17.1 C
Bhubaneswar
Friday, January 3, 2025
Homeଦେଶ ବିଦେଶନିର୍ବାଚନୀ ବଣ୍ଡ୍ ଅନିୟମିତତା ପ୍ରସଙ୍ଗ; ଏସ୍‌ଆଇଟି ତଦନ୍ତ ଆବେଦନ ଖାରଜ

ନିର୍ବାଚନୀ ବଣ୍ଡ୍ ଅନିୟମିତତା ପ୍ରସଙ୍ଗ; ଏସ୍‌ଆଇଟି ତଦନ୍ତ ଆବେଦନ ଖାରଜ

ନୂଆଦିଲ୍ଲୀ:  ନିର୍ବାଚନୀ ବଣ୍ଡ୍ ପ୍ରକ୍ରିୟା ପ୍ରତ୍ୟାହାର ହେବା ପୂର୍ବରୁ ଏହି ପ୍ରକ୍ରିୟା ଅନ୍ତର୍ଗତ ରହିଥିବା ଅନେକ ଦୁର୍ନୀତି ତଥା ଅନିୟମିତତା ଅଭିଯୋଗର ଏସ୍‌ଆଇଟି ତଦନ୍ତ ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ନିର୍ବାଚନୀ ବଣ୍ଡ୍ ଜରିଆରେ ବିଭିନ୍ନ ରାଜନୈତିକ ଦଳ ପାଇଥିବା ଚାନ୍ଦାର ଅପବ୍ୟବହାର ହୋଇଥିବା ଅଭିଯୋଗ ଉପରେ ଏସ୍‌ଆଇଟି ତଦନ୍ତ କରିବାକୁ ଏକାଧିକ ପିଟିସନ୍ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା । ଏସବୁ ପିଟିସନ୍ ଉପରେ ସାମୂହିକ ଭାବେ ଶୁଣାଣି କରିବା ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଏପ୍ରକାର ଆବେଦନକୁ ଖାରଜ କରିଦେଇଛନ୍ତି ।
ଗତ ଫେବ୍ରୁଆରୀ ୧୫ରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ୍ ପ୍ରକ୍ରିୟାକୁ ଅସାମ୍ବିଧାନିକ କହିବା ସହ ତୁରନ୍ତ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବିଧିବଦ୍ଧ ଭାବେ ଏହି ପ୍ରକ୍ରିୟାକୁ ବାତିଲ ମଧ୍ୟ କରିଦିଆଯାଇଛି । କିନ୍ତୁ ଏବେ ଏହି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ବିଭିନ୍ନ ରାଜନୈତିକ ଦଳ ଓ କର୍ପୋରେଟ ଡୋନର୍ ବା ଚାନ୍ଦା ଦାତାଙ୍କ ମଧ୍ୟରେ ନିର୍ବାଚନୀ ବଣ୍ଡ୍ ଜରିଆରେ ଅନୈତିକ ଡିଲ୍ ହୋଇଥିବାର ଅଭିଯୋଗ ହୋଇଛି । ବିଭିନ୍ନ ରାଜନୀତିକ ଦଳ ବିଶେଷ କରି କ୍ଷମତାରେ ଥିବା ଦଳଗୁଡ଼ିକ ବଡ଼ବଡ଼ ବ୍ୟବସାୟୀ ଓ ସଂସ୍ଥାମାନଙ୍କ ଠାରୁ ଚାନ୍ଦା ଦେଇ ସେମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗକାରୀମାନେ ନିଜ ଆବେଦନରେ ଉଲ୍ଲେଖ କରିବା ସହ ଏସବୁ ଅଭିଯୋଗ ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ ବିଶେଷକରି ଏସ୍‌ଆଇଟି ତଦନ୍ତ କରାଯିବା ଉଚିତ୍ ବୋଲି ଦାବି କରିବା ପୂର୍ବକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାରି କରି କହିଛନ୍ତି, ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏବେ ଠାରୁ ତଦନ୍ତ ନିର୍ଦ୍ଦେଶ ଦେବା ଅପରିପକ୍ୱ ଓ ଅନୁଚିତ୍ ହେବ । ଆବେଦନକାରୀ ସାଧାରଣ ଆଇନ୍ ବ୍ୟବସ୍ଥା ଅନୁଯାୟୀ ନିଜର ଅଭିଯୋଗ ଦାଖଲ କରିପାରିବେ । ଅନ୍ୟପକ୍ଷେ ଯଦି ସେମାନଙ୍କ ଅଭିଯୋଗର ତଦନ୍ତ ନ ହେବ କିମ୍ବା ରିପୋର୍ଟ ଦାଖଲ କରାନଯିବ, ତେବେ ଆବେଦନକାରୀ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଆବେଦନ କରିପାରିବେ । ଏହି ପ୍ରସଙ୍ଗରେ ସେତେବେଳେ ନ୍ୟାୟିକ ହସ୍ତକ୍ଷେପର ଆବଶ୍ୟକ ଥିବାରୁ କୋର୍ଟ ନିର୍ବାଚନୀ ବଣ୍ଡ୍ ପ୍ରକ୍ରିୟାକୁ ରଦ୍ଦ କରିଥିଲେ । କିନ୍ତୁ ଏହା ସହ ଜଡ଼ିତ ଅପରାଧିକ ଦିଗର ତଦନ୍ତ ଆଇନ ଅନୁସାରେ କରାଯାଇପାରିବ । ଅଭିଯୋଗର ତଦନ୍ତ ଯଦି ନ ହେବ, ତା’ହେଲେ କୋର୍ଟ ଏଥିରେ ହସ୍ତକ୍ଷେପ କରିପାରିବେ ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୨୦୧୭ରେ ନିର୍ବାଚନ ବଣ୍ଡ୍ ସ୍କିମ୍ ଘୋଷଣା କରିଥିଲେ । ଏହି ଯୋଜନା ୨୯ ଜାନୁଆରୀ ୨୦୧୮ରେ ଆଇନଗତ ଭାବରେ କାର୍ଯ୍ୟକାରୀ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ନିର୍ବାଚନୀ ବଣ୍ଡ୍ ପ୍ର୍ରକିୟା ଆଳରେ କଳାଧନକୁ ଧଳା କରାଯାଉଥିବା ଅଭିଯୋଗ ପରିମାଣ ବୃଦ୍ଧି ପାଇବା ଆରମ୍ଭ ହୋଇଥିଲା । ପରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପୂର୍ବକ ଗତ ଫେବ୍ରୁଆରୀ ୧୫ରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ୍ ପ୍ରକ୍ରିୟାକୁ ଅସାମ୍ବିଧାନିକ କହିବା ସହ ତୁରନ୍ତ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking