପ୍ରତ୍ୟଙ୍ଗ ଉଦ୍ଧାର କରାଯାଇଛି । ୮ ଦିନ ତଳେ ଘଟିଥିବା ପ୍ରକୃତିର ଏହି କରାଳ ତାଣ୍ଡବ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା । ଏଯାବତ ରେସକ୍ୟୁ ଅପରେସନ୍ ସରିନି । ସେନା, ଏନଡିଆରଏଫ୍, ଏସଡିଆରଏଫ୍, ସ୍ଥାନୀୟ ପୋଲିସ ଓ ସ୍ୱେଚ୍ଛାସେବୀଙ୍କୁ ମିଶାଇ ୧୫ଶହରୁ ଅଧିକ ଉଦ୍ଧାରକାରୀ ଲାଗିଛନ୍ତି । ଭୂସ୍ଖଳନରେ ସବୁଠୁ ବେଶି ପ୍ରଭାବିତ ହୋଇଛି ମେପ୍ପାଡି ପାହାଡ଼ ନିକଟରେ ଥିବା ମୁଣ୍ଡାକାଇ ଗାଁ । ସେହିପରି ପୁଞ୍ଚୁରି ମାଟମରେ ମଧ୍ୟ ଅନେକ ଘର ମାଟିରେ ମିଶିଯାଇଛି । ଭୂସ୍ଖଳନରେ ପାଖାପାଖି ୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ରିଲିଫ କ୍ୟାମ୍ପରେ ପ୍ରାୟ ୩ ହଜାର ଲୋକ ଆଶ୍ରୟ ନେଇଛନ୍ତି ।